ଏନ୍‌ଟିପିସି ଦର୍ଲିପାଲିରୁ ଉତ୍ପାଦନ ୨୦୧୯ ମାର୍ଚରେ

ଭୁବନେଶ୍ୱର: ସୁନ୍ଦରଗଡ଼ର ଦର୍ଲିପାଲିଠାରେ ରାଷ୍ଟ୍ରାୟତ୍ତ ଶକ୍ତି କଂପାନି ଏନ୍‌ଟିପିସି ନିର୍ମାଣ କରୁଥିବା ୧୬୦୦ ମେଗାଓ୍ଵାଟ୍‌ର ପାଓ୍ଵାର ପ୍ଲାଣ୍ଟ୍‌ରୁ ବାଣିଜ୍ୟିକ ଉତ୍ପାଦନ ଆସନ୍ତା ବର୍ଷ ମାର୍ଚ ସୁଦ୍ଧା ଆରମ୍ଭ ହେବ। ପ୍ରଥମେ ୮୦୦ ମେଗାଓ୍ଵାଟ୍‌ର ଏକ ୟୁନିଟ୍‌ କାର୍ଯ୍ୟକ୍ଷମ ହେବ। ଏହାର ପରବର୍ତୀ ୬ ମାସ ପରେ ୮୦୦ ମେଗାଓ୍ଵାଟ୍‌ର ଦ୍ୱିତୀୟ ୟୁନିଟ୍‌ କାର୍ଯ୍ୟକ୍ଷମ ହେବ। ଏନ୍‌ଟିପିସି ପକ୍ଷରୁ ଏହି ପ୍ରକଳ୍ପରେ ୧୨,୫୦୦ କୋଟି ଟଙ୍କା ବିନିଯୋଗ କରାଯାଉଛି। ଦର୍ଲିପାଲି ପ୍ରକଳ୍ପରୁ ଅଧା ବିଦ୍ୟୁତ ଶକ୍ତି କଂପାନି ଓଡ଼ିଶାକୁ ପ୍ରଦାନ କରିବ। ବଳକା ବିଦ୍ୟୁତକୁ ରାଜ୍ୟ ବାହାରେ ବିକ୍ରି କରିବ। ଆସନ୍ତା ବର୍ଷ ମାର୍ଚ ସୁଦ୍ଧା ଏହି ପ୍ରକଳ୍ପରୁ ଓଡ଼ିଶା ୪୦୦ ମେଗାଓ୍ଵାଟ୍‌ର ବିଦ୍ୟୁତ ଶକ୍ତି ପାଇବ ଯାହା ରାଜ୍ୟର ଶକ୍ତି ଆବଶ୍ୟକତା ପୂରଣ କରିବାରେ ବିଶେଷ ସହାୟକ ହେବ। ଦର୍ଲିପାଲି ପ୍ଲାଣ୍ଟ୍‌ ପାଇଁ ବର୍ଷକୁ ୮ ନିୟୁତ ଟନ୍‌ କୋଇଲା ଆବଶ୍ୟକ ହେବ। ସେହି ଆବଶ୍ୟକତାର ସିଂହ ଭାଗ ଡାଲୁଙ୍ଗା କୋଇଲା ବ୍ଲକ୍‌ ଜରିଆରେ ପୂରଣ କରାଯିବ। ଖୁବ୍‌ଶୀଘ୍ର ଏହି ଖଣିରୁ କୋଇଲା ଉତ୍ପାଦନ ହେବ ବୋଲି କଂପାନିର ଆଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦେଶକ (ପୂର୍ବାଞ୍ଚଳ-୨) ଆର୍‌ କେ ଶ୍ରୀବାସ୍ତବ କହିଛନ୍ତି। ଯଦି ଅଧିକ କୋଇଲା ଦରକାର ପଡ଼ିବ ତେବେ ତାହାକୁ ଏମ୍‌ସିଏଲ୍‌ର ବସୁନ୍ଧରା ଖଣି ଜରିଆରେ ହାସଲ କରିବାକୁ କଂପାନି ଯୋଜନା ରଖିଛି। ସୁନ୍ଦରଗଡ଼ଠାରେ ଏନ୍‌ଟିପିସି ପ୍ରତିଷ୍ଠା କରୁଥିବା ମେଡିକାଲ୍‌ କଲେଜ ଆଣ୍ଡ୍‌ ହସ୍‌ପିଟାଲ୍‌ ଆସନ୍ତା ବର୍ଷ କାର୍ଯ୍ୟକ୍ଷମ ହେବ। ଏଥିରେ ୫୦୦ ଶଯ୍ୟା ରହିବ। ମେଡିକାଲ୍‌ କଲେଜରେ ୧୦୦ ସିଟ୍‌ ରହିବ। ହସ୍‌ପିଟାଲ୍‌ ପ୍ରତିଷ୍ଠା ବାବଦରେ କଂପାନି ୪୧୭ କୋଟି ଟଙ୍କା ବିନିଯୋଗ କରୁଛି।

ଏହି ଅବସରରେ ଶ୍ରୀ ଶ୍ରୀବାସ୍ତବ କହିଛନ୍ତି ଯେ, ଇଲେକ୍ଟ୍ରିକ୍‌ ଯାନକୁ ନେଇ ଏନ୍‌ଟିପିସି ବେଶ ଉତ୍ସାହିତ। ଏହା ବିଭିନ୍ନ ସ୍ଥାନରେ ଚାର୍ଜିଂ ଷ୍ଟେସନ ସ୍ଥାପନ କରିବ। ଏବେ କଂପାନି ଇଲେକ୍ଟ୍ରିକ ଯାନ, ଏସି ଓ ଡିସି ଚାର୍ଜର ଆଦି ବରାଦ କରୁଛି। କାର୍‌, ବସ୍‌ ଏବଂ ଅଟୋଗୁଡ଼ିକ ପାଇଁ ଚାର୍ଜିଂ ସୁବିଧା ଯୋଗାଇ ଦେବାକୁ ଏନ୍‌ଟିପିସି ଲକ୍ଷ୍ୟ ରଖିଛି। ଓଡ଼ିଶାରେ ଚାର୍ଜିଂ ଷ୍ଟେସନ ସ୍ଥାପନ କରିବାରେ କଣିହାଁ ପାଓ୍ଵାର ପ୍ଲାଣ୍ଟ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ସମ୍ବନ୍ଧିତ ଖବର