ଭୁବନେଶ୍ବର: କୋଇଲା ରୟାଲ୍ଟିରେ ଶୀଘ୍ର ସଂଶୋଧନ କରିବାକୁ ରାଜ୍ୟ ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ ଆଜି ପୁଣି ଥରେ କେନ୍ଦ୍ର ନିକଟରେ ଦାବି କରିଛନ୍ତି। ଆଜି ହୋଟେଲ୍ ମେ’ଫେୟାରରେ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ଓ ଫିକିର ମିଳିତ ଉଦ୍ୟମରେ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିବା କେନ୍ଦ୍ର କୋଇଲା ସଚିବ ସୁମନ୍ତ ଚୌଧୁରୀଙ୍କ ନିକଟରେ ସେ ଏହି ଦାବି କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀ ତ୍ରିପାଠୀ ଆଜି କହିଛନ୍ତି ଯେ, କୋଇଲା ହେଉଛି ରାଜ୍ୟର ଏକ ପ୍ରମୁଖ ସମ୍ବଳ। ଏହାର ରୟାଲ୍ଟି ବଢ଼ାଇବାକୁ ଆମେ କେନ୍ଦ୍ର ସରକାରଙ୍କ ନିକଟରେ ଅନେକ ଥର ଦାବି କରିଛୁ। କିନ୍ତୁ କିଛି ସୁଫଳ ମିଳିନି। ଆମେ ଚାହୁଛୁ କୋଇଲା ଉତ୍ପାଦନ ବଢ଼ୁ ଏବଂ ଏହା ସହିତ ରୟାଲ୍ଟି ମଧ୍ୟ ବୃଦ୍ଧି ପାଉ। ଏହି ଦାବି ସମ୍ପର୍କରେ କୋଇଲା ସଚିବ ଶ୍ରୀ ଚୌଧୁରୀ କହିଛନ୍ତି ଯେ, କୋଇଲାକୁ ବିଦ୍ୟୁତ ଶକ୍ତି ଉତ୍ପାଦନ ପାଇଁ ବ୍ୟବହାର କରାଯାଉଛି। ଏହା ଉପରେ ଯଦି ରୟାଲ୍ଟି ବୃଦ୍ଧି କରାଯିବ ତେବେ ବିଦ୍ୟୁତ ମହଙ୍ଗା ହୋଇଯିବ। ଆମକୁ ଦୁଇ ଆଡ଼ୁ ସନ୍ତୁଳନ ରକ୍ଷା କରିବାକୁ ହେବ ବୋଲି ସେ କହିଛନ୍ତି। ୨୦୧୫ ଏପ୍ରିଲ୍ରୁ କୋଇଲା ରୟାଲ୍ଟି ସଂଶୋଧନ ହେବାର ଥିଲା। ମାତ୍ର ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର ସେଥିରେ ସଂଶୋଧନ କରୁନାହାନ୍ତି। ନିକଟରେ କୋଇଲାକୁ ବାଦ ଦେଇ ଅନ୍ୟ ସବୁ ପ୍ରକାର ଖଣିଜ ପଦାର୍ଥର ରୟାଲ୍ଟି ସଂଶୋଧନ କରାଯାଇଥିଲା।
ଏହି ଅବସରରେ ଉଦ୍ବୋଧନ ଦେଇ କୋଲ୍ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍)ର ସିଏମ୍ଡି ଅନିଲ କୁମାର ଝା କହିଛନ୍ତି ଯେ, ଆସନ୍ତା ୨୦୩୦ ପର୍ଯ୍ୟନ୍ତ କୋଇଲା ଚାହିଦା କମିବ ନାହିଁ। ଏହାର ଚାହିଦା ବଢ଼ିବ। ସେ କହିଲେ, କୋଇଲାକୁ ଜାଳେଣି ଭାବେ ବ୍ୟବହାର କରୁଥିବା ତାପଜ ବିଦ୍ୟୁତ କାରଖାନାଗୁଡ଼ିକ ଦେଶର ସିଂହ ଭାଗ ବିଦ୍ୟୁତ ଚାହିଦା ପୂରଣ କରୁଛନ୍ତି। ପ୍ରଦୂଷଣ ଓ ଅନ୍ୟାନ୍ୟ କାରଣ ଯୋଗୁ ଏବେ ଅକ୍ଷୟ ଶକ୍ତି ଓ ଅନ୍ୟାନ୍ୟ ବିକଳ୍ପ ଶକ୍ତି ଉପରେ ସରକାର ଅଧିକ ଗୁରୁତ୍ବ ଦେବା ଆରମ୍ଭ କରିଛନ୍ତି। ଏହା ସତ୍ତ୍ବେ ୨୦୩୦ ପର୍ଯ୍ୟନ୍ତ ତାପଜ ବିଦ୍ୟୁତ ପ୍ରକଳ୍ପ ହିଁ ଦେଶର ବିଦ୍ୟୁତ ଚାହିଦା ପୂରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ୨୦୩୦ ପରେ ଦେଶର ୫୦% ବିଦ୍ୟୁତ ଆବଶ୍ୟକତାକୁ ତାପଜ ବିଦ୍ୟୁତ ପ୍ରକଳ୍ପଗୁଡ଼ିକ ହିଁ ପୂରଣ କରିବେ। ଏହି କାର୍ଯ୍ୟକ୍ରମରେ ଫିକି ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଶୁଭ୍ରକାନ୍ତ ପଣ୍ଡା, ରାଜ୍ୟ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଆର୍ କେ ଶର୍ମା, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ଡକ୍ଟର ସୌରଭ ଗର୍ଗ, ଶକ୍ତି ସଚିବ ବିଷ୍ଣୁପଦ ସେଠୀ, ଏମ୍ସିଏଲ୍ର ସିଏମ୍ଡି ବି ଏନ୍ ଶୁକ୍ଳା ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ରୟାଲ୍ଟି ବଢ଼ାଇଲେ ବିଦ୍ୟୁତ ମହଙ୍ଗା ହୋଇଯିବ: କେନ୍ଦ୍ର
୧୧ଟି ପ୍ରକଳ୍ପର ସମୀକ୍ଷା କଲେ କୋଇଲା ସଚିବ
ଭୁବନେଶ୍ବର: କଂପାନିଗୁଡ଼ିକୁ ଖଣି ଲିଜ୍ ପ୍ରଦାନ କରିବା ପୂର୍ବରୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ଆଗୁଆ ଅନୁମତି ନେବାକୁ ପଡ଼ିବ ନାହିଁ। କେନ୍ଦ୍ର ସରକାର ଏଦିଗରେ କାମ କରୁଛନ୍ତି। ଏନେଇ ଏକ ଯୋଜନା ପ୍ରସ୍ତୁତ କରାଯାଉଛି ଯାହାକୁ ଖୁବ୍ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି କୋଇଲା ସଚିବ ସୁମନ୍ତ ଚୌଧୁରୀ କହିଛନ୍ତି। ସେ କହିଲେ, କୋଇଲା ଖଣି କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲାଗି ସରକାର ଅନେକ ପଦକ୍ଷେପ ହାତକୁ ନେଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ଦରକାର ହେଉଥିବା ମଞ୍ଜୁରିଗୁଡ଼ିକୁ ହାସଲ କରିବାରେ ହେଉଥିବା ବିଳମ୍ବକୁ ଦୂର କରିବା ଲାଗି ଏକ ସିଙ୍ଗଲ୍ ୱିଣ୍ଡୋ ସ୍କିମ୍ ବିକଶିତ କରାଯାଉଛି ବୋଲି ସେ କହିଛନ୍ତି। କୋଇଲା ବ୍ଲକ୍ ଆବଣ୍ଟନ କରାଯିବାର ଦୁଇ କିମ୍ବା ଅଢ଼େଇ ବର୍ଷ ଭିତରେ ସେଗୁଡ଼ିକୁ ଉତ୍ପାଦନକ୍ଷମ କରିବା ଲାଗି ସେ କଂପାନିଗୁଡ଼ିକୁ କହିଛନ୍ତି। ସାଧାରଣ ଭାବେ ବ୍ଲକ୍ ଆବଣ୍ଟନ ହେବାର ଛଅ ବର୍ଷ ପରେ ସେଗୁଡ଼ିକ କାର୍ଯ୍ୟକ୍ଷମ ହୋଇଥାଏ ଯାହା ଏକ ସାଧାରଣ ପ୍ରକ୍ରିୟା। ବର୍ତ୍ତମାନ ସ୍ଥିତିରେ ତାହା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ଏକାଥରେ ୪୨ଟି କୋଇଲା ବ୍ଲକ୍ ନିଲାମ କରିବାକୁ ଯାଉଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ୧୫ଟି କୋଇଲା ଖଣିକୁ ବିଭିନ୍ନ ସରକାରୀ ସଂସ୍ଥାକୁ ଆବଣ୍ଟନ କରାଯାଇଥିଲା।
ଶ୍ରୀ ଚୌଧୁରୀ ଆଜି ଲୋକ ସେବା ଭବନରେ ଆୟୋଜିତ ଏକ ବୈଠକରେ ରାଜ୍ୟର କୋଇଲା ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଛନ୍ତି। ମୁଖ୍ୟ ସଚିବ ଅସିତ ତ୍ରିପାଠୀଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୧ଟି ପ୍ରକଳ୍ପର ଅଗଗ୍ରତି ବିଷୟରେ ସମୀକ୍ଷା କରାଯାଇଥିଲା। ସେହି କୋଇଲା ବ୍ଲକ୍ଗୁଡ଼ିକ ହେଉଛି ତଲାବିରା ୨ ଓ ୩, ମନୋହରପୁର, ଡିପ୍ସାଇଡ୍ ମନୋହରପୁର, ଉତ୍କଳ ଡି, ଉତ୍କଳ ଇ, ନଇନି, ମନ୍ଦାକିନୀ-ବି, ବୈତରଣୀ ପଶ୍ଚିମ, ବ୍ରାହ୍ମଣୀ, କୁନ୍ଦାନାଳୀ ଓ ସର୍ପାଲ୍ କୋଇଲା ବ୍ଲକ୍। ପ୍ରତିଟି ପ୍ରକଳ୍ପର ବିଭିନ୍ନ ପର୍ଯ୍ୟାୟ କାମ ପାଇଁ ସମୟ ସୀମା ଧାର୍ଯ୍ୟ କରାଯାଇଛି। ବୈଠକରେ କୋଇଲା ପ୍ରକଳ୍ପଗୁଡ଼ିକର ପରିବେଶ ଅନୁମୋଦନ, କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ଆବଣ୍ଟନ, ପୂନର୍ବାସ କଲୋନି ସ୍ଥାପନ, ପୁନଃ ବନୀକରଣ, ଜମି ଅଧିଗ୍ରହଣ ଓ ଜମି ହସ୍ତାନ୍ତର ଏବଂ ନଥିପତ୍ର ସଂଶୋଧନ ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।