ଶକ୍ତି କ୍ଷେତ୍ର ପାଇଁ ପ୍ୟାକେଜ୍ ମାଗିଲା ଓଡ଼ିଶା, କେନ୍ଦ୍ର ଶକ୍ତି ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ସଚିବ

କୋଇଲା‌ ଦାମ୍ ହ୍ରାସ କରାଯାଉ, କାପାସିଟି, ସରବରାହ ଚାର୍ଜ ୫୦% ହ୍ରାସ ପାଉ, ଋଣ, ସୁଧ ଉପରେ ୩ ମାସର ମୋରାଟୋରିଅମ୍ ମିଳୁ

ଭୁବନେଶ୍ବର : କରୋନା ଭୂତାଣୁ ବ୍ୟାପିବା ପରେ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଶକ୍ତି କ୍ଷେତ୍ର ଲାଗି ଆର୍ଥିକ ପ୍ୟାକେଜ୍ ଘୋଷଣା କରିବାକୁ ରାଜ୍ୟ ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ କେନ୍ଦ୍ର ଶକ୍ତି ସଚିବ ସଞ୍ଜୀବ ନନ୍ଦନ ସହାଇଙ୍କୁ ଚିଠି ଲେଖିଛନ୍ତି। ଏଥି ସହିତ ଶକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଥିବା କଂପାନିଗୁଡ଼ିକ ଲାଗି ଛଅ ମାସ କିମ୍ବା ସମ୍ପୂର୍ଣ୍ଣ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅନେକ ବ୍ୟବସ୍ଥା ଓ ଶୁଳ୍କକୁ କୋହଳ କରିବାକୁ ଓଡ଼ିଶା ପରାମର୍ଶ ଦେଇଛି।

କରୋନାକୁ ନେଇ ସୃଷ୍ଟି ହୋଇଥିବା ସ୍ଥିତିରେ ସୁଧାର ନହେବା ପର୍ଯ୍ୟନ୍ତ କୋଇଲା ମୂଲ୍ୟକୁ କମ୍ କରିବା ଏବଂ କୌଣସି ପ୍ରକାର ପରିଚାଳନା ଖର୍ଚ୍ଚ ଲାଗୁ କରାନଯାଉ ବୋଲି ଓଡ଼ିଶା ଚାହୁଛି। କୋଇଲା ଉତ୍ପାଦନ କରୁଥିବା କଂପାନିଗୁଡ଼ିକ କେବଳ ଉତ୍ପାଦନ ଖର୍ଚ୍ଚ ଆଧାରରେ କୋଇଲା ଯୋଗାଇ ଦିଅନ୍ତୁ। ବିଭିନ୍ନ ପ୍ରକାର ଲିଙ୍କେଜ୍ ଉପରେ ଲାଗୁ କରାଯାଉଥିବା ପ୍ରିମିୟମ୍‌କୁ ପରବର୍ତ୍ତୀ ଛଅ ମାସ ପର୍ଯ୍ୟନ୍ତ ବନ୍ଦ କରିବାକୁ କୁହାଯାଇଛି। ଅଗ୍ରୀମ ରାଶି ଜମା ବିନା ଯେଭଳି କୋଇଲା କଂପାନି ଓ ରେଳବାଇ କୋଇଲା ଯୋଗାଣ ଜାରି ରଖିବେ ସେଥିପାଇଁ ନିର୍ଦେଶ ଦେବାକୁ ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି।

କାପାସିଟି ଚାର୍ଜ ଓ ଫିକ୍ସଡ୍‌ ଚାର୍ଜରେ ୫୦ ପ୍ରତିଶତ ହ୍ରାସ କରିବା ପାଇଁ କୁହାଯାଇଛି। ଏହା ଦ୍ବାରା ଯେଉଁ ଆର୍ଥିକ କ୍ଷତି ହେବ ତାହାକୁ ପରବର୍ତି ପାଞ୍ଚ ବର୍ଷରେ ଆଦାୟ କରିବାର ବ୍ୟବସ୍ଥା କରିବା ଲାଗି ପରାମର୍ଶ ଦିଆଯାଇଛି। ଫ୍ଲୁ ଗ୍ୟାସ୍‌ ଡିସଲ୍‌ଫରାଇଜେସନ୍ ପ୍ଲାଣ୍ଟ୍‌ ସ୍ଥାପନ କରିବାର ସମୟ ସୀମାକୁ ଅତି କମ୍‌ରେ ଦୁଇ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ରାଜ୍ୟ ସରକାର ଚିଠିରେ ଅନୁରୋଧ କରିଛନ୍ତି।

ବିଦ୍ୟୁତ ସରବରାହ ଚାର୍ଜକୁ ଅତି କମ୍‌ରେ ଛଅ ମାସ କିମ୍ବା ୨୦୨୦-୨୧ ଆର୍ଥିକ ବର୍ଷରେ ୫୦% ହ୍ରାସ କରିବା ଲାଗି ଓଡ଼ିଶା କହିଛି। ବିଦ୍ୟୁତ ଉତ୍ପାଦନକାରୀ ଏବଂ ସରବରାହ କରୁଥିବା ସଂସ୍ଥା ଠାରୁ ବିଳମ୍ବିତ ପେମେଣ୍ଟ୍‌ ପାଇଁ ଆଦାୟ କରୁଥିବା ସରଚାର୍ଜକୁ କୋହଳ କରିବା ପାଇଁ ମଧ୍ୟ ଆହ୍ବାନ ଦିଆଯାଇଛି।

ଓଡ଼ିଶା କହିଛି ଯେ, ବିଦ୍ୟୁତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସବୁ ପ୍ରକାର କଂପାନିଗୁଡ଼ିକୁ ପାୱାର ଫାଇନାନ୍ସ କର୍ପୋରେସନ, ରୁରାଲ ଇଲେକ୍‌ଟ୍ରିଫିକେସନ କର୍ପୋରେସନ ଓ ବ୍ୟାଙ୍କଗୁଡ଼ିକ ରିହାତି ଦର‌ରେ ଋଣ ପ୍ରଦାନ କରନ୍ତୁ। ବକେୟା ଋଣ ଓ ସୁଧ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୩ ମାସର ମୋରାଟୋରିଅମ ଘୋଷଣା କରୁ। ବର୍ତ୍ତମାନ ସୁଲଭ ମୂଲ୍ୟରେ ମିଳୁଥିବା ବିଦ୍ୟୁତକୁ ରାଜ୍ୟଗୁଡ଼ିକ ଯେଭଳି କିଣିପାରିବେ ସେଥିପାଇଁ ଅକ୍ଷୟ ଶକ୍ତି ପ୍ରକଳ୍ପରୁ ବାଧ୍ୟତାମୂଳକ ଭାବେ ବିଦ୍ୟୁତ କିଣିବା ଲାଗି ଯେଉଁ ନୀତି ରହିଛି ତାହାକୁ କୋହଳ କରାଯାଉ ବୋଲି ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ଚିଠିରେ ଅବଗତ କରିଛନ୍ତି।

ସମ୍ବନ୍ଧିତ ଖବର