ଅଷ୍ଟ୍ରେଲିଆ ଉପରେ ଓଡ଼ିଆ ଉଦ୍ୟୋଗୀଙ୍କ ନଜର

ଭୁବନେଶ୍ବର: ଅଷ୍ଟ୍ରେଲିଆର ହୋଟେଲ୍, ପର୍ଯ୍ୟଟନ, ବନ୍ଦର ଓ ଶିକ୍ଷା କ୍ଷେତ୍ର ସହ ‌ଯୋଡ଼ି ହେବାକୁ ଓଡ଼ିଆ ଉଦ୍ୟୋଗୀମାନେ ଆଗ୍ରହ ପ୍ରକାଶ କରିଛନ୍ତି। ଅଷ୍ଟ୍ରେଲିଆ ବାଣିଜ୍ୟ ଦୂତାବାସର ବାଣିଜ୍ୟ ରାଷ୍ଟ୍ରଦୂତ ଆଣ୍ଡ୍ରିଉ ‌ଫୋର୍ଡଙ୍କ ସହ ଭାବ ବିନିମୟ ବେଳେ ସେମାନେ ନିଜ ଆଗ୍ରହକୁ ପ୍ରକାଶ କରିଛନ୍ତି।

ରାଜ୍ୟର ଶିକ୍ଷା, ବନ୍ଦର, ହସ୍‌ପିଟାଲ୍, ହୋଟେଲ୍‌ ଓ ପର୍ଯ୍ୟଟନ ଶିଳ୍ପରେ କାର୍ଯ୍ୟ କରୁଥିବା ସଂସ୍ଥାଗୁଡ଼ିକ ଅଷ୍ଟ୍ରେଲିଆରେ ଥିବା ସୁଯୋଗ ବିଷୟରେ ପଚାରି ବୁଝିଥିଲେ। ଡାକ୍ତରଙ୍କ ଫୋଲୋସିପ୍ ବିନିମୟ, ଛାତ୍ରଛାତ୍ରୀ ଓ ଫାକଲ୍‌ଟି ବିନିମୟକୁ ନେଇ ଅଷ୍ଟ୍ରେଲିଆରେ ଥିବା ସୁଯୋଗ ବିଷୟରେ ଶିକ୍ଷାନୁଷ୍ଠାନଗୁଡ଼ିକ ଜାଣିବାକୁ ଚାହିଥିଲେ। ସେହିପରି ଅଷ୍ଟ୍ରେଲିଆର ବନ୍ଦରଗୁଡ଼ିକରେ ମାଲ ପରିବହନ ଲାଗି ଯେଉଁ ସବୁ ବଡ଼ ବଡ଼ ମେସିନ୍ ଲାଗିଛି ତାହା ଓଡ଼ିଶାରେ ଥିବା ବନ୍ଦରଗୁଡ଼ିକ ପାଇଁ ଉପଲବ୍ଧ ହୋଇପାରିବ ନା ନାହିଁ ସେ ବିଷୟରେ ବନ୍ଦର କ୍ଷେତ୍ରରେ କାର୍ଯ୍ୟ କରୁଥିବା ଜଣେ ଅଧିକାରୀ ଜାଣିବାକୁ ଚାହିଥିଲେ। ଅଷ୍ଟ୍ରେଲିଆର ହୋଟେଲ୍ ଓ ପର୍ଯ୍ୟଟନ ଶିଳ୍ପରେ ଥିବା ସୁଯୋଗକୁ ହାତେଇବା ଲାଗି ଜଣେ ଖାତ୍ୟନାମା ଓଡ଼ିଆ ଉଦ୍ୟୋଗୀ ଆଗ୍ରହ ପ୍ରକାଶ କରିଥିଲେ।

ଆଜି ଶ୍ରୀ ଫୋର୍ଡଙ୍କ ସହ ଭାବ ବିନିମୟ ଲାଗି ଇଣ୍ଡିଆନ ଚାମ୍ବର ଅଫ କମର୍ସ (ଆଇସିସି) ତରଫରୁ ହୋଟେଲ୍‌ ମେ’ଫେୟାର ଲାଗୁନ୍‌ରେ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଓଡ଼ିଶାର ଉଦ୍ୟୋଗୀମାନେ ଅଷ୍ଟ୍ରେଲିଆର କେଉଁ କେଉଁ କ୍ଷେତ୍ରରେ ବ୍ୟବସାୟ ଲାଗି ସମ୍ଭାବନା ରହିଛି ତାହା ଜାଣିବାକୁ ଚାହିଥିଲେ। ଅଷ୍ଟ୍ରେଲୀୟ ସଂସ୍ଥା ଓ ଉଦ୍ୟୋଗୀଙ୍କ ସହ ସମ୍ପର୍କ ସ୍ଥାପନ କରିବାରେ ସହଯୋଗ କରିବାକୁ ସେମାନେ କୋଲକାତା ଠାରେ ଥିବା ଅଷ୍ଟ୍ରେଲିଆ କନ୍‌ସୁଲେଟ୍‌ ଜେନେରାଲ୍‌କୁ ଅନୁରୋଧ କରିଥିଲେ।

ଏହି ଅବସରରେ ଶ୍ରୀ ଫୋର୍ଡ କହିଛନ୍ତି ଯେ, ଏସିଆରେ ଭାରତ ହେଉଛି ଅଷ୍ଟ୍ରେଲିଆର ଏକ ପ୍ରମୁଖ ବ୍ୟବସାୟୀ ସହଯୋଗୀ। ୨୦୧୭ ସୁଦ୍ଧା ଭାରତରେ ଅଷ୍ଟ୍ରେଲିଆ ପକ୍ଷରୁ ୧୭୦୦ କୋଟି ଡଲାର ପୁଞ୍ଜିନିବେଶ କରାଯାଇଛି।‌ ସେହି ନିବେଶ ମାତ୍ରାକୁ ୨୦୩୫ ସୁଦ୍ଧା ୧୦,୦୦୦ କୋଟି ଡଲାରରେ ପହଞ୍ଚାଇବାକୁ ଅଷ୍ଟ୍ରେଲିଆ ଲକ୍ଷ୍ୟ ରଖିଛି। ଏବେ ଭାରତରେ ଅଷ୍ଟ୍ରେଲୀୟ ସଂସ୍ଥାଗୁଡ଼ିକ ବିଶେଷ କରି ଖଣି ଓ ଖଣିଜ କ୍ଷେତ୍ରରେ ଅଧିକ ସକ୍ରିୟ ରହିଛନ୍ତି। କିନ୍ତୁ ଆଗାମୀ ଦିନରେ ସେମାନେ ଖାଦ୍ୟ ପ୍ରକ୍ରିୟାକରଣ, ଶିକ୍ଷା, ପର୍ଯ୍ୟଟନ, ଦକ୍ଷତା ବିକାଶ, ସ୍ବାସ୍ଥ୍ୟ ସେବା, ବନ୍ଦର ଓ ଶକ୍ତି କ୍ଷେତ୍ରରେ ସହଯୋଗିତା ବଢ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି। ଭାରତ ପାଇଁ ଅଷ୍ଟ୍ରେଲିଆ ୧୦ଟି ଅଗ୍ରାଧିକାର କ୍ଷେତ୍ର ଓ ୧୦ଟି ଅଗ୍ରାଧିକାର ରାଜ୍ୟ ମଧ୍ୟ ଚିହ୍ନଟ କରିଛି ବୋଲି ଶ୍ରୀ ଫୋର୍ଡ କହିଛନ୍ତି। ଓଡ଼ିଶାର ଯେଉଁ ଉଦ୍ୟୋଗୀ ଅଷ୍ଟ୍ରେଲିଆରେ ନିବେଶ କରିବାକୁ ଚାହିବେ ଆମେ ସେମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିବଦ୍ଧ ବୋଲି ସେ କହିଛନ୍ତି। ଏହି ଅବସରରେ ଅଷ୍ଟ୍ରେଲିଆ ଟ୍ରେଡ୍‌ କମିସନ୍‌ର ବିଜ୍‌ନେସ୍‌ ଡେଭେଲପ୍‌ମେଣ୍ଟ୍‌ ମ୍ୟାନେଜର ପାର୍ଥ ସେନ୍ କହିଛନ୍ତି ଯେ, ଭାରତ ସହିତ ଆମେ କେବଳ ବାଣିଜ୍ୟ ନୁହେଁ, ସାଂସ୍କୃତିକ, ଅର୍ଥନୈତିକ ଓ କୂଟନୈତିକ କ୍ଷେତ୍ରରେ ସମ୍ପର୍କକୁ ମଜବୁତ କରିବା ଉପରେ କାମ କରୁଛୁ। ଆମେ ଭିତ୍ତିଭୂମି, ଫିନ୍‌ଟେକ୍, ଅକ୍ଷୟ ଶକ୍ତି, ଶିଳ୍ପ ପାର୍କ ଭଳି ନୂଆ କ୍ଷେତ୍ରରେ ସୁଯୋଗ ସନ୍ଧାନ କରୁଛୁ। ଏହି ଅବସରରେ ଆଇସିସି ଓଡ଼ିଶା ରାଜ୍ୟ ପରିଷଦର ସହ-ଅଧ୍ୟକ୍ଷ ଜେ ବି ପାଣି ଓ ଆମ୍ରି ହସ୍ପିଟାଲ୍ ଭୁବନେଶ୍ବରର ଏଭିପି ନିରଞ୍ଜନା ମୁଖାର୍ଜୀ ଓ ଓଡ଼ିଶାର ବିଶିଷ୍ଠ ଉଦ୍ୟୋଗୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର