ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ଘୋଷଣା କରିବା ପରେ ପ୍ରଥମ ଥର ଲାଗି ଦେଶରେ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ କରାଯାଇଥିଲା। ସମୟ ଗଡ଼ିବା ସହ ଏହି ବଡ଼ ନୋଟ୍‌ ବଜାରରୁ ଉଭାନ୍ ହେବାରେ ଲାଗିଲା। ଏବେ କାଁ ଭାଁ କେହି ୨୦୦୦ ଟଙ୍କିଆ ନୋଟ୍ ଦେଖିବାକୁ ପାଉଛନ୍ତି। ବଜାରରେ ଏବେ ଯେତିକି ପରିମାଣର ନୋଟ୍ ପ୍ରଚଳନରେ ରହିଛି ସେଥିରୁ ମାତ୍ର ୧.୭୫ ପ୍ରତିଶତ ହେଉଛି ୨୦୦୦ ଟଙ୍କିଆ ନୋଟ୍। ଏବେ ଦେଶରେ ୨୨୩.୩ କୋଟି ଖଣ୍ଡ ୨୦୦୦ ଟଙ୍କିଆ ରହିଛି।

Advertisment

୨୦୧୮ ମାର୍ଚ୍ଚ ବେଳକୁ ବଜାରରେ ୩୩୬.୩ କୋଟି ଖଣ୍ଡ ୨୦୦୦ ଟଙ୍କିଆ ଥିଲା। ଦେଶ ପାଇଁ କେଉଁ ନୋଟ୍‌ କେତେ ଦରକାର ତାହା ଭାରତ ସରକାର ଓ ରିଜର୍ଭ ବ୍ୟାଙ୍କ ପରସ୍ପର ସହ ଆଲୋଚନା କରି ନିଷ୍ପତ୍ତି ନେଇଥାନ୍ତି। ଲୋକମାନଙ୍କ ଆବଶ୍ୟକତାକୁ ନଜରରେ ରଖି ନୋଟ୍ ଛପା ଯାଇଥାଏ। ଅଧିକ ବ୍ୟବହାର ହେଉଥିବା ନୋଟ୍ ଅଧିକ ସଂଖ୍ୟାରେ ଛପାଯାଏ ବୋଲି ଆଜି ରାଜ୍ୟସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି। ୨୦୧୮-୧୯ ପରେ ନୂଆ ୨୦୦୦ ଟଙ୍କିଆ ନୋଟ୍ ଛପାଇବା ଲାଗି କୌଣସି ବରାଦ ଦିଆଯାଇନାହିଁ। ସେଥିପାଇଁ ଏହି ନୋଟ୍‌ର ସଂଖ୍ୟା ହ୍ରାସ ପାଇଥିବା ବେଳେ ତାହା ବଜାରରେ ଏକପ୍ରକାର ଅଦୃଶ୍ୟ ରହିଛି।