ନୂଆଦିଲ୍ଲୀ: ଦେଶର ପରିସଂଖ୍ୟାନ ବ୍ୟବସ୍ଥାକୁ ମଜବୁତ କରିବା ଲକ୍ଷ୍ୟ ନେଇ ଦୁଇ ପୁରୁଣା ସଂସ୍ଥା ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନ୍ଏସ୍ଏସ୍ଓ) ଓ କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନ (ସିଏସ୍ଓ)କୁ ପରସ୍ପର ସହ ମିଶାଇ ଦିଆଯିବ। ଏହି ଦୁଇ ସଂସ୍ଥାକୁ ମିଶାଇ ଏକ ନୂତନ ସଂସ୍ଥା ଗଠନ କରାଯିବ ଯାହାର ନାମ ହେବ ‘ଜାତୀୟ ପରିସଂଖାନ କାର୍ଯ୍ୟାଳୟ’ (ଏନ୍ଏସ୍ଓ)। ପରିସଂଖ୍ୟାନ ମନ୍ତ୍ରଣାଳୟର ସଚିବ ଏହାର ମୁଖ୍ୟ ଭାବେ କାମ କରିବେ। ପୁରୁଣା ଡାଟା ପ୍ରୋସେସିଂ ଡିଭିଜନ ସ୍ଥାନରେ ନୂଆ ଡାଟା କ୍ବାଲିଟି ଆସ୍ୟୁରାନ୍ସ ଡିଭିଜନ ସ୍ଥାପନ କରାଯିବ। ଦୁଇ ସଂସ୍ଥା ମିଶିବା ପରେ ପରିଚାଳନା କ୍ଷେତ୍ରରେ କ’ଣ ସବୁ ପରିବର୍ତ୍ତନ ଦରକାର ତାହା ଜାଣିବା ପାଇଁ ଏକ କମିଟି ଗଠନ କରାଯାଇଛି।
ଏନ୍ଏସ୍ଏସ୍ଓ ଓ ସିଏସ୍ଓ ହେଉଛି କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ ଅଧୀନରେ ଥିବା ଦୁଇଟି ଗୁରୁତ୍ବପୂର୍ଣ୍ଣ ସଂସ୍ଥା। ଏନ୍ଏସ୍ଏସ୍ଓ ପକ୍ଷରୁ ବ୍ୟୟ, ନିଯୁକ୍ତି ଓ ବେକାରୀ ହାରକୁ ନେଇ ରିପୋର୍ଟ ଜାରି କରାଯାଇଥାଏ। ସେହିପରି ସିଏସ୍ଓ ପକ୍ଷରୁ ଜିଡିପି ଓ ଶିଳ୍ପ ଅଭିବୃଦ୍ଧି ଭଳି ତଥ୍ୟ ଜାରି କରାଯାଏ। ଏହି ଦୁଇ ସଂସ୍ଥା ମଧ୍ୟରେ ମିଶ୍ରଣ କରିବାକୁ ଉପା ସରକାରଙ୍କ ଅମଳରେ ୨୦୦୫ରେ ନିଷ୍ପତ୍ତି ନିଆଯାଇଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ସି ରଙ୍ଗରାଜନଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା ଏକ କମିଟି ‘ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ’ ଗଠନ କରିବାକୁ ସୁପାରିସ କରିଥିଲେ। ଏନ୍ଏସ୍ଏସଓ ଓ ସିଏସ୍ଓକୁ ମିଶାଇ ଏକ ନୂତନ ସଂସ୍ଥା ଗଠନ କରିବାର ନିଷ୍ପତ୍ତି ଉପରେ ଗତ ମେ’ ୨୩ ତାରିଖରେ ମୋହର ଲାଗିଥିଲା। ପରିସଂଖ୍ୟାନ ମନ୍ତ୍ରୀ ଭାବେ କାମ କରୁଥିବା ଡି ଭି ସଦାନନ୍ଦ ଗୌଡ଼ା ଏହି ମଞ୍ଜୁରି ପ୍ରଦାନ କରିଥିଲେ। ଦୁଇ ସଂସ୍ଥା ଭିତରେ ହେବାକୁ ଯାଉଥିବା ମିଶ୍ରଣ ବିଷୟରେ ମୁଖ୍ୟ ପରିସଂଖ୍ୟାବିତ୍ ପ୍ରବୀଣ ଶ୍ରୀବାସ୍ତବ କହିଛନ୍ତି ଯେ, ଏହି ଦୁଇ ସଂସ୍ଥା ହେଉଛି ଗୋଟିଏ ଶରୀରର ଦୁଇଟି ଅଙ୍ଗ। ଉଭୟ ପରସ୍ପର ସହ ମିଶି କାମ କରିବାର ଆବଶ୍ୟକତା ରହିଛି। ଏହା ଦ୍ବାରା ଅନେକ କାମକୁ ଦୁଇ ଦୁଇ ଥର କରିବାକୁ ପଡ଼ିବ ନାହିଁ। ଦେଶର ପରିସଂଖ୍ୟାନ ବ୍ୟବସ୍ଥା ମଧ୍ୟ ସୁଦୃଢ଼ ହୋଇପାରିବ। ବର୍ତ୍ତମାନ ଏହି ଦୁଇ ସଂସ୍ଥା ଉପରେ ବ୍ୟବସ୍ଥାର କୌଣସି ନିୟନ୍ତ୍ରଣ ନାହିଁ ଯାହା ଏକ ବଡ଼ ଆହ୍ବାନ। ଦୀର୍ଘ ୧୪ ବର୍ଷ ଧରି ଏହି ଦୁଇ ସଂସ୍ଥାର ମିଶ୍ରଣ ନିଷ୍ପତ୍ତି ଝୁଲି ରହିଥିଲା ଯାହା ଏବେ ସତରେ ପରିଣତ ହେବାକୁ ଯାଉଛି ବୋଲି ଶ୍ରୀ ଶ୍ରୀବାସ୍ତବ କହିଛନ୍ତି।
ଏହି ଦୁଇ ସଂସ୍ଥା ମଧ୍ୟରେ ମିଶ୍ରଣକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି ଯେ, ଦେଶର ପରିସଂଖ୍ୟାନ ବ୍ୟବସ୍ଥା ବଦଳିବା ଦରକାର। ଦେଶର ପରିସଂଖ୍ୟାନ ବ୍ୟବସ୍ଥାର ଆଧୁନିକୀକରଣ ପାଇଁ ବିଶ୍ବବ୍ୟାଙ୍କ ସହ ମିଶି କାମ କରାଯାଉଛି ବୋଲି ସେ କହିଛନ୍ତି।