ମୋବାଇଲ୍‌ ଗ୍ରାହକ ସଂଖ୍ୟା ଲକ୍ଷେ ୬୨ ହଜାର ବଢ଼ିଲା

ଭୁବନେଶ୍ବର : ଲକ୍‌ଡାଉନ୍ ପରବର୍ତୀ ସମୟରେ ମୋବାଇଲ୍ ବଜାରରେ ଯେଉଁ ମାନ୍ଦା ସ୍ଥିତି ସୃଷ୍ଟି ହୋଇଥିଲା ତାହା ଏକ ପ୍ରକାର ଦୂର ହୋଇଛି। ମୋବାଇଲ୍ ଗ୍ରାହକ ସଂଖ୍ୟାରେ ପୁଣି ଥରେ ବୃଦ୍ଧି ଦେଖିବାକୁ ମିଳିଛି। ୨୦୨୦ ଡିସେମ୍ବରରେ ରାଜ୍ୟ ମୋବାଇଲ୍ ବଜାରରେ ୧,୬୨,୦୨୮ ନୂଆ ଗ୍ରାହକ ଯୋଡ଼ି ହୋଇଛନ୍ତି। ଫଳରେ ଓଡ଼ିଶାରେ ମୋଟ୍ ମୋବାଇଲ୍‌ ଗ୍ରାହକ ସଂଖ୍ୟା ଡିସେମ୍ବର ଶେଷ ସୁଦ୍ଧା ୩ କୋଟି ୩୫ ଲକ୍ଷ ୧୪ ହଜାର ୪୬୦ରେ ପହଞ୍ଚିଛି। ନଭେମ୍ବରରେ ସେମାନଙ୍କ ସଂଖ୍ୟା ୩ କୋଟି ୩୩ ଲକ୍ଷ ୫୨ ହଜାର ୬୧୨ ଥିଲା।

ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଶୁକ୍ରବାର ଜାରି କରିଥିବା ରିପୋର୍ଟ ଅନୁଯାୟୀ ଗତ ଡିସେମ୍ବରରେ ରାଜ୍ୟରେ ରିଲାଏନ୍ସ ଜିଓ ସର୍ବାଧିକ ୧,୯୮,୪୫୭ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ବିଏସ୍‌ଏନ୍‌ଏଲ୍‌ ୪୧,୪୯୨ ଓ ଭାରତୀ ଏୟାରଟେଲ୍‌ ୩୮୩୪ ନୂଆ ଗ୍ରାହକ ହାସଲ କରିଛନ୍ତି। ଭୋଡାଫୋନ୍ ଆଇଡିଆ ଏହି ମାସରେ ୮୧,୬୩୨ ଗ୍ରାହକଙ୍କୁ ହରାଇଛି। ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟରେ ଏୟାରଟେଲ୍‌ର ୧ କୋଟି ୮୫ ଲକ୍ଷ ୮ ହଜାର ୧୩୭, ଭୋଡାଫୋନ୍ ଆଇଡିଆର ୨୫ ଲକ୍ଷ ୩୬ ହଜାର ୨୫୧, ବିଏସ୍‌ଏନ୍‌ଏଲ୍‌ର ୬୪ ଲକ୍ଷ ୧୪ ହଜାର ୫୭ ଓ ରିଲାଏନ୍ସ ଜିଓର ୧ କୋଟି ୩୭ ଲକ୍ଷ ୫ ହଜାର ୯୭୬ ଜଣ ମୋବାଇଲ୍ ଗ୍ରାହକ ଅଛନ୍ତି। ପୋର୍ଟିଂ ଅନୁରୋଧରେ ମଧ୍ୟ ଡିସେମ୍ବରରେ ଉନ୍ନତି ହୋଇଛି। ନୂଆ ଗ୍ରାହକ ଯୋଡ଼ି ହେବା ପରେ ଓଡ଼ିଶାର ଟେଲି ସାନ୍ଧ୍ରତା ୭୬.୬୩ ପ୍ରତିଶତରେ ପହଞ୍ଚିଛି। ଅର୍ଥାତ ରାଜ୍ୟରେ ପ୍ରତି ୧୦୦ରେ ୭୬ ଜଣଙ୍କ ପାଖରେ ମୋବାଇଲ୍‌ ସଂଯୋଗ ରହିଛି। ଏକ୍ଷେତ୍ରରେ ଏବେବି ଓଡ଼ିଶା ଜାତୀୟ ହାର ୮୬.୩୮% ଠାରୁ ପଛରେ ରହିଛି। ଓଡ଼ିଶା ପଛକୁ କେବଳ ବିହାର, ଉତ୍ତରପ୍ରଦେଶ, ଆସାମ ଓ ମଧ୍ୟପ୍ରଦେଶ ରହିଛନ୍ତି।

ଜାତୀୟ ସ୍ତରରେ କିନ୍ତୁ ୨୦୨୦ ଡିସେମ୍ବରରେ ମୋବାଇଲ୍ ଗ୍ରାହକ ସଂଖ୍ୟା ୧୪ ଲକ୍ଷ ୨୧ ହଜାର ୩୬୮ ହ୍ରାସ ପାଇଛି। ଫଳରେ ମୋଟ୍ ଗ୍ରାହକ ସଂଖ୍ୟା ୧୧୫ କୋଟି ୩୭ ଲକ୍ଷ ୭୪ ହଜାର ୫୩୮କୁ ଖସିଆସିଛି। ଦେଶରେ ଭୋଡାଫୋନ୍ ଆଇଡିଆ ୫୬ ଲକ୍ଷ ୯୦ ହଜାର ୨୧୯ ଓ ବିଏସ୍‌ଏନ୍‌ଏଲ୍‌ ୨ ଲକ୍ଷ ୫୩ ହଜାର ୩୩୦ ଜଣ ଗ୍ରାହକ ହରାଇଛନ୍ତି। ସେହି ମାସରେ ଏୟାରଟେଲ୍‌ ୪୦ ଲକ୍ଷ ୫୧ ହଜାର ୭୫୦ ଓ ଜିଓ ୪ ଲକ୍ଷ ୭୮ ହଜାର ୯୧୭ ଜଣ ନୂଆ ଗ୍ରାହକ ଯୋଡ଼ିଛନ୍ତି। ପଞ୍ଜାବ, କର୍ଣ୍ଣାଟକ, ଦିଲ୍ଲୀ, ମଧ୍ୟପ୍ରଦେଶ ଓ ତାମିଲନାଡୁ ମଧ୍ୟ ଡିସେମ୍ବର ମାସରେ ଶହ ଶହ ଗ୍ରାହକ ହରାଇଛନ୍ତି।

ସମ୍ବନ୍ଧିତ ଖବର