ନୂଆଦିଲ୍ଲୀ: ବିକ୍ରି ବଢ଼ାଇବା ଲାଗି ସଂଘର୍ଷ କରୁଥିବା ଦେଶର ଗାଡ଼ି ଶିଳ୍ପ ଲାଗି ଅକ୍ଟୋବର ମାସଟି ଏକ ଶୁଭ ସମୟ ସାବ୍ୟସ୍ତ ହୋଇଛି। ଏହା ଗାଡ଼ି ଡିଲରଙ୍କୁ ଉଲ୍ଲସିତ କରିଛି। ନବରାତ୍ରୀ, ଦଶହରା ଓ ଦୀପାବଳି ଗୋଟିଏ ମାସରେ ପଡ଼ିବାରୁ ଲୋକମାନେ ବିପୁଳ ପରିମାଣର ଗାଡ଼ି କିଣିଛନ୍ତି। ଗାଡ଼ି ଡିଲରମାନଙ୍କ ମହାସଂଘ ଏଫ୍ଏଡିଏ ତଥ୍ୟ ଅନୁସାରେ ଅକ୍ଟୋବରରେ ଦେଶରେ ୨୮ ଲକ୍ଷରୁ ଅଧିକ ଗାଡ଼ି ବିକ୍ରି ହୋଇଛି ଯାହା ୨୦୨୩ ଅକ୍ଟୋବରରେ ହୋଇଥିବା ବିକ୍ରି ତୁଳନାରେ ୩୨ ପ୍ରତିଶତ ଏବଂ ଚଳିତ ବର୍ଷ ସେପ୍ଟେମ୍ବରରେ ହୋଇଥିବା ବିକ୍ରି ତୁଳନାରେ ୬୪ ପ୍ରତିଶତ ଅଧିକ। ସବୁଠୁ ଖୁସିର ବିଷୟ ହେଉଛି ମୋଟରସାଇକଲ୍, ସ୍କୁଟରଠାରୁ ଆରମ୍ଭ କରି କାର୍, ବାଣିଜ୍ୟିକ ଯାନ ଓ ଟ୍ରାକ୍ଟର ପର୍ଯ୍ୟନ୍ତ ସବୁ ପ୍ରକାର ଗାଡ଼ିର ବିକ୍ରି ବଢ଼ିଛି। ଅକ୍ଟୋବରରେ ୨୮ ଲକ୍ଷ ୩୨ ହଜାର ୯୪୪ ଗାଡ଼ି ବିକ୍ରି ହୋଇଛି। ୨୦୨୩ ଅକ୍ଟୋବରରେ ତା’ଠାରୁ ଯଥେଷ୍ଟ କମ୍ ଅର୍ଥାତ ୨୧ ଲକ୍ଷ ୪୩ ହଜାର ୯୨୯ ଗାଡ଼ି ବିକ୍ରି ହୋଇଥିଲା। ଗାଡ଼ି ବିକ୍ରି ବଢ଼ାଇବାରେ ଗ୍ରାମାଞ୍ଚଳ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ିବା ପରେ ଚାଷୀ ପରିବାର ପାଖରେ ଅଧିକ ଟଙ୍କା ପହଞ୍ଚିଛି। ଯାହାକୁ ସେମାନେ ଗାଡ଼ି କିଣିବାରେ ବ୍ୟବହାର କରିଥିବା ଅନୁମାନ କରାଯାଉଛି। ଆଲୋଚ୍ୟ ମାସରେ କାର୍ ବିକ୍ରି ୩୨.୩୮ ପ୍ରତିଶତ ବୃଦ୍ଧି ପାଇ ୪,୮୩,୧୫୯ରେ ପହଞ୍ଚିଛି। ଏହି ମାସରେ ୨୦ ଲକ୍ଷ ୬୫ ହଜାର ୯୫ଟି ଦୁଇଚକିଆ ଯାନ ବିକ୍ରି ହୋଇଥିବା ବେଳେ ୧,୨୨,୮୪୬ ତିନିଚକିଆ ଯାନ ବିକ୍ରି ହୋଇଛି। ଟ୍ରାକ୍ଟର ବିକ୍ରି ୩ ପ୍ରତିଶତ ବୃଦ୍ଧି ପାଇ ୬୪,୪୩୩ରେ ପହଞ୍ଚିଛି।
ଏଫ୍ଏଡିଏର ସଭାପତି ସି ଏସ୍ ବିଗ୍ନେଶ୍ବର କହିଛନ୍ତି ଯେ ସାଧାରଣତଃ ଉତ୍ସବ ଋତୁରେ ବର୍ଷର ୩୦-୩୫ ପ୍ରତିଶତ କାରବାର ହୋଇଥାଏ। ତେଣୁ ଚଳିତ ବର୍ଷ ଅକ୍ଟୋବରରେ କିଭଳି ବେପାର ହେବ ତାହାକୁ ସାରା ଶିଳ୍ପ ଚାହିରହିଥିଲା। ଗ୍ରାହକଙ୍କ ଚାହିଦା ପୂରଣ କରିବା ଲାଗି କମ୍ପାନିଗୁଡ଼ିକ ଭରପୁର ଷ୍ଟକ୍ ରଖିଥିଲେ। ଏହି ମାସଟି ସେମାନଙ୍କୁ ନିରାଶ କରିନାହିଁ ବୋଲି ସେ କହିଛନ୍ତି। ଆକର୍ଷଣୀୟ ଉତ୍ସବ ଅଫର, ବଜାରରେ ନୂଆ ମଡେଲ୍ର ଗାଡ଼ି, ପସନ୍ଦ ପାଇଁ ଏକାଧିକ ବିକଳ୍ପ ବିକ୍ରି ବଢ଼ାଇବାରେ ସହାୟକ ହୋଇଛି। ଏସ୍ୟୁଭି ଭଳି ବଡ଼ ଗାଡ଼ିର ଚାହିଦା ବଜାୟ ରହିଛି। କିନ୍ତୁ ଡିଲରମାନଙ୍କ ପାଖରେ ଥିବା ଗାଡ଼ି ୭୫-୮୦ ଦିନ ଧରି ରହିଥିବାରୁ ଚଳିତ ବର୍ଷ ସାରା ରିହାତି ଦେବାକୁ ପଡ଼ିପାରେ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି। ଆଗକୁ ଆସୁଥିବା ସମୟ ଆହ୍ବାନପୂର୍ଣ୍ଣ ହୋଇପାରେ ବୋଲି ଏଫ୍ଏଡିଏ ପକ୍ଷରୁ ଆକଳନ କରାଯାଇଥିଲେ ମଧ୍ୟ ବିବାହ ଋତୁରେ ଗାଡ଼ି ବିକ୍ରି ବଢ଼ିବ ବୋଲି ଆଶା ପ୍ରକଟ କରାଯାଇଛି।