ଭୁବନେଶ୍ବର: ଓଡ଼ିଶାରେ ରେଳ ପ୍ରକଳ୍ପର ବିକାଶ ଲାଗି ଚଳିତ ବର୍ଷ ବଜେଟ୍ରେ ୭୨୦୦ କୋଟି ଟଙ୍କାର ବ୍ୟୟବରାଦ କରିବାକୁ ଓଡ଼ିଶା କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛି। ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଲାଗି ୩୭୦୦ କୋଟି ଟଙ୍କା ମାଗିଥିବା ବେଳେ ଦୋହରୀକରଣ, ତୃତୀୟ ଓ ଚତୁର୍ଥ ଲାଇନ୍ ଯୋଡ଼ିବା ଲାଗି ୩୫୦୦ କୋଟି ଟଙ୍କା ଦାବି କରିଛି। ରାଜ୍ୟରୁ ଯେଉଁ ୩୦୦ରୁ ଅଧିକ ରହଣୀ ସ୍ଥାନ ଉଚ୍ଛେଦ କରାଯାଇଥିବା ତାହାକୁ ପୁଣି ଥରେ କାର୍ଯ୍ୟକ୍ଷମ କରିବା, ହରିଦାସପୁର-ପାରାଦୀପ ରେଳପଥରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଆରମ୍ଭ କରିବା ଏବଂ ନିର୍ମାଣାଧୀନ ଥିବା ଅନୁଗୁଳ-ସୁକିନ୍ଦା ପ୍ରକଳ୍ପ ଲାଗି ଯାତ୍ରୀବାହୀ ଯାନର ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ଦାବି କରିଛନ୍ତି।
ସିତଳାପଲ୍ଲୀରେ ୱାଗନ ନିର୍ମାଣ କାରଖାନା ଓ କଳାହାଣ୍ଡିରେ ଇଲେକ୍ଟ୍ରିକ୍ ଲୋକୋମୋଟିଭ୍ ମେଣ୍ଟେନାନ୍ସ ପ୍ରକଳ୍ପରେ କୌଣସି ଅଗ୍ରଗତି ହୋଇନଥିବା ରାଜ୍ୟ ସରକାର ଜଣାଇଛନ୍ତି। ନୂଆ ପ୍ରକଳ୍ପ ଭାବେ ନୂଆପଡ଼ା-ଗୁଣୁପୁର ରେଳପଥକୁ ଥେରୁବାଲି ପର୍ଯ୍ୟନ୍ତ ସମ୍ପ୍ରସାରିତ କରିବା, ପୁରୀ-କୋଣାର୍କ ରେଳ ଲିଙ୍କ୍, ବାଂଶପାଣୀ-ବଡ଼ବିଲ ରେଳପଥ, ଯାଜପୁର କେନ୍ଦୁଝର ରୋଡ-ଧାମରା ବନ୍ଦର ଭାୟାର ଯାଜପୁର/ଆରଡ଼ି, ତାଳଚେର-ଗୋପାଳପୁର ରେଳ ଲିଙ୍କ୍, ପାରାଦୀପ-ଧାମରା ରେଳ ଲିଙ୍କ୍ ଓ ମୟୂରଭଞ୍ଜ ଜିଲ୍ଲାରେ ବୁରାମରା-ଚକୁଳିଆ ଓ ବାଙ୍ଗିରିପୋଷି-ଗୋରୁମହିଷାଣି ରେଳ ଲିଙ୍କ୍ ପାଇଁ ବଜେଟ୍ରେ ବ୍ୟବସ୍ଥା କରିବାକୁ ଓଡ଼ିଶା ଦାବି କରିଛି। ସେହିପରି ନିର୍ମାଣଧୀନ ଥିବା ପ୍ରକଳ୍ପ ଯଥା ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ଏନ୍ବିଜି ରେଳ ଲିଙ୍କ୍, ତାଳଚେର-ବିମଳାଗଡ଼, ଜଳେଶ୍ବର-ଦୀଘା, ଜୟପୁର-ନବରଙ୍ଗପୁର ଓ ଜୟପୁର-ମାଲକାନାଗିରି ପ୍ରକଳ୍ପ ପାଇଁ ବ୍ୟୟବରାଦ କରିବାକୁ ମଧ୍ୟ ରାଜ୍ୟ ସରକାର କହିଛନ୍ତି।