ପୁଞ୍ଜିନିବେଶ ଆକୃଷ୍ଟ କରିବାରେ ଓଡ଼ିଶା ତୃତୀୟ

ଭୁବନେଶ୍ୱର: ଦେଶରେ ବିଭିନ୍ନ ଘରୋଇ ଏବଂ ସରକାରୀ କମ୍ପାନିମାନେ ଦେଶରେ ଗତ ୫ ବର୍ଷ ମଧ୍ୟରେ ମୋଟ ୧୭୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିଛନ୍ତି। ୨୦୧୨ରୁ ୨୦୧୭ ମସିହା ମଧ୍ୟରେ ଏହି ନିବେଶ ହୋଇଛି। ଉକ୍ତ ନିବେଶ ଆକୃଷ୍ଟ କରିବାରେ ରାଜ୍ୟ ଗୁଡ଼ିକ ମଧ୍ୟରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ଓଡ଼ିଶା ମୋଟ ୧୩.୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆକୃଷ୍ଟ କରିଛି, ଯାହାକି ମୋଟ ନିବେଶର ୭.୪ ପ୍ରତିଶତ ବୋଲି ଶିଳ୍ପ ସଂଘ ଆସୋଚାମ୍‌ ପକ୍ଷରୁ ପ୍ରକାଶିତ ‘ଓଡ଼ିଶା- ଅର୍ଥନୈତିକ ଅଭିବୃଦ୍ଧି ଓ ନିବେଶ ପ୍ରଦର୍ଶନ ବିଶ୍ଳେଷଣ’ ଶୀର୍ଷକ ରିପୋର୍ଟରେ ଏହା କୁହାଯାଇଛି। ଅଧିକ  ପୁଞ୍ଜି ନିବେଶ ଆକୃଷ୍ଟ କରିଥିବା ରାଜ୍ୟ ଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର ପ୍ରଥମ ସ୍ଥାନରେ ରହିଥିବାବେଳେ ଗୁଜରାଟ ଦ୍ୱିତୀୟ ସ୍ଥାନରେ ରହିଛି। ମହାରାଷ୍ଟ୍ର ପ୍ରାୟ ୧୧ ପ୍ରତିଶତ ପୁଞ୍ଜି ଆକୃଷ୍ଟ କରିଥିବାବେଳେ ଗୁଜରାଟ ୮.୫ ପ୍ରତିଶତ ନିବେଶ ରାଶି ଆକୃଷ୍ଟ କରିଛି। ଏହି ରିପୋର୍ଟକୁ ଆଜି ଆସୋଚାମ୍‌ର ସଭାପତି ସଞ୍ଜୀବ ଜାଜୋଡ଼ିଆ ଏବଂ ଜାତୀୟ ଖଣି ଏବଂ ଖଣିଜ ପରିଷଦର ଅଧ୍ୟକ୍ଷ ଟି. କେ. ଚାନ୍ଦ ଏବଂ ମହାସଚିବ ଡି. ଏସ. ରାଓ୍ଵତ୍‌ ଉନ୍ମୋଚନ କରିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ରାଜ୍ୟକୁ ଆସି କାର୍ଯ୍ୟକାରୀ ହୋଇଥିବା ନିବେଶ ମଧ୍ୟରୁ ସର୍ବାଧିକ ୪୨.୫ ପ୍ରତିଶତ ନିବେଶ ମାନୁଫାକ୍‌ଚରିଂ କ୍ଷେତ୍ରକୁ ଆସିଛି। ଏହାପଛକୁ ପ୍ରାୟ ୩୧ ପ୍ରତିଶତ ବିଦ୍ୟୁତ୍‌, ୧୪ ପ୍ରତିଶତ ଅଣ ଆର୍ଥିକ ସେବା କ୍ଷେତ୍ରକୁ ଆସିଛି। ଓଡ଼ିଶା ଏକ ଖଣିଭିତ୍ତିକ ରାଜ୍ୟ ହୋଇଥିଲେ ମଧ୍ୟ ଏହି କ୍ଷେତ୍ରକୁ ମୋଟ ନିବେଶର ୯ ପ୍ରତିଶତ ଆସିଛି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ୨୦୧୬-୧୭ ଆର୍ଥିକବର୍ଷରେ ଓଡ଼ିଶାକୁ ଆସିଥିବା ଏବଂ କାର୍ଯ୍ୟକାରୀ ହୋଇଥିବା ନିବେଶର ଅଭିବୃଦ୍ଧି ହାର ୧୬.୫ ପ୍ରତିଶତ ରହିଛି। ସର୍ବଭାରତୀୟ ସ୍ତରରେ ଏହି ପ୍ରତିଶତ ମାତ୍ର ୪.୬ ପ୍ରତିଶତ ରହିଛି। ଏବେ ବି ରାଜ୍ୟରେ ୪୧୩ଟି ପ୍ରକଳ୍ପର ନିର୍ମାଣ ବିଭିନ୍ନ ପର୍ଯ୍ୟାୟରେ ରହିଛି। ଏଗୁଡ଼ିକରେ ମୋଟ ୬ ଲକ୍ଷ କୋଟି ଟଙ୍କାରୁ ଅଧିକ ରାଶି ନିବେଶ ହେବ ବୋଲି ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର