ଭୁବନେଶ୍ବର: ଦୀର୍ଘଦିନର ବ୍ୟବଧାନ ପରେ ରାଜ୍ୟର ଦରଦାମ୍ ସ୍ଥିତି ନିୟନ୍ତ୍ରଣକୁ ଆସିଛି। ଜାତୀୟ ବଜାରଠାରୁ ଓଡ଼ିଶାରେ ଦରଦାମ୍ କମ୍ ହୋଇଛି। କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟ କହୁଛି ଯେ ଚଳିତ ବର୍ଷ ମାର୍ଚ୍ଚରେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ହାର ୩.୧ ପ୍ରତିଶତକୁ ହ୍ରାସ ପାଇଛି। ତାହା ଜାତୀୟ ହାର ୩.୩୪ ପ୍ରତିଶତଠାରୁ କମ୍। ଜାତୀୟ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି ପାଞ୍ଚ ବର୍ଷର ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି। ଲୋକମାନେ ନିଜ ଦୈନନ୍ଦୀନ ଜୀବନରେ ବ୍ୟବହାର କରୁଥିବା ସାମଗ୍ରୀଗୁଡ଼ିକର ଖୁଚୁରା ମୂଲ୍ୟରେ ହେଉଥିବା ପରିବର୍ତ୍ତନକୁ ଦର୍ଶାଇବା ଲାଗି କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ ପ୍ରତି ମାସରେ ମୁଦ୍ରାସ୍ଫୀତି ତଥ୍ୟ ଜାରି କରୁଛନ୍ତି।
୨୦୨୪ ଡିସେମ୍ବରରେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ହାର ୬.୯୬ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ଥିଲା। ସେଥିପାଇଁ କେନ୍ଦ୍ର ସରକାର ଉଦ୍ବେଗ ପ୍ରକାଶ କରିବା ସହ ଦର ନିୟନ୍ତ୍ରଣ ଲାଗି ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କୁ ଚିଠି ଲେଖିଥିଲେ। ୨୦୨୫ ଜାନୁଆରି ପରଠାରୁ ରାଜ୍ୟରେ ଦରଦାମ୍ ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେବା ଆରମ୍ଭ ହୋଇଥିଲା। ଜାନୁଆରିରେ ରାଜ୍ୟର ମୁଦ୍ରାସ୍ଫୀତି ହାର ୬.୦୫ ପ୍ରତିଶତକୁ ଖସିଥିଲା। ସର୍ବାଧିକ ସୁଧାର ଫେବ୍ରୁଆରିରେ ଘଟିଥିଲା। ଏହି ମାସରେ ମୁଦ୍ରାସ୍ଫୀତି ୩.୮୬ ପ୍ରତିଶତକୁ ହ୍ରାସ ପାଇଥିଲା। ମାର୍ଚ୍ଚରେ ତାହା ଆଉ କିଛି ପାହାଚ ତଳକୁ ଖସିଥିବାରୁ ଖାଉଟିଙ୍କୁ ଆବଶ୍ୟକ ଆଶ୍ବସ୍ତି ମିଳିଥିବା ଅନୁମାନ କରାଯାଉଛି।
ଫେବ୍ରୁଆରି ତୁଳନାରେ ମାର୍ଚ୍ଚରେ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମୁଦ୍ରାସ୍ଫୀତିରେ ସୁଧାର ଘଟିଛି। ଏହି ସମୟରେ ସହରାଞ୍ଚଳ ମୁଦ୍ରାସ୍ଫୀତି ୨.୭୫ ପ୍ରତିଶତରୁ ହ୍ରାସ ପାଇ ୨.୬୫ ପ୍ରତିଶତ ହୋଇଛି। ସେହିପରି, ଗ୍ରାମୀଣ ମୁଦ୍ରାସ୍ଫୀତି ୪.୩୦ ପ୍ରତିଶତରୁ ହ୍ରାସ ପାଇ ୩.୪୪ ପ୍ରତିଶତ ହୋଇଛି। ରାଜ୍ୟର ସହରାଞ୍ଚଳରେ ଦରଦାମ୍ ଜାତୀୟ ହାର ୩.୪୩ ପ୍ରତିଶତଠାରୁ ଉନ୍ନତ ଥିବା ବେଳେ ଗ୍ରାମାଞ୍ଚଳରେ କିନ୍ତୁ ତାହା ଜାତୀୟ ହାର ୩.୨୫ ପ୍ରତିଶତଠାରୁ ସାମାନ୍ୟ ଅଧିକ ରହିଛି। ତେଣୁ, ଗ୍ରାମାଞ୍ଚଳରେ ଦରଦାମ୍ ନିୟନ୍ତ୍ରଣ ଲାଗି ଆହୁରି ଠୋସ୍ ପଦକ୍ଷେପର ଆବଶ୍ୟକତା ଥିବା ଏହି ତଥ୍ୟ ଦର୍ଶାଉଛି। କେନ୍ଦ୍ର ସରକାର ଆଜି ପାଇକାରୀ ମୁଦ୍ରାସ୍ପୀତି ତଥ୍ୟ ମଧ୍ୟ ଜାରି କରିଛନ୍ତି। ଖାଦ୍ୟ ସାମଗ୍ରୀ ଓ ଇନ୍ଧନ ଶସ୍ତା ହୋଇଥିବାରୁ ମାର୍ଚ୍ଚରେ ପାଇକାରୀ ମୁଦ୍ରାସ୍ଫୀତି ହାର ୨.୦୫ ପ୍ରତିଶତକୁ ହ୍ରାସ ପାଇଛି। ଚଳିତ ବର୍ଷ ଫେବ୍ରୁଆରିରେ ତାହା ୨.୩୮ ପ୍ରତିଶତ ଥିଲା। ମାର୍ଚ୍ଚରେ ଉଭୟ ପାଇକାରୀ ଓ ଖୁଚୁରା ବଜାରରେ ଦରଦାମ୍ କମ୍ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/16/YQqI4ECRWNfAYKVA8fbW.jpg)