ଭୁବନେଶ୍ବର: ରାଜ୍ୟ ସରକାର ପ୍ରସ୍ତାବ ନଦେବାରୁ ମେଗା ଟେକ୍ସଟାଇଲ୍ ପାର୍କ ପାଇବାରୁ ଓଡ଼ିଶା ବଞ୍ଚିତ ହୋଇଛି ବୋଲି କେନ୍ଦ୍ର ବୟନ ମନ୍ତ୍ରୀ ଦର୍ଶନା ଯାରଦୋସ କହିଛନ୍ତି। ଟେକ୍ସଟାଇଲ୍ ପାର୍କ ଲାଗି ୧୨ଟି ରାଜ୍ୟ ବିଡିଂ ପ୍ରକ୍ରିୟାରେ ଭାଗ ନେଇଥିଲେ। ସେଥି ମଧ୍ୟରୁ ଭିତ୍ତିଭୂମି ଓ ରାଜ୍ୟର ନୀତି ଅନୁଯାୟୀ ୭ଟି ରାଜ୍ୟକୁ ମେଗା ଟେକ୍ସଟାଇଲ ପାର୍କ ପାଇଁ ମିଳିଛି। ବୟନ ଶିଳ୍ପ ଲାଗି ଓଡ଼ିଶାରେ ବ୍ୟାପକ ସୁଯୋଗ ରହିଛି କିନ୍ତୁ ରାଜ୍ୟ ସରକାରଙ୍କ ସହଯୋଗ ମିଳୁନି। ରାଜ୍ୟ ସରକାରଙ୍କ ସହଯୋଗ ମିଳିଲେ ଓଡ଼ିଶାର ବୟନ ଶିଳ୍ପ ଆହୁରି ବହୁତ ଆଗକୁ ଯାଇ ପାରିବ ବୋଲି ସେ କହିଛନ୍ତି।
ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ସମର୍ଥ ଯୋଜନା ମାଧ୍ୟମରେ ବୟନ ଶିଳ୍ପ କାରିଗରଙ୍କୁ ତାଲିମ ଦିଆଯାଉଛି। ବଜାରରେ ସେମାନଙ୍କ ସାମଗ୍ରୀ ପହଞ୍ଚୁଛି। ଏପରିକି କେନ୍ଦ୍ର ସରକାର ଏହି କ୍ଷେତ୍ରର ଅନେକ ବ୍ୟକ୍ତି ବିଶେଷଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରତ୍ୟେକ ରାଜ୍ୟରେ ଗୋଟିଏ ଲେଖାଏଁ ମେଗା ଟେକ୍ସ ଟାଇଲ ପାର୍କ ନିର୍ମାଣ କରିବା ଲାଗି କେନ୍ଦ୍ର ସରକାର ଯୋଜନା କରିଥିଲେ। ହଜାର ଏକର ଜମିରେ ୧୦ ହଜାର କୋଟି ନିବେଶରେ ମେଗା ଟେକ୍ସଟାଇଲ ପାର୍କ ସ୍ଥାପନ ହୋଇଥାନ୍ତା। ସେଥିରେ ରାଜ୍ୟ ସରକାରଙ୍କ ୫୧ ପ୍ରତିଶତ ଓ କେନ୍ଦ୍ରର ୪୯ ପ୍ରତିଶତ ଅଂଶଧନ ରହିଥାନ୍ତା। ମାଲିକାନା ରାଜ୍ୟ ପାଖରେ ରହିଥାନ୍ତା ବୋଲି ସେ କହିଛନ୍ତି।