୧୪୨୮ଟି ସଇରାତରୁ ଉଠାଣ ଆରମ୍ଭ
ଅବଶିଷ୍ଟ ଉତ୍ସକୁ ନଭେମ୍ବରରେ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

Advertisment

ଭୁବନେଶ୍ବର : ରାଜ୍ୟରେ ଲଘୁ ଖଣି ସଇରାତ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଲଗାତାର ସମୀକ୍ଷା ଫଳରେ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୧୩୨ଟି ନୂଆ ଉତ୍ସ ଚିହ୍ନଟ ହୋଇଛି। ଫଳରେ ରାଜ୍ୟରେ ଲଘୁ ଖଣିଜ ସଇରାତ ସଂଖ୍ୟା ୪୭୬୭କୁ ବୃଦ୍ଧି ପାଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ଲଘୁ ଖଣିଜ ଦ୍ରବ୍ୟରୁ ରାଜସ୍ବ ସଂଗ୍ରହରେ ୧୨୪ ପ୍ରତିଶତ (୬୮୦ କୋଟି ଟଙ୍କା) ଅଭିବୃଦ୍ଧି ହାସଲ ହୋଇଛି। ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ଡିଜିଟାଲ ମୋଡ୍‌ରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି।

ଲୋକସେବା ଭବନରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଥିଲେ ବ୍ୟାପକ ପ୍ରଚେଷ୍ଟା ଯୋଗୁ ଚଳିତବର୍ଷ ଲଘୁ ଖଣିଜ ସଇରାତ ସଂଖ୍ୟାରେ ଏପରି ବୃଦ୍ଧି ଘଟିଛି। ଏଥିମଧ୍ୟରୁ ୧୪୨୮ଟି ସଇରାତରୁ ଲଘୁ ଖଣିଜ ଦ୍ରବ୍ୟ ଉଠାଣ କାର୍ଯ୍ୟ ଆରମ୍ଭ ହୋଇଛି। ଚଳିତମାସ ଶେଷ ସୁଦ୍ଧା ଅବଶିଷ୍ଟ ଉତ୍ସକୁ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟର ଉଠାଣ, ପରିବହନ ଏବଂ ଯୋଗାଣ ଆଦିର ବୃତ୍ତିଗତ ପରିଚାଳନା ଉପରେ ମୁଖ୍ୟ ସଚିବ ଗୁରୁତ୍ବାରୋପ କରିଥିଲେ। ଏଥିପାଇଁ ଲଘୁ ଖଣିଜ ନିର୍ଦ୍ଦେଶାଳୟର ଔଦ୍ୟୋଗିକ ଦକ୍ଷତା ଅଭିବୃଦ୍ଧି ପାଇଁ ଶ୍ରୀ ତ୍ରିପାଠୀ ନିର୍ଦେଶ ଦେଇଥିଲେ। ଲଘୁ ଖଣିଜ ଦ୍ରବ୍ୟର ଅବିରତ ଉପଲବ୍ଧତା ବଜାୟ ରଖିବା, ବର୍ତ୍ତମାନର ଆବଶ୍ୟକତା ପୂରଣ କରିବା, ବଜାର ଦରରେ ସ୍ଥିରତା ଆଣିବା ଏବଂ ରାଜସ୍ବ ସଂଗ୍ରହ ବୃଦ୍ଧି କରିବା ନିମନ୍ତେ ବୈଜ୍ଞାନିକ ପଦ୍ଧତି ଓ ବୈଷୟିକ କୌଶଳର ପ୍ରୟୋଗ କରିବା ପାଇଁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ପ୍ରମୁଖ ସଚିବ ଶ୍ରୀ ସେଠୀ କହିଥିଲେ, ଇତିମଧ୍ୟରେ ନଦୀ ଶଯ୍ୟାରେ ପ୍ରାୟ ୧୦୦ ଏକରର ୫ଟି ବାଲି ସଇରାତ ଚିହ୍ନଟ ହୋଇଛି। ଏଗୁଡ଼ିକ ମଧ୍ୟରୁ ୪ଟି ଯାଜପୁର ଏବଂ ଗୋଟିଏ ଅନୁଗୁଳ ଜିଲ୍ଲାର ରହିଛି। ମହାନଦୀ, ଋଷିକୁଲ୍ୟା, ସୁବର୍ଣ୍ଣରେଖା, ବୈତରଣୀ ଓ ବ୍ରାହ୍ମଣୀ ଆଦି ନଦୀଶଯ୍ୟା ମାନଙ୍କରେ ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ଉଠାଣ ଯୋଗ୍ୟ ବାଲି ସଇରାତ ଚିହ୍ନଟ କରିବା ପାଇଁ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ବୈଠକରେ ଜଳସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବାଲି ସଇରାତ ଚିହ୍ନଟ ସମୟରେ ନଦୀର ଜଳସ୍ରୋତ ଓ ପ୍ରାକୃତିକ ପରିବେଶ ସମନ୍ଧିତ ବିଷୟ ଉପରେ ଧ୍ୟାନ ଦେବାକୁ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଥିଲେ। ଆସନ୍ତା ୨ ମାସ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନଦୀଶଯ୍ୟା ବାଲି ସଇରାତ ଚିହ୍ନଟ ଶେଷ କରିବାକୁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା, ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ପୂର୍ତ୍ତ ସଚିବ କ୍ରିଷନ୍‌ କୁମାର, ଲଘୁ ଖଣିଜ ଦ୍ରବ୍ୟ ନିର୍ଦ୍ଦେଶକ ବିଭୂତି ଭୂଷଣ ଦାଶଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।