ଅଦାନୀ ଗ୍ରୁପ୍ର ୪୩,୫୦୦ କୋଟି ଟଙ୍କା ସେୟାର୍ ଥିବା ୩ ‘ଏଫ୍ପିଆଇ’ ଆକାଉଣ୍ଟ୍ ‘ଫ୍ରିଜ୍’ କଲା ‘ଏନ୍ଏସ୍ଡିଏଲ୍’

ନୂଆଦିଲ୍ଲୀ: ଅଦାନୀ ଗ୍ରୁପ୍‌ର ୪ଟି ତାଲିକାଭୁକ୍ତ କମ୍ପାନିର ସମୁଦାୟ ୪୩,୫୦୦ କୋଟି ଟଙ୍କାର ବିଦେଶୀ ପାଣ୍ଠି ଥିବା ୩ଟି ଆକାଉଣ୍ଟ୍‌ ଉପରେ ‘ଦି ନ୍ୟାସ୍‌ନାଲ୍‌ ସିକ୍ୟୁରିଟିଜ୍‌ ଡିପୋଜି‌ଟରି ଲିମିଟେଡ୍‌’ (ଏନ୍‌ଏସ୍‌ଡିଏଲ୍‌) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଡିପୋଜିଟରି ୱେବ୍‌ସାଇଟ୍‌ ଅନୁସାରେ, ମେ ୩୧ ତାରିଖ ବା ତା’ପୂର୍ବରୁ ‘ଏନ୍‌ଏସ୍‌ଡିଏଲ୍‌’ ‘ଅଲ୍‌ବୁଲା ଇନ୍‌ଭେଷ୍ଟମେଣ୍ଟ୍‌ ଫଣ୍ଡ୍‌’, ‘କ୍ରେଷ୍ଟା ଫଣ୍ଡ୍‌’ ଏବଂ ‘ଏପିଏମ୍‌ଏସ୍‌ ଇନ୍‌ଭେଷ୍ଟମେଣ୍ଟ୍‌ ଫଣ୍ଡ୍‌’ର ଆକାଉଣ୍ଟ୍‌ ‘ଫ୍ରିଜ୍’ ବା ଅଚଳ କରିଛି। ଅର୍ଥାତ୍ ଏହି ଫଣ୍ଡ୍‌ ସବୁ ଗଚ୍ଛିତ ଥିବା ସିକ୍ୟୁରିଟି ବିକ୍ରୟ କରି ପାରିବେ ନାହିଁ କି, ନୂଆ ସିକ୍ୟୁରିଟି କ୍ରୟ କରି ପାରିବେ ନାହିଁ।

Image Courtesy of Money Control

ଗତବର୍ଷ ଠାରୁ ଘରୋଇ ଷ୍ଟକ୍‌ ମାର୍କେଟ୍‌ରେ ଦ୍ରୁତ ଉତ୍ଥାନ ସମ୍ଭବ ହୋଇଥିବା ଏହି କମ୍ପାନିଗୁଡ଼ିକର ମାଲିକ କୋଟିପତି ଶିଳ୍ପପତି ଗୌତମ ଅଦାନୀଙ୍କ ପ୍ରତି ଏହା ଗୋଟାଏ ଶକ୍ତ ଆଘାତ। ଆକାଉଣ୍ଟ୍‌ ‘ଫ୍ରିଜ୍‌’ ହେବା କଥା ପ୍ରଘଟ ହେବା ପରେ ତାଙ୍କ ଗ୍ରୁପ୍‌ର ସମସ୍ତ ୬ଟିଯାକ କମ୍ପାନିର ସେୟାର୍‌ ଷ୍ଟକ୍‌ ମାର୍କେଟ୍‌ରେ ନିମ୍ନଗାମୀ ହୋଇଛି।

ସୂଚନାଯୋଗ୍ୟ, ବିଦେଶୀ ନିବେଶକ ପରିଚାଳନା କରୁଥିବା ତତ୍ତ୍ବାବଧାରକ ବ୍ୟାଙ୍କ୍‌ର ଅଧିକାରୀମାନେ କହିଛନ୍ତି ଯେ, ‘ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଙ୍ଗ୍‌ ଆଇନ’ ଅନୁସାରେ, ହିତାଧିକାରୀ ମାଲିକାନାଙ୍କ ସମ୍ପର୍କରେ ଯଥେଷ୍ଟ ସୂଚନା ପ୍ରଦାନ କରାଯାଇ ନ ଥିବା କାରଣରୁ ଉପରୋକ୍ତ ୩ଟି ବିଦେଶୀ ପାଣ୍ଠି ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

କିନ୍ତୁ, ଏ ସଂକ୍ରାନ୍ତରେ ଅଦାନୀ ଗ୍ରୁପ୍‌ ଏପର୍ଯ୍ୟନ୍ତ କ‌ୌଣସି ବିବୃତି ଦେଇନାହିଁ।

ସମ୍ବନ୍ଧିତ ଖବର