ଭୁବନେଶ୍ବର: ବିଦେଶରେ ରହି ମୋଟା ଅଙ୍କର ରୋଜଗାର କରୁଥିବା ଲୋକମାନେ ‌ସେହି ଅର୍ଥକୁ କେଉଁ ବାଟରେ ଖର୍ଚ୍ଚ କରନ୍ତି, ତାହା ଜାଣିବା ଲାଗି ଲୋକମାନଙ୍କ ମନରେ ଉତ୍ସୁକତା ରହିବା ସ୍ବାଭାବିକ। ଏହା ଉପରୁ ଜଣେ ବରିଷ୍ଠ ବ୍ୟାଙ୍କ ଅଧିକାରୀ ପରଦା ହଟାଇଛନ୍ତି। ବିଶେଷ କରି ଓଡ଼ିଶାରୁ ଯାଇ ବାହାରେ ରହୁଥିବା ଲୋକମାନେ ରାଜ୍ୟର ଷ୍ଟାର୍ଟଅପ୍, ରିଅଲ ଇଷ୍ଟେଟ୍‌ ଓ ମ୍ୟୁଚୁଆଲ୍ ଫଣ୍ଡ୍‌ରେ ନିବେଶ କରୁଥିବା ‌ସେ କହିଛନ୍ତି। ବହୁ ସମୃଦ୍ଧଶାଳୀ ଓଡ଼ିଆ ବିଦେଶରୁ ରାଜ୍ୟକୁ ପଠାଉଥିବା ରାଶିର ଏକ ବଡ଼ ଭାଗ ଷ୍ଟାର୍ଟଅପ୍‌ଗୁଡ଼ିକରେ ନିବେଶ କରାଯାଉଛି ବୋଲି ଷ୍ଟାଣ୍ଡାର୍ଡ ଚାର୍ଟର୍ଡର ପରିଚାଳନା ନିର୍ଦ୍ଦେକ (ପ୍ର‌ାଇଭେଟ୍ ବ୍ୟାଙ୍କ, ଏଫ୍ଲୁଏଣ୍ଟ ଆଣ୍ଡ୍‌ ଡିଷ୍ଟ୍ରିବ୍ୟୁସନ) ନୀତୀନ ଚେଙ୍ଗପା କହିଛନ୍ତି। 

Advertisment

ଆମେରିକା, କାନାଡା ଓ ମଧ୍ୟପ୍ରାଚ୍ୟରେ ରହୁଥିବା ଓଡ଼ିଆମାନେ ପ୍ରତିବର୍ଷ ବିପୁଳ ପରିମାଣର ପାଣ୍ଠି ଓଡ଼ିଶାକୁ ପଠାଉଛନ୍ତି। ତାହା ମୁଖ୍ୟତଃ ଷ୍ଟାର୍ଟଅପ୍‌, ଆଇଟି, ରିଅଲ ଇଷ୍ଟେଟ୍‌, ଶିକ୍ଷା ଓ ମ୍ୟୁଚୁଆଲ୍ ଫଣ୍ଡ୍‌ରେ ନିବେଶ କରାଯାଉଛି। ସେ କହିଛନ୍ତି ଯେ ପ୍ରବାସୀମାନେ ପଠାଉଥିବା ୩୫ ପ୍ରତିଶତ ରାଶି ରିଅଲ ଇଷ୍ଟେଟ୍‌ କ୍ଷେତ୍ରରେ ନିବେଶ ହେଉଛି। ଦ୍ବିତୀୟ ବଡ଼ ନିବେଶ କ୍ଷେତ୍ର ହେଉଛି ଇକ୍ବିଟି ବଜାର। ତେବେ ଭାରତରେ ଥିବା ଧନୀ ତଥା ସମୃଦ୍ଧଶାଳୀ ଲୋକମମାନେ ନିଜ ପାଣ୍ଠିକୁ ସିଙ୍ଗାପୁର ଓ ୟୁଏଇରେ ନିବେଶ କରିବାକୁ ପସନ୍ଦ କରୁଥିବା ସେ କହିଛନ୍ତି। ନିଜର ଦ୍ବିତୀୟ ଘର ଭାବେ ସେମାନେ ଦୁବାଇର ରିଅଲ ଇଷ୍ଟେଟ୍‌ରେ ନିବେଶ କରୁଛନ୍ତି। ଆମେରିକା, କାନାଡା ଓ ଅଷ୍ଟ୍ରେଲିଆକୁ ସେମାନେ ପଠାଉଥିବା ପାଣ୍ଠିର ଅଧିକାଂଶ ଭାଗ ପିଲାଙ୍କ ପାଠପଢ଼ା କିମ୍ବା ଭ୍ରମଣରେ ଖର୍ଚ୍ଚ ହେଉଛି। 

ଦେଶରେ ବୃଦ୍ଧି ପାଉଥିବା ସମୃଦ୍ଧଶାଳୀ ଲୋକଙ୍କ ସଂଖ୍ୟା ଉପରେ ଆଲୋକପାତ କରି ସେ କହିଛନ୍ତି ଯେ ୧-୫ ନିୟୁତ ଡଲାର ସମ୍ପତ୍ତିର ମାଲିକ ଥିବା ଲୋକଙ୍କୁ ଉଚ୍ଚ ସମ୍ପତ୍ତିର ଅଧିକାରୀ ବା ଏଚ୍‌ଏନ୍‌ଆଇ କୁହାଯାଉଛି। ସେମାନଙ୍କ ସଂଖ୍ୟା ଏବେ ୮ ଲକ୍ଷ ରହିଛି ଯାହା ତିନି ବର୍ଷ ମଧ୍ୟରେ ୧୭ ଲକ୍ଷକୁ ବୃଦ୍ଧି ପାଇବ। ସେହିପରି, ୩୦ ନିୟୁତ ଡଲାରରୁ ଅଧିକ ସମ୍ପତ୍ତିର ଅଧିକାରୀ ବା ୟୁଏଚ୍ଏନ୍‌ଏଆଇ କୁହାଯାଉଥିବା ଲୋକଙ୍କ ସଂଖ୍ୟା ଏହି ସମୟ ଭିତରେ ବର୍ତ୍ତମାନର ୧୦ହଜାରରୁ ବୃଦ୍ଧି ପାଇ ୧୯ହଜାର ହେବ ବୋଲି ଆକଳନ କରାଯାଇଛି।