ଦେଶରେ ୧.୨୮ ମୋବାଇଲ ଗ୍ରାହକ କମିଲେ, ଓଡ଼ିଶାରେ କମିଲେ ଅଢ଼େଇ ଲକ୍ଷରୁ ଅଧିକ

ନୂଆଦିଲ୍ଲୀ : ୨୦୨୧ ଡିସେମ୍ବର ମାସରେ ଦେଶର ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୧.୨୮ କୋଟି ହ୍ରାସ ପାଇଛି। ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ତଥ୍ୟରୁ ଏହା ଜରାଯାଇଛି। ଭାରତୀ ଏୟାରଟେଲର ଗ୍ରାହକ ସଂଖ୍ୟାରେ ବୃଦ୍ଧି ଘଟିଥିବାବେଳେ ରିଲାଏନ୍ସ ଜିଓ ଓ ଭୋଡାଫୋନ ଆଇଡିଆର ଗ୍ରାହକ ସଂଖ୍ୟା ହ୍ରାସ ପାଇଛନ୍ତି। ରିଲାଏନ୍ସ ଜିଓ ୧.୨୯ କୋଟି ମୋବାଇଲ ଗ୍ରାହକ ଦେଶରେ ହରାଇଛି। ଫଳରେ ଏହାର ମୋଟ ଗ୍ରାହକ ସଂଖ୍ୟା ୨୦୨୧ ଡିସେମ୍ବର ଶେଷ ସୁଦ୍ଧା ୪୧.୫୭ କୋଟି ରହିଛି। ଭୋଡାଫୋନ ଆଇଡିଆ ୧୬.୧୪ ଲକ୍ଷ ମୋବାଇଲ ଗ୍ରାହକ ହରାଇବା ଦ୍ବାରା ଏହାର ମୋଟ ଗ୍ରାହକଙ୍ କ ସଂଖ୍ୟା ୨୬.୫୫ କୋଟି ରହିଛି। ଅନ୍ୟପକ୍ଷରେ ଭାରତୀ ଏୟାରଟେଲର ମୋବାଇଲ ଗ୍ରାହକ ସଂଖ୍ୟା ଉକ୍ତ ମାସରେ ୪.୭୫ ଲକ୍ଷ ବୃଦ୍ଧି ଘଟିଛି। ଫଳରେ ଏହାର ଗ୍ରାହକ ସଂଖ୍ୟା ୩୫.୫୭ କୋଟିରେ ପହଞ୍ଚିଛି।

ଏଥିଯୋଗୁ ଦେଶରେ ମୋଟ ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୧୧୫.୪୬ କୋଟିରେ ପହଞ୍ଚିଥିବାବେଳେ ଓୟାରଲାଇନ ଗ୍ରାହକଙ୍କ ସଂଖ୍ୟା ୨.୩୭ କୋଟି ରହିଛି। ଫଳରେ ଦେଶରେ ମୋଟ ଟେଲିଫୋନ ଗ୍ରାହକଙ୍କ ସଂଖ୍ୟା ଗତ ନଭେମ୍ବରରେ ୧୧୯.୧୦ କୋଟି ଥିବାବେଳେ ଡିସେମ୍ବରରେ ଏହା ୧୧୭.୮୪ କୋଟିକୁ ହ୍ରାସ ପାଇଛି। ଏଥିଯୋଗୁ ଦେଶରେ ପ୍ରତି ୧୦୦ ଜଣରେ ଟେଲି‌ଫୋନ ବ୍ୟବହାରକାରୀ ସଂଖ୍ୟା ୮୫.୯୧କୁ ହ୍ରାସ ପାଇଛି। ଓଡ଼ିଶାରେ କିନ୍ତୁ ଟେଲିଫୋନ ବ୍ୟବହାର ସଂଖ୍ୟା ପ୍ରତି ୧୦୦ ଜଣରେ ୭୫.୮୫ ରହିଛି। ବିହାର, ଜମ୍ମୁ କାଶ୍ମୀର, ‌ଦିଲ୍ଲୀ ଏବଂ କେରଳ ବ୍ୟତୀତ ଅନ୍ୟ ସମସ୍ତ ଟେଲିକମ୍ ସର୍କଲରେ ମୋବାଇଲ ଫୋନ ଗ୍ରାହକଙ୍ କ ସଂଖ୍ୟା ହ୍ରାସ ପାଇଛି। ଓଡ଼ିଶାରେ ୦.୭୫ ପ୍ରତିଶତ ହ୍ରାସ ଘଟିଛି। ଓଡ଼ିଶାରେ ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୨୫ ଲକ୍ଷ ୧ ହଜାର ୪୩୮ କମି ୩ କୋଟି ୩୧ ଲକ୍ଷ ୭୫ ହଜାର ୬୬୬ ରହିଛି। ଏଥିରେ ଭାରତୀ ଏୟାରଟେଲ ଗ୍ରାହକ ସଂଖ୍ୟା ୧ କୋଟି ୧୦ ଲକ୍ଷ ୫୪ ହଜାର ୪୬୨, ରିଲାଏନ୍ସ କମୁନିକେସନ୍ସ ଗ୍ରାହକ ସଂଖ୍ୟା ୬୬, ଭୋଡାଫୋନ ଆଇଡିଆ ଗ୍ରାହକ ସଂଖ୍ୟା ୨୦ ଲକ୍ଷ ୨ ହଜାର ୭୮୦, ବିଏସଏନଏଲ ଗ୍ରାହକ ସଂଖ୍ୟା ୬୨ ଲକ୍ଷ ୩୦ ହଜାର ୩୯୦ ଏବଂ ରିଲାଏନ୍ସ ଜିଓ ଗ୍ରାହକ ସଂଖ୍ୟା ୧ କୋଟି ୩୮ ଲକ୍ଷ ୮୭ ହଜାର ୯୬୮ ରହିଛି। ମୋବାଇଲ ଫୋନ ସେବା ମହଙ୍ଗା ହେବା ସହିତ ନିଷ୍କ୍ରିୟ ଗ୍ରାହକଙ୍କୁ କମ୍ପାନି ଗୁଡ଼ିକ ବିଛିନ୍ନ କରୁଥିବା କାରଣରୁ ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ହ୍ରାସ ପାଇଥିବା କିଛି ବିଶେଷଜ୍ଞ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର