ଓଡ଼ିଶାର ଦାବି କୋଇଲା ରୟାଲିଟି ସଂଶୋଧନ

ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କ ସହ ପ୍ରାକ୍‌-ବଜେଟ୍‌ ଆଲୋଚନା

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଆଜି ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀମାନଙ୍କ ସହିତ ପ୍ରାକ୍‌ ବଜେଟ୍‌ ଆଲୋଚନା କରିଛନ୍ତି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶା ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଯୋଗଦେଇ କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉତ୍‌ଥାପିତ କରିଛନ୍ତି। ଏଥିମଧ୍ୟରେ ତୁରନ୍ତ କୋଇଲା ରୟାଲିଟି ସଂଶୋଧନ ଦାବି ଅନ୍ତର୍ଭୁକ୍ତ। ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ପ୍ରତି ୩ ବର୍ଷରେ ଥରେ କୋଇଲା ରୟାଲିଟି ସଂଶୋଧନ ନିୟମ ରହିଛି। ୨୦୧୫ ମସିହାରୁ କୋଇଲା ରୟାଲିଟି ଏଯାବତ୍‌ ସଂଶୋଧନ ହୋଇନାହିଁ। ଫଳରେ ଓଡ଼ିଶା କୋଇଲା ରୟାଲିଟି ବାବଦରେ ବିପୁଳ ପରିମାଣର ଅର୍ଥ ହରାଉଛି। ତୁରନ୍ତ ଏହାର ସଂଶୋଧନ କରିବାକୁ ସେ ଦାବି କରିଥିଲେ।

ଏତଦ୍‌ବ୍ୟତୀତ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିକୁ କେନ୍ଦ୍ର ସରକାର ଅଧିକ ଅର୍ଥ ଯୋଗାଇ ଦେବା ସହିତ ଠିକଣା ସମୟରେ କୃଷକମାନଙ୍କ ଋଣ ଭରଣା କରିବାକୁ ନାବାର୍ଡ ଅଧୀନରେ ଏକ ଟ୍ରଷ୍ଟ ପାଣ୍ଠି ଗଠନ ଉପରେ ଶ୍ରୀ ବେହେରା ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟ ବିପର୍ଯ୍ୟୟ ପାଣ୍ଠିକୁ କେନ୍ଦ୍ର ଦେଉଥିବା ୭୫ ପ୍ରତିଶତ ଅର୍ଥକୁ ବୃଦ୍ଧି କରାଯାଇ ୯୦ ପ୍ରତିଶତ କରିବାକୁ ସେ ଦାବି କରିଛନ୍ତି। ଜିଏସ୍‌ଟି କାର୍ଯ୍ୟକାରୀ ହେଲେ ଉପରୋକ୍ତ ଅନୁପାତରେ ଅର୍ଥ ଯୋଗାଇ ଦିଆଯିବ ବୋଲି ଚତୁର୍ଦଶ ଅର୍ଥ ଆୟୋଗ ସୁପାରିସ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇନାହିଁ। ମନ୍ତ୍ରୀ ଶ୍ରୀ ବେହେରା ଏହା ମଧ୍ୟ କହିଛନ୍ତି, କେନ୍ଦ୍ର ସରକାର ସଂଗୃହୀତ ଟିକସର ରାଜ୍ୟ ଭାଗ ପ୍ରତିମାସର ୧ ତାରିଖ ବଦଳରେ ୧୫ ତାରିଖରେ ଦେବା ପାଇଁ ସ୍ଥିର କରିବା ଯଥାର୍ଥ ନୁହେଁ। ଏହି ଟିକସ ଭାଗ ପ୍ରଦାନ ପାଇଁ ପ୍ରତିମାସର ୧ ତାରିଖକୁ ସୁନିଶ୍ଚିତ କରିବା ପଦକ୍ଷେପ ନେବାକୁ ଶ୍ରୀ ବେହେରା ମତ ରଖିଛନ୍ତି। ଯେଉଁସବୁ ଯୋଜନା ନିମନ୍ତେ କେନ୍ଦ୍ର ସରକାର ଅର୍ଥ ଦେଉଛନ୍ତି, ସେ ବାବଦରେ ନିର୍ଦିଷ୍ଟ ଭାବରେ ସହାୟତା ରାଶି ପରିମାଣ ଆଗତୁରା ଜଣାଇବାକୁ ମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ଏହାହେଲେ ରାଜ୍ୟର ଯୋଜନା ରୂପାୟନ କ୍ଷେତ୍ରରେ ଅସଙ୍ଗତି କିମ୍ବା ଜଟିଳତା ଦେଖାଦେବ ନାହିଁ ବୋଲି ସେ କହିଛନ୍ତି। ରେଳବାଇ କ୍ଷେତ୍ରରେ ଓଡ଼ିଶା ପ୍ରତି କେନ୍ଦ୍ରର ଉଦାସୀନ ମନୋଭାବକୁ ମଧ୍ୟ ମନ୍ତ୍ରୀ ଆଜିର ବୈଠକରେ ଉତ୍‌ଥାପିତ କରିଥିଲେ। ସେ କହିଥିଲେ ରେଳବାଇ ଓଡ଼ିଶାରୁ ବର୍ଷକୁ ୧୭ ହଜାର କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରୁଛି। ରେଳପଥର ବିସ୍ତାର କ୍ଷେତ୍ରରେ ଓଡ଼ିଶା ପଛରେ ପଡ଼ିଛି। ପଶ୍ଚିମବଙ୍ଗରେ ୪୩ ପ୍ରତିଶତ, ଝାଡ଼ଖଣ୍ଡରେ ୨୪ ପ୍ରତିଶତ ରେଳପଥ ବିସ୍ତାର ହୋଇଥିବାବେଳେ ଓଡ଼ିଶାରେ ଏହା ମାତ୍ର ୧୫ ପ୍ରତିଶତ ରହିଛି। ଏପରିକି ଜାତୀୟ ହାରଠାରୁ ମଧ୍ୟ ଓଡ଼ିଶା ପଛରେ ପଡ଼ିଛି। ସେହିଭଳି ରାଜ୍ୟରେ ଅଧିକ ସଂଖ୍ୟକ ବ୍ୟାଙ୍କ ସ୍ଥାପନ କରିବା ସାଙ୍ଗକୁ ବ୍ୟାଙ୍କ ସୁବିଧା ନଥିବା ପଞ୍ଚାୟତଗୁଡ଼ିକରେ ରିଜର୍ଭ ବ୍ୟାଙ୍କ ଲାଇସେନ୍ସପ୍ରାପ୍ତ ପେମେଣ୍ଟ ବ୍ୟାଙ୍କ ସ୍ଥାପନ କରିବାକୁ ଅର୍ଥ ମନ୍ତ୍ରାଳୟ ଦୃଷ୍ଟି ଦେବାକୁ ସେ କହିଥିଲେ। ଜିଲ୍ଲା ଖଣିଜ ପଦାର୍ଥ ପାଣ୍ଠିରୁ ଆଦୟ ହେଉଥିବା ସୁଧ ଉପରେ କେନ୍ଦ୍ର ସରକାର ଆୟକର ଆଦାୟ କରୁଛନ୍ତି। ଏପରି ବ୍ୟବସ୍ଥା ବନ୍ଦ କରିବାକୁ ତୁରନ୍ତ ପଦକ୍ଷେପ ନେବାକୁ ମନ୍ତ୍ରୀ ମତ ଦେଇଛନ୍ତି। ଜେଟ୍‌ଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ପ୍ରାକ୍‌ ବଜେଟ୍‌ ବୈଠକରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବପ୍ରସାଦ ଶୁକ୍ଳା, ପି. ରାଧାକୃଷ୍ଣନ୍‌ଙ୍କ ସମେତ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ, କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର