ଓଡ଼ିଆ ଯୁବକ ବିଶ୍ବାତ୍ମା ନାୟକଙ୍କ ‘ଚିଙ୍ଗାରି’

ବେଙ୍ଗାଲୁରୁ: ଟିକ୍‌ଟକ୍‌କୁ କେନ୍ଦ୍ର ସରକାର ନିଷିଦ୍ଧ ଘୋଷଣା କରିବା ପରେ ଯେଉଁ ଆପ୍‌କୁ ନେଇ ସର୍ବାଧିକ ଚର୍ଚ୍ଚା ଚାଲିଛି ତାହା ହେଉଛି ଚିଙ୍ଗାରି। ଏହି ଆପ୍‌କୁ ବିକଶିତ କରିବାରେ ଜଣେ ଓଡ଼ିଆ ଯୁବକଙ୍କ ପ୍ରମୁଖ ଭୂମିକା ରହିଛି। ସେ ହେଉଛନ୍ତି ବିଶ୍ବାତ୍ମା ନାୟକ। ବିଶ୍ବାତ୍ମାଙ୍କୁ ଯେତେବେଳେ ୧୯ ବର୍ଷ ହୋଇଥିଲା ସେ ବିଭିନ୍ନ ସମସ୍ୟାର ସମାଧାନ କିଭଳି ବାହାର କରାଯାଇପାରିବ ତାହା ଉପରେ ମନୋନିବେଶ କରିଥିଲେ। କୋଡିଂ ପ୍ରତି ତାଙ୍କର ଆଗ୍ରହ ସୃଷ୍ଟି ହୋଇଥିଲା। ସେହି ଆଗ୍ରହ ହିଁ ତାଙ୍କୁ ଚିଙ୍ଗାରି ଆପ୍ ବିକଶିତ କରିବା ଲାଗି ଉତ୍ସାହ ଦେଇଥିଲା।

କଟକ ଜିଲ୍ଲାର ଅଡ଼ଶପୁରରେ ଜନ୍ମ ଗ୍ରହଣ କରିଥିବା ବିଶ୍ବାତ୍ମା ବର୍ତ୍ତମାନ ବେଙ୍ଗାଲୁରୁ ସହରରେ ରହୁଛନ୍ତି। ଅଡ଼ଶପୁରର ପ୍ରାଚୀ ଏକାଡେମିରୁ ଦଶମ ଶ୍ରେଣୀ ଶିକ୍ଷା ‌ଶେଷ କରିବା ପରେ ସେ ରୟାଲ୍ କଲେଜ ଅଫ୍ ସାଇନ୍ସ ଆଣ୍ଡ୍‌ ଟେକ୍ନୋଲୋଜିରେ ଯୁକ୍ତ ଦୁଇ ପଢ଼ିଥିଲେ। ଏହା ପରେ ସୋଆ ବିଶ୍ବବିଦ୍ୟାଳୟର ଆଇଟିଇଆର୍‌ରେ ଇଞ୍ଜିନିୟରିଂ ଶିକ୍ଷା ଗ୍ରହଣ କରିଥିଲେ। ନିଜ ସାଥୀ ସିଦ୍ଧାର୍ଥ ଗୌତମଙ୍କ ସହ ମିଶି ସେ ଚିଙ୍ଗାରି ଆପ୍‌କୁ ବିକଶିତ କରିଛନ୍ତି। ଅନ୍ୟ ଜଣେ ସାଥୀ ସୁମିତ ଘୋଷଙ୍କୁ ନେଇ ୨୦୧୮ରେ କଂପାନି ସ୍ଥାପନ କରିଥିଲେ। ସେ କଂପାନିର ସିଇଓ ଦାୟିତ୍ବ ନିର୍ବାହ କରୁଥିବା ବେଳେ ସୁମିତ ମୁଖ୍ୟ ଉତ୍ପାଦ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଆଣ୍ଡ୍ରଏଡ୍‌ ପାଇଁ କାର୍ଯ୍ୟ କରିବାର ଦୀର୍ଘ ୮ ବର୍ଷର ଅଭିଜ୍ଞତା ବିଶ୍ବାତ୍ମାଙ୍କ ପାଖରେ ରହିଛି। ସେ ୧୦-୧୫ଟି ସୋସିଆଲ୍ ମିଡିଆ ପାଇଁ ଅଟୋମେସନ୍ ଟୁଲ୍‌ ଗଠନ କରିଛନ୍ତି। କଲେଜରେ ପଢ଼ିବା ଦିନରୁ ତାଙ୍କର କୋଡିଂ ପ୍ରତି ଆଗ୍ରହ ଥିଲା। ବୃତ୍ତି କ୍ଷେତ୍ରରେ ପ୍ରବେଶ କରିବାର ପ୍ରଥମ ବର୍ଷ ସେ ନିଜର ପ୍ରଥମ ସୋସିଆଲ୍ ମିଡିଆ ଆପ୍ ବିକଶିତ କରିଥି‌ଲେ। ସେତେବେଳେ ସେ ଟିକ୍‌ଟକ୍ ବିଷୟରେ ଜାଣିବାକୁ ପାଇଥିଲେ ଓ ସେଭଳି ଏକ ଆପ୍ ବିକଶିତ କରିବାକୁ ମନ ସ୍ଥିର କରିଥିଲେ। ଟିକ୍‌ଟକ୍‌ର ପ୍ରତିଦ୍ବନ୍ଦ୍ବୀ ଚିଙ୍ଗାରିକୁ ବିକଶିତ କରିବା ଲାଗି ତାଙ୍କୁ ୨ ବର୍ଷ ସମୟ ଲାଗିଥିଲା।

ସମ୍ବନ୍ଧିତ ଖବର