ଏନ୍‌ଏସ୍‌ଇ ଜାଲିଆତି: ସରକାର କରିବେ ତଦନ୍ତ, ସୁବ୍ରମଣିଅନ୍‌ ହିଁ ଯୋଗୀ, ସିବିଆଇ ହାତରେ ପ୍ରମାଣ

ଚିତ୍ରାଙ୍କ ଲାପ୍‌ଟପ୍ ନଷ୍ଟ କରିଦିଆଯାଇଛି

ନୂଆଦିଲ୍ଲୀ: ଏନ୍‌ଏସ୍‌ଇରେ କର୍ପୋରେଟ୍ ଗଭର୍ଣ୍ଣାସ ନିୟମ ଉଲ୍ଲଂଘନ ହୋଇଥିବା ନେଇ ଯେଉଁ ଅଭିଯୋଗ ରହିଛି ତାହାର ତଦନ୍ତ ଖୁବ୍‌ଶୀଘ୍ର ସରକାର ଆରମ୍ଭ କରିବେ। ଏନ୍‌ଏସ୍‌ଇ ଘଟଣାକୁ ସରକାର ଅନୁଧ୍ୟାନ କରୁଛନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଅର୍ଥମନ୍ତ୍ରୀ ଏଭଳି ସଙ୍କେତ ଦେଇଥିବାରୁ ସରକାରୀ ସ୍ତରରେ ଏହି ମାମଲାର ତଦନ୍ତ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି। ଇତି ମଧ୍ୟରେ ସିବିଆଇ ଏହାର ତଦନ୍ତକୁ ଜୋରଦାର କରିଛି। ଚିତ୍ରା ଓ ସୁବ୍ରମଣିଅନ୍‌ଙ୍କୁ ଘଣ୍ଟା ଘଣ୍ଟା ଜେରା କରିବା ପରେ ଏହା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) କାର୍ଯ୍ୟାଳୟରେ ପହଞ୍ଚି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସଂଗ୍ରହ କରିଛି। ଚିତ୍ରାଙ୍କ ବିରୋଧରେ ଏନ୍‌ଏସ୍‌ଇର ଗୁରୁତ୍ବପୂର୍ଣ୍ଣ ତଥ୍ୟ ଜଣେ ହିମାଳୟର ଯୋଗୀଙ୍କୁ ଦେବାର ଅଭିଯୋଗ ରହିଛି। ସେହି କଥାକୁ ସେ ସ୍ବୀକାର କରିଥିଲେ ମଧ୍ୟ ଯୋଗୀ ଜଣକ କିଏ ତାହା ରହସ୍ୟ ହୋଇରହିଛି। ଯୋଗୀଙ୍କ ସମ୍ପର୍କରେ ଚିତ୍ରା ଯେଉଁ ମନଗଢ଼ା କାହାଣୀ ଶୁଣାଇଛନ୍ତି ତାହାକୁ ସହଜରେ ଗ୍ରହଣ କରିହେଉନାହିଁ। କାହା ସହ ଚିତ୍ରା ଯୋଗାଯୋଗରେ ଥିଲେ ଓ ଇ-ମେଲ୍ ବାର୍ତ୍ତାଳପ କରୁଥିଲେ ତାଙ୍କୁ ଖୋଜିବା ଲାଗି ସିବିଆଇ ଜୋରଦାର ଉଦ୍ୟମ କରୁଛି। ୧୯୯୦ରେ ଚିତ୍ରା ଏନ୍‌ଏସ୍‌ଇରେ ଯୋଗ ଦେଇଥିଲେ ଓ ୧୯୯୪ରେ ଏହି ସଂସ୍ଥାର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଥିଲା। ଆଜି ଏନ୍‌ଏସ୍‌ଇ ଯେଉଁଠାରେ ପହଞ୍ଚିଛି ସେଥିରେ ଚିତ୍ରାଙ୍କ ବଡ଼ ଯୋଗଦାନ ଥିବା କଥାକୁ କେହି ଅସ୍ବୀକାର କରୁନାହାନ୍ତି। ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ସେ ଏନଏସ୍‌ଇର ସିଇଓ ଓ ଏମ୍‌ଡି ଭାବେ କାର୍ଯ୍ୟ କରିଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ବିଶେଷ କରି ୨୦୧୫ରେ ସେ ଜଣେ ବ୍ୟକ୍ତିଙ୍କ ସହ ଇ-ମେଲ୍‌ରେ ବହୁ ବାର୍ତ୍ତାଳପ କରିଥିଲେ। ତାଙ୍କ ସହ ଏକ୍ସଚେଞ୍ଜ୍‌ର ଗୁରୁତ୍ବପୂର୍ଣ୍ଣ ବିଷୟ ଆଲୋଚନା କରୁଥିଲେ। ସେହି ବ୍ୟକ୍ତି ଜଣକ ଇଙ୍ଗିତରେ କାହାକୁ ପଦୋନ୍ନତି ଦିଆଯିବ ଓ କାହାର ଦରମା ବୃଦ୍ଧି କରାଯିବ ସେଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଉଥିଲା। ସେବି ପକ୍ଷରୁ କରାଯାଇଥିବା ଏକ ତଦନ୍ତରୁ ଏହି ସବୁ ବିଷୟ ସାମ୍ନାକୁ ଆସିଛି। ସେଥିପାଇଁ ଚିତ୍ରାଙ୍କ ଉପରେ ତିନି କୋଟି ଟଙ୍କାର ଜରିମାନା ଲାଗୁ କରାଯାଇଛି। ସେବି ତଦନ୍ତ ବେଳେ ଚିତ୍ରା ଜଣେ ହିମାଳୟର ଯୋଗୀଙ୍କ ସହ ଯୋଗାଯୋଗରେ ଥିବା କଥା କହିଥିଲେ ଓ ତାଙ୍କ ମାର୍ଗଦର୍ଶନରେ ବିଭିନ୍ନ ପ୍ରକାର ନିଷ୍ପତ୍ତି ନେଉଥିବା ଜଣାଇଥିଲେ। ସେବିର ତଦନ୍ତ ରିପୋର୍ଟ ସାର୍ବଜନୀନ ହେବା ପରେ ଏହା ଜଣାପଡ଼ିଛି।

ଚିତ୍ରାଙ୍କ ଲାପ୍‌ଟପ୍ ନଷ୍ଟ କରିଦିଆଯାଇଛି
ଚିତ୍ରାଙ୍କୁ ସିବିଆଇ ଘଣ୍ଟା ଘଣ୍ଟା ଜେରା କରିବା ବେଳେ ଜାଣିବାକୁ ପାଇଛି ଯେ ଏନ୍‌ଏସ୍‌ଇରେ ସିଇଓ ଭାବେ କାମ କରୁଥିବା ବେଳେ ସେ ଯେଉଁ ଲାପ୍‌ଟପ୍ ଓ ଡିଭାଇସ୍ ବ୍ୟବହାର କରୁଥିଲେ ତାହାକୁ ଇ-ବର୍ଜ୍ୟ ଭାବେ ନଷ୍ଟ କରିଦିଆଯାଇଛି। ଏ ସମ୍ପର୍କରେ ଚିତ୍ରା କହିଛନ୍ତି ଯେ କାହିଁକି ସେଗୁଡ଼ିକୁ ନଷ୍ଟ କରାଗଲା ମୁଁ ଜାଣିନି। ସେ କଥା ଏନ୍‌ଏସ୍‌ଇ କହିପାରିବ। ଯେହେତୁ ଲାପ୍‌ଟପ୍‌କୁ ନଷ୍ଟ କରିଦିଆଯାଇଛି ତେଣୁ ସେ ଯେଉଁମାନଙ୍କୁ ଇ-ମେଲ୍‌ ପଠାଉଥିଲେ, ବିଶେଷ କରି ରହସ୍ୟମୟ ହିମାଳୟ ଯୋଗୀଙ୍କ ଆଇପି ଠିକଣା ହାସଲ କରିବା କଷ୍ଟକର ହୋଇପଡ଼ିଛି। ଚିତ୍ରାଙ୍କ ବ୍ୟକ୍ତିଗତ ଇ-ମେଲ୍‌ଗୁଡ଼ିକୁ ମଧ୍ୟ ଉଦ୍ଧାର କରାଯାଇପାରୁନାହିଁ। ସମ୍ଭାବ୍ୟ ବିପଦକୁ ଏଡ଼ାଇବା ଲାଗି ଜାଣିଶୁଣି ଲାପ୍‌ଟପ୍‌କୁ ନଷ୍ଟ କରିଦିଆଯାଇଥିବା ସନ୍ଦେହ କରାଯାଉଛି।

ସୁବ୍ରମଣିଅନ୍‌ ହିଁ ଯୋଗୀ, ସିବିଆଇ ହାତରେ ପ୍ରମାଣ
ଏନ୍‌ଏସ୍‌ଇର ଫୋରେନ୍ସିକ୍ ଅଡିଟ୍ କରିଥିବା ସଂସ୍ଥା ୟର୍ନଷ୍ଟ ଆଣ୍ଡ୍‌ ୟଙ୍ଗ୍‌ ଭାବୁଛି ଏନ୍‌ଏସ୍‌ଇର ପୂର୍ବତନ ଗ୍ରୁପ୍‌ ଅପରେଟିଂ ଅଫିସର ଆନନ୍ଦ ସୁବ୍ରମଣିଅନ୍‌ ହେଉଛନ୍ତି ସେହି ତଥାକଥିତ ଯୋଗୀ। ଏହା ପଛରେ ବଳିଷ୍ଠ କାରଣ ରହିଛି। ଏନ୍‌ଏସ୍‌ଇ ଭିତରେ କାମ କରୁଥିବା ଲୋକମାନେ କହୁଛନ୍ତି ଯେ ସୁବ୍ରମଣିଅନ୍‌ ଜ୍ୟୋତିଷଶାସ୍ତ୍ର ଓ ପାରମ୍ପରିକ ରୀତିନୀତି ଉପରେ ବିଶ୍ବାସ କରୁଥିଲେ। ସେ ନିଜ ଠାରୁ ବଡ଼ ପଦରେ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ବହୁତ ଖରାପ ବ୍ୟବହାର କରୁଥିଲେ ମଧ୍ୟ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁ‌ଷ୍ଠାନ ନିଆଯାଉନଥିଲା। ବାଲ୍‌ମର୍‌ ଆଣ୍ଡ୍‌ ଲରିର ଏକ ସହଯୋଗୀ ସଂସ୍ଥାର ଭିପି-ଲିଜିଂ ଆଣ୍ଡ୍ ରିପେୟାର ସଭିସ୍ ଭାବେ କାମ କରୁଥିବା ବେଳେ ସୁବ୍ରମଣିଅନ୍‌ ୧୫ ଲକ୍ଷ ଟଙ୍କାରୁ କମ୍ ଦରମା ପାଉଥିଲେ। ପୁଞ୍ଜି ବଜାର ବିଷୟରେ କୌଣସି ଜ୍ଞାନ ନଥିବା ସୁବ୍ରମଣିଅନ୍‌ଙ୍କୁ ଚିତ୍ରା ୧.୬୮ କୋଟି ଟଙ୍କା ଭଳି ମୋଟା ଦରମାରେ କନସଲଟାଣ୍ଟ୍‌ ଭାବେ ନିଯୁକ୍ତି ଦେଇଥିଲେ। ତିନି ବର୍ଷ ଭିତରେ ତାଙ୍କୁ ଗ୍ରୁପ୍ ଅପରେଟିଂ ଅଫିସର ଭାବେ ପଦୋନ୍ନତି ମିଳିଥିଲା ଓ ତାଙ୍କ ଦରମା ୪.୨୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଚିତ୍ରାଙ୍କ ଜଣେ ବାନ୍ଧବୀ ଯିଏ ଏନ୍‌ଏସ୍‌ଇରେ କାମ କରୁଥିଲେ ସୁବ୍ରମଣିଅନ୍‌ ହେଉଛନ୍ତି ତାଙ୍କ ସ୍ବାମୀ। ଯେଉଁଭଳି ଭାବେ ବୃତ୍ତିଗତ ଜୀବନରେ ସୁବ୍ରମଣିଅନ୍ ଉପରକୁ ଉଠିଛନ୍ତି ସେଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ତାଙ୍କ ପଛରେ କୌଣସି ବଡ଼ ଲୋକର ହାତ ଥିଲା। ଅନ୍ୟଥା ସେ ନିଜେ ହିମାଳୟ ‌ଯୋଗୀ ଭାବେ ଛଦ୍ମ ପରିଚୟ ରଖିଥିଲେ ବୋଲି ଅନୁମାନ କରାଯାଉଛି। ସୁବ୍ରମଣିଅନ୍‌ଙ୍କ ଘରେ ଚଢ଼ଉ କରିବା ବେଳେ ସିବିଆଇ ବହୁ ଗୁରୁତ୍ବପୂର୍ଣ୍ଣ ଜିନିଷ ଜବତ କରିଛି। ତାଙ୍କୁ ଜେରା କରିବା ବେଳେ ମଧ୍ୟ ବହୁ କଥା ସାମ୍ନାକୁ ଆସିଛି। ସୁବ୍ରମଣିଅନ୍ ହିଁ ହିମାଳୟ ଯୋଗୀ ଭାବେ ଚିତ୍ରାଙ୍କୁ ଉଠୁବସ୍ କରାଉଥିଲେ ବୋଲି ଅନୁମାନ କରାଯାଉଛି। ଜବତ ସାମଗ୍ରୀକୁ ନେଇ ସିବିଆଇ ଏହାର ଅନୁଧ୍ୟାନ ଜାରି ରଖିଛି।

ସମ୍ବନ୍ଧିତ ଖବର