ଖୋଲୁଛି ଏନ୍‌ଏସ୍‌ଇ ସିଇଓ ଚିତ୍ରାଙ୍କ ଗୁମର: ‘ଯୋଗୀ’ଙ୍କୁ ଭଲ ଲାଗୁଥିଲା ଚିତ୍ରାଙ୍କ କେଶ, ସିସିଲି ବୁଲିବାକୁ ଯାଇଥିଲେ

ସମୁଦ୍ରରେ ଗାଧୋଇବା, ବେଳାଭୂମିରେ ବିଶ୍ରାମ ଯୋଜନା ଥିଲା
ଗୀତ ପଠାଉଥିଲେ

ମୁମ୍ବାଇ : ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣ ଓ ତଥାକଥିତ ହିମାଳୟର ଯୋଗୀଙ୍କ ମଧ୍ୟରେ ଥିବା ସମ୍ପର୍କର ବିଭିନ୍ନ ଫର୍ଦ୍ଦ ଖୋଲିବାରେ ଲାଗିଛି। ଯାହାଙ୍କୁ ଚିତ୍ରା ସିଦ୍ଧପୁରୁଷ ଓ ପରମହଂସ ବୋଲି କହୁଥିଲେ ସେ ଜଣେ ସଶରୀର ବ୍ୟକ୍ତି ବୋଲି ସେବିର ତଦନ୍ତରୁ ଜଣାପଡ଼ିଛି। ଚିତ୍ରାଙ୍କ କେଶବିନ୍ୟାସକୁ ସେ ଭଲ ପାଉଥିଲେ। ଛୁଟି କଟାଇବା ଲାଗି ଚିତ୍ରାଙ୍କ ସହ ସେ ସିସିଲି ଯାଇଥିଲେ। ତାଙ୍କୁ ଗୀତ ମଧ୍ୟ ପଠାଉଥିଲେ।

ସେବିର ତଦନ୍ତ ବେଳେ ଚିତ୍ରା କହିଥିଲେ ଯେ ହିମାଳୟରେ ରହୁଥିବା ତଥାକଥିତ ଯୋଗୀ ଜଣେ ଅଦୃଶ୍ୟ ଆତ୍ମା ଯାହାଙ୍କ କୌଣସି ଶରୀର ନାହିଁ। ସେ ଯେଉଁଠାରେ ଚାହାନ୍ତି ସେଠାରେ ପ୍ରକଟ ହୋଇପାରନ୍ତି। କିନ୍ତୁ ଚିତ୍ରା ଓ ସେହି ତଥାକଥିତ ଯୋଗୀଙ୍କ ମଧ୍ୟରେ ଯେଉଁ ଇ-ମେଲ୍‌ ଆଦାନପ୍ରଦାନ ହୋଇଛି ସେଥିରୁ ଯୋଗୀ ଜଣଙ୍କର ଚିତ୍ରାଙ୍କର ପ୍ରତି ଆକର୍ଷଣ ଥିଲା ବୋଲି ମନେ ହେଉଛି। ୨୦୧୫ରେ ଉଭୟଙ୍କ ମଧ୍ୟରେ ବହୁବାର ସାକ୍ଷାତ ହୋଇଥିଲା। ୨୦୧୮ରେ ଦିଲ୍ଲୀର ସ୍ବାମୀମଲାଇ ମନ୍ଦିରରେ ମଧ୍ୟ ଉଭୟଙ୍କ ସାକ୍ଷାତ ହୋଇଥିଲା। ଚିତ୍ରାଙ୍କ ପ୍ରତି ଯୋଗୀଙ୍କର ବ୍ୟକ୍ତିଗତ ରୁଚି ରହିଥିଲା। ୨୦୧୫ ଫେବ୍ରୁଆରି ୧୮ରେ ସେ ଚିତ୍ରାଙ୍କୁ ପଠାଇଥିବା ଏକ ଇ-ମେଲ୍‌ରେ ତାଙ୍କ କେଶବିନ୍ୟାସକୁ ଭୁରି ଭୁରି ପ୍ରଶଂସା କରିଥିଲେ। ୨୦୧୭ ଫେବ୍ରୁଆରି ୧୭ରେ ପଠାଇଥିବା ଅନ୍ୟ ଏକ ଇ-ମେଲ୍‌ରେ ସେ ଚିତ୍ରାଙ୍କୁ ବ୍ୟାଗ୍ ପ୍ରସ୍ତୁତ କରି ରଖିବାକୁ କହିଥିଲେ ଓ ସିସିଲି ଯାଇ ସେଠାରେ ସମୁଦ୍ରରେ ଗାଧୋଇବା ଓ ବେଳାଭୂମିରେ ବିଶ୍ରାମ କରିବା କଥା ଆଲୋଚନା କରିଥିଲେ। ୨୦୧୫ ସେପ୍ଟେମ୍ବର ୧୬ରେ ଯୋଗୀ ଜଣକ ଚିତ୍ରାଙ୍କୁ ‘ମକର କୁଣ୍ଡଳ’ ଗୀତ ପଠାଇଥିଲେ ଓ ତାହା ସେ ଶୁଣିଛନ୍ତି ନା ନାହିଁ ତାହା ଜାଣିବାକୁ ଚାହିଥିଲେ। ଚିତ୍ରାଙ୍କ ସହ ବିତାଇଥିବା ମୁହୂର୍ତଗୁଡ଼ିକ ତାଙ୍କୁ ଯୁବସୁଲଭ ଓ ଉର୍ଜ୍ବାବାନ ଭଳି ଅନୁଭବ ଦେଇଥିଲା ବୋଲି ଯୋଗୀ ଜଣକ ଇ-ମେଲ୍‌ରେ ଲେଖିଥିଲେ।

ଉଲ୍ଲେଖଯୋଗ୍ୟ, ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ଚିତ୍ରା ଏନ୍‌ଏସ୍‌ଇର ସିଇଓ ଭାବେ କାର୍ଯ୍ୟ କରିଥିଲେ। ସେହି ସମୟରେ ସେ ଜଣେ ଅଜଣା ଯୋଗୀଙ୍କ ସମ୍ପର୍କରେ ଥିଲେ ଯିଏ ତାଙ୍କୁ ଷ୍ଟକ୍ ଏକ୍ସଚେଞ୍ଜ ଚଲାଇବା ଲାଗି ପରାମର୍ଶ ଦେଉଥିଲେ ବୋଲି ଚିତ୍ରା ଦାବି କରିଥିଲେ। ପ୍ରାୟ ୨୦ ବର୍ଷ ଧରି ସେ ଚିତ୍ରାଙ୍କୁ ବ୍ୟକ୍ତିଗତ ଓ ବୃତ୍ତିଗତ ମାମଲାରେ ପରାମର୍ଶ ଦେଉଥିଲେ। ଚିତ୍ରା ତାଙ୍କୁ ‘ଶିରୋମଣି’ ବୋଲି ସମ୍ବୋଧନ କରୁଥିଲେ। ଏନ୍‌ଏସ୍‌ଇରେ କର୍ପୋରେଟ୍ ଗଭର୍ଣ୍ଣାସକୁ ନେଇ ଆସିଥିବା ଅଭିଯୋଗର ତଦନ୍ତ ବେଳେ ଚିତ୍ରା ସେବିର ତଦନ୍ତକାରୀ ଟିମ୍‌କୁ ଏହା କହିଥିଲେ। ମାତ୍ର ତଥାକଥିତ ଯୋଗୀ ଓ ତାଙ୍କ ମଧ୍ୟରେ ଯେଉଁ ଇ-ମେଲ୍ ବାର୍ତାଳାପ ହୋଇଥିଲା ତାହା ଅନ୍ୟ ଭିନ୍ନ ଚିତ୍ର ଉପସ୍ଥାପନ କରୁଛି। ଏହି ମାମଲାରେ ଚିତ୍ରାଙ୍କ ଉପରେ ସେବି ୩ କୋଟି ଟଙ୍କାର ଜରିମାନା ଲଗାଇଛି।

ସମ୍ବନ୍ଧିତ ଖବର