ଭୁବନେଶ୍ବର: ଭୌଗୋଳିକ ସ୍ଥିତି, ଦକ୍ଷ ମାନବ ସମ୍ବଳ, ଲଜିଷ୍ଟିକ୍ସ ଭିତ୍ତିଭୂମି ଦୃଷ୍ଟିରୁ ଦେଶର ପେଟ୍ରୋକେମିକାଲ୍‌ସ ହବ୍ ହେବା ଲାଗି ଓଡ଼ିଶା ପାଖରେ ବ୍ୟାପକ ସୁଯୋଗ ରହିଛି ବୋଲି କେନ୍ଦ୍ର ରସାୟନ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ୍‌ କହିଛନ୍ତି। କେନ୍ଦ୍ର ରସାୟନ ଓ ପେଟ୍ରୋକେମିକାଲ୍‌ସ ମନ୍ତ୍ରଣାଳୟ ଓ ଫିକିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଶିଳ୍ପ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଦେଶର ମାନୁଫାକରିଂ, ରପ୍ତାନି ଓ ନିଯୁକ୍ତି ପ୍ରତି ପେଟ୍ରୋକେମିକାଲ୍ କ୍ଷେତ୍ର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଉଛି। ବର୍ତ୍ତମାନ ଏହି ଶିଳ୍ପ ପରିମାଣ ୨୨,୦୦୦ କୋଟି ଡଲାର ଥିବା ବେଳେ ୨୦୪୭ ସୁଦ୍ଧା ତାହା ୧ ଲକ୍ଷ କୋଟି ଡଲାରରେ ପହଞ୍ଚିବା ଆଶା କରାଯାଉଛି ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମକୁ ସମ୍ବୋ‌ଧିତ କରି ରାଜ୍ୟ ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ କହିଛନ୍ତି ଯେ ସରକାରଙ୍କ ଅନୁକୂଳ ନୀତି ଓ ପ୍ରୋତ୍ସାହନ ଯୋଗୁଁ ପେଟ୍ରୋକେମିକାଲ୍‌ କ୍ଷେତ୍ରରେ ବ୍ୟାପକ ନିବେଶ ହୋଇଛି। ଶିଳ୍ପ ଚାହିଦା ପୂରଣ କରିବା ଲାଗି ରାଜ୍ୟରେ ଦକ୍ଷ ମାନବ ସମ୍ବଳ ବିକାଶ କରାଯାଉଛି। 

Advertisment

ଚଳିତ ବର୍ଷ ଅକ୍ଟୋବର ୧୭ରୁ ୧୯ ପର୍ଯ୍ୟନ୍ତ ମୁମ୍ବାଇର ବମ୍ବେ ଏକ୍‌ଜିଭିସନ୍ ସେଣ୍ଟରରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡିଆକେମ୍‌ ୨୦୨୪ ସମ୍ମିଳନୀକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେଥିରେ ଓଡ଼ିଶାରୁ ୪୦ରୁ ଅଧିକ କମ୍ପାନି ଓ ଶିଳ୍ପ ସଂଘ ଅଂଶଗ୍ରହଣ କରିବା ଆଶା କରାଯାଉଛି। ଇଣ୍ଡିଆକେମ୍‌ରେ ଦେଶବିଦେଶର ୨୦୦ରୁ ଅଧିକ କମ୍ପାନି, ୭୦୦୦ ପରିଦର୍ଶକ ଏବଂ ଜାପାନ, ଦକ୍ଷିଣ କୋରିଆ, ବ୍ରାଜିଲ, ଆର୍ଜେଣ୍ଟିନା ଓ ୟୁଏଇର ପ୍ରତିନିଧି ଅଂଶଗ୍ରହଣ କରିବା ଆଶା କରାଯାଉଛି। ଏହି ଅବସ‌ରରେ କେନ୍ଦ୍ର ରସାୟନ ମନ୍ତ୍ରଣାଳୟର ସଚିବ ନିବେଦିତା ଶୁକ୍ଳା ବର୍ମା, ଯୁଗ୍ମ ସଚିବ ଦୀପଙ୍କର ଆରୋନ୍, ରାଜ୍ୟ ମୁଖ୍ୟ ସଚିବ ମନୋଜ ଆହୁଜା, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଫିକିର ଜାତୀୟ ପେଟ୍ରୋକେମିକାଲ୍‌ସ କମିଟିର ସହ ଅଧ୍ୟକ୍ଷ ଅରବିନ୍ଦର ସିଂହ ସାହାଣୀ ଓ ଫିକି ଓଡ଼ିଶାର ଅଧ୍ୟକ୍ଷ ପଙ୍କଜ ସତିଜା ମଧ୍ୟ ବକ୍ତବ୍ୟ ରଖିଥିଲେ।