ଭୁବନେଶ୍ବର: କେନ୍ଦ୍ର ବଜେଟ୍ ୨୦୨୦-୨୧ ଅନୁସାରେ କେନ୍ଦ୍ରୀୟ ଟିକସରେ ବାବଦରେ ଓଡ଼ିଶାକୁ ୩୬,୩୦୦ କୋଟି ଟଙ୍କା ମିଳିବ। ପଞ୍ଚଦଶ ଅର୍ଥ କମିସନଙ୍କ ଅନ୍ତରୀଣ ସୁପାରିସ ଯୋଗୁ ଓଡ଼ିଶା ଏଥର ୧୦୨ କୋଟି ଟଙ୍କା ହରାଇବ। ଯଦି ଚର୍ତୁଦଶ ଅର୍ଥ କମିସନଙ୍କ ସୁପାରିସ ଅନୁସାରେ ଟିକସ ଭାଗବଣ୍ଟା ହୋଇଥାନ୍ତା ତେବେ ଓଡ଼ିଶାକୁ ୩୬,୪୦୨ କୋଟି ଟଙ୍କା ମିଳିଥାନ୍ତା। ସିୱାଇଏସ୍ଡିର ଓଡ଼ିଶା ବଜେଟ୍ ଆଣ୍ଡ୍ ଆକାଉଣ୍ଟାବିଲିଟି ସେଣ୍ଟର୍ ପକ୍ଷରୁ କେନ୍ଦ୍ର ବଜେଟ୍ର କରାଯାଇଥିବା ବିଶ୍ଳେଷଣରୁ ଏହା ଜଣାପଡ଼ିଛି। ଆଜି ସିୱାଇଏସ୍ଡି ପରିସରରେ ଆୟୋଜନ କରାଯାଇଥିବା ବଜେଟ୍ ପରବର୍ତ୍ତୀ ଆଲୋଚନାଚକ୍ରରେ ଏହି ତଥ୍ୟ ଉପସ୍ଥାପନ କରାଯାଇଛି। ୨୦୧୬-୧୭ରେ କେନ୍ଦ୍ରୀୟ ଟିକସରେ ଓଡ଼ିଶାର ଭାଗ ୨୮,୬୦୨ କୋଟି ଟଙ୍କା ଥିଲା। ୨୦୧୭-୧୮ରେ ତାହା ୩୧,୨୭୨ କୋଟି ଟଙ୍କା, ୨୦୧୮-୧୯ରେ ୩୧,୪୭୭ କୋଟି ଟଙ୍କା ଓ ୨୦୧୯-୨୦ରେ ତାହା ୩୩,୧୮୬ କୋଟି ଟଙ୍କା ରହିଥିଲା। କିନ୍ତୁ ରାଜ୍ୟଗୁଡ଼ିକ ଭିତରେ ଭାଗବଣ୍ଟା କରିବା ଲାଗି କେନ୍ଦ୍ର ସରକାର ଯେତିକି ଟଙ୍କା ରଖିଛନ୍ତି ସେଥିରେ ଓଡ଼ିଶାର ଭାଗ ୪.୬୨୯%କୁ ହ୍ରାସ ପାଇଛି। ପଞ୍ଚଦଶ ଅର୍ଥ କମିସନଙ୍କ ଅନ୍ତରୀଣ ସୁପାରିସ ଯୋଗୁ ଏଭଳି ଘଟିଛି। ଚର୍ତୁଦଶ ଅର୍ଥ କମିସନଙ୍କ ସୁପାରିସ ଅନୁସାରେ ଓଡ଼ିଶାକୁ କେନ୍ଦ୍ରୀୟ ଟିକସ ଭାଗବଣ୍ଟାରୁ ୪.୬୪୨%ଅର୍ଥରାଶି ମିଳୁଥିଲା।
ଓଡ଼ିଶା ଉପରେ କେନ୍ଦ୍ର ବଜେଟ୍ର ଦୁଇଟି ପ୍ରମୁଖ ପ୍ରଭାବ ରହିଛି। ପ୍ରଥମଟି ହେଉଛି ରାଜ୍ୟଗୁଡ଼ିକ ସହ କେନ୍ଦ୍ର ଭାଗବଣ୍ଟା କରୁଥିବା ଟିକସ ଓ ଦ୍ବିତୀୟଟି ହେଉଛି ଅନୁଦାନ। ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟଗୁଡ଼ିକ ସହିତ ଟିକସ ଭାଗବଣ୍ଟା ଲାଗି ୭ ଲକ୍ଷ ୮ ହଜାର ୧୮୧ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଅନୁଦାନ ପାଇଁ ୧ ଲକ୍ଷ ୪୯ ହଜାର ୯୨୫ କୋଟି ଟଙ୍କା ରଖାଯାଇଛି। ଅନୁଦାନ ରାଶିର ଭାଗରେ ପ୍ରତିବର୍ଷ ବିଶେଷ ପରିବର୍ତ୍ତନ ହୁଏ ନାହିଁ। ମାତ୍ର କେନ୍ଦ୍ରୀୟ ଟିକସ ଭାଗବଣ୍ଟା ବେଳେ ହ୍ରାସ କିମ୍ବା ବୃଦ୍ଧି ଘଟିଥାଏ। ଅର୍ଥ କମିସନଙ୍କ ସୁପାରିସ ଆଧାରରେ କେନ୍ଦ୍ର ସରକାର ଟଙ୍କାର ଭାଗବଣ୍ଟା କରିଥାନ୍ତି। ଓଡ଼ିଶା ଏକ ରାଜସ୍ବ ବଳକା ରାଜ୍ୟ ହୋଇଥିବାରୁ ଅନୁଦାନ ରାଶି ବାବଦରେ ଯେଉଁ ଟଙ୍କା ମିଳିବା କଥା ତାହା ପାଇବ ନାହିଁ। ସ୍ବାୟତ ସଂସ୍ଥାଗୁଡ଼ିକ ବାବଦ ଅନୁଦାନ ମିଳିବ, ମାତ୍ର ନିୟୁତାଧିକ ଲୋକ ବାସ କରୁଥିବା ସହରାଞ୍ଚଳର ଅଭାବ ରହିଥିବାରୁ ସେବାବଦରେ ମିଳିବାକୁ ଥିବା ଟଙ୍କା ଓଡ଼ିଶା ପାଇବ ନାହିଁ। କେନ୍ଦ୍ର ସରକାର ଯେଉଁଭଳି ଭାବେ ସର୍ଚାର୍ଜ ଓ ସେସ୍ ଲାଗୁ କରି ଟିକସ ଆଦାୟ କରୁଛନ୍ତି ତାହା ଓଡ଼ିଶା ଭଳି ରାଜ୍ୟ ପାଇଁ କ୍ଷତିକାରକ ବୋଲି ଆଜିର କାର୍ଯ୍ୟକ୍ରମରେ ଭାଗ ନେଇଥିବା ବିଶେଷଜ୍ଞମାନେ କହିଛନ୍ତି। କାରଣ ଏଥିରୁ ଯେଉଁ ରାଜସ୍ବ ଆୟ ହୋଇଥାଏ ତାହାକୁ ରାଜ୍ୟଗୁଡ଼ିକ ସହ ଭାଗବଣ୍ଟା କରାଯାଏ ନାହିଁ ବୋଲି ସେମାନେ କହିଛନ୍ତି।
କେନ୍ଦ୍ର ବଜେଟ୍ରେ ସାମାଜିକ କ୍ଷେତ୍ରର ବ୍ୟୟବରାଦ ହ୍ରାସ କରାଯିବାକୁ ନେଇ ବିଶେଷଜ୍ଞମାନେ ଉଦ୍ବେଗ ପ୍ରକାଶ କରିଛନ୍ତି। କିଟ୍ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ୍ର ଡିନ୍ ପ୍ରଫେସର ଏସ୍ ଏନ୍ ମିଶ୍ର କହିଛନ୍ତି ଯେ, ସାମାଜିକ କ୍ଷେତ୍ରଗୁଡ଼ିକର ପ୍ରମୁଖ ଯୋଜନାର ବ୍ୟୟବରାଦ ହ୍ରାସ ଓଡ଼ିଶା ଭଳି ରାଜ୍ୟକୁ ପ୍ରଭାବିତ କରିବ। ସେହିପରି, ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ କହିଛନ୍ତି କେନ୍ଦ୍ର ସରକାର ଋଣକୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି। ବିତ୍ତୀୟ ପରିଚାଳନାରେ ଯଦି କୌଣସି ତ୍ରୁଟି ଦେଖାଦିଏ ତେବେ ଦେଶ ଋଣ ଯନ୍ତାରେ ପଡ଼ିଯାଇପାରେ ବୋଲି ବଜେଟ୍ରୁ ଆଭାସ ମିଳୁଥିବା ସେ କହିଛନ୍ତି। ଏହି ଅବସରରେ ଅକ୍ସଫାମ୍ ଇଣ୍ଡିଆର ପ୍ରୋଗ୍ରାମ୍ କୋଅର୍ଡିନେଟର ଡକ୍ଟର ପ୍ରଭାସ ମିଶ୍ର ଓ ସିୱାଇଏସ୍ଡିର ସହ ପ୍ରତିଷ୍ଠାତା ଜଗଦାନନ୍ଦ ଉପସ୍ଥିତ ଥିଲେ।