ଏନ୍‌ଏସ୍‌ଓ ରିପୋର୍ଟ: ସହରାଞ୍ଚଳ ବେକାରି ୫ ବର୍ଷରେ ସର୍ବନିମ୍ନ

ନୂଆଦିଲ୍ଲୀ: ସହରାଞ୍ଚଳ ବେକାରି ସମସ୍ୟାରେ ବଡ଼ଧରଣର ଉନ୍ନତି ଘଟିଛି। ସହରାଞ୍ଚଳ ବେକାରି ହାର ୫ ବର୍ଷର ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ)ର ଶ୍ରମ ଶକ୍ତି ସର୍ବେକ୍ଷଣରୁ ଏହି ଚିତ୍ର ସାମ୍ନାକୁ ଆସିଛି। ୨୦୨୩ ମାର୍ଚ୍ଚ ସୁଦ୍ଧା ଶେଷ ତ୍ରୈମାସିକରେ ସହରାଞ୍ଚଳ ବେକାରି ହାର ୬.୮ ପ୍ରତିଶତ ରହିଛି ଯାହ‌ା ୨୦୧୮-୧୯ ପରେ ସବୁଠୁ କମ୍। ୨୦୨୨-୨୩ ଆର୍ଥିକ ବର୍ଷର ସମସ୍ତ ଚାରିଟି ତ୍ରୈମାସିକରେ ଶ୍ରମ ଶକ୍ତିରେ ଅଂଶଗ୍ରହଣ ହାର ମଧ୍ୟ ସର୍ବାଧିକ ସ୍ତରରେ ରହିଥିଲା। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ସହରାଞ୍ଚଳରେ ଯେଉଁ ଲୋକମାନେ କାମ ସନ୍ଧାନରେ ଥିଲେ ସେମାନଙ୍କୁ ୨୦୨୨-୨୩ରେ କାମ ମିଳିଛି।

୨୦୨୩ ମାର୍ଚ୍ଚ ସୁଦ୍ଧା ଶେଷ ତ୍ରୈମାସିକରେ ଶ୍ରମ ଶକ୍ତି ଅଂଶଗ୍ରହଣ ହାର ୩୮.୧ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଛି। ଅଜିମ୍‌ ପ୍ରେମ୍‌ଜୀ ବିଶ୍ବବିଦ୍ୟାଳୟରେ ଅର୍ଥନୀତି ପଢ଼ାଉଥିବା ଅମିତ ବାସୋଲେ କହିଛନ୍ତି ଯେ ‌ପାଠପଢ଼ୁଆ ପିଲାମାନଙ୍କ ପାଇଁ ବେକାରି ହାର ବୃଦ୍ଧିପାଏ। ସେମାନଙ୍କୁ ଯଦି ନିଯୁକ୍ତି ମିଳିଛି ତାହା ନିଶ୍ଚିତ ରୂପେ ଏକ ଭଲ ସଙ୍କେତ। ଗତବର୍ଷ ଜାନୁଆରି-ମାର୍ଚ୍ଚରେ ବେକାରି ହାର ସର୍ବାଧିକ ଥିଲା। ଏହାର ମୁଖ୍ୟ କାରଣ ଥିଲା କୋଭିଡ୍ ମହାମାରୀର ପ୍ରଭାବ। ଗତବର୍ଷ ଏପ୍ରିଲ୍-ଜୁନ୍‌ରେ ବେକାରି ହାର ୭.୬ ପ୍ରତିଶତ ଓ ଜୁଲାଇ-ସେପ୍ଟେମ୍ବରରେ ୭.୨ ପ୍ରତିଶତ ଥିଲା। ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ମହିଳାଙ୍କ କ୍ଷେତ୍ରରେ ବେକାରି ହାର ୯.୨ ପ୍ରତିଶତକୁ ହ୍ରାସ ପାଇଛି ଯାହା ପୂର୍ବବର୍ଷ ସେହି ସମୟରେ ୧୦.୧ ପ୍ରତିଶତ ଥିଲା। ସେହିପରି ପୁରୁଷମାନଙ୍କ କ୍ଷେତ୍ରରେ ବେକାରି ହାର ୬ ପ୍ରତିଶତକୁ ହ୍ରାସ ପାଇଛି। ପୂର୍ବବର୍ଷ ଏହି ସମୟରେ ତାହା ୭.୭ ପ୍ରତିଶତ ଥିଲା।

ସମ୍ବନ୍ଧିତ ଖବର