ତେଲରୁ ଓଡ଼ିଶାର ଆୟ ୬୭୫ କୋଟି

ମଦରୁ ୧୬୮ ‌କୋଟି ରାଜସ୍ବ ସଂଗ୍ରହ

ନୂଆଦିଲ୍ଲୀ: ପେଟ୍ରୋଲ୍ ଓ ଡିଜେଲ୍ ଟିକସ କେବଳ କେନ୍ଦ୍ର ସରକାର ନୁହେଁ, ରାଜ୍ୟ ସରକାରଙ୍କ ରାଜକୋଷ ଭରିବାରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଚଳିତ ବର୍ଷ ନଭେମ୍ବରରେ ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଲଗାଯାଇଥିବା ଟିକସରୁ ଓଡ଼ିଶା ସରକାର ୬୭୫.୯୩ କୋଟି ଟଙ୍କା ଆୟ କରିଛନ୍ତି। ୨୦୨୦ ନଭେମ୍ବରରେ ହୋଇଥିବା ୫୨୦.୫୬ କୋଟି ଟଙ୍କା ତୁଳନାରେ ଏହା ୨୯.୮୫% ଅଧିକ। ଆଲୋଚ୍ୟ ମାସରେ ରାଜ୍ୟରେ ବେଶ ଭଲ ପରିମାଣର ମଦ ବିକ୍ରି ହୋଇଛି। ସେଥିପାଇଁ ଏହି ମାସରେ ମଦରୁ ରାଜ୍ୟ ସରକାର ୧୬୮.୫୨ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିଛନ୍ତି।

ଗତବର୍ଷ ନଭେମ୍ବରରେ ହୋଇଥିବା ୮୧.୦୯ କୋଟି ଟଙ୍କା ତୁଳନାରେ ଚଳିତ ବର୍ଷ ମଦରୁ ୧୦୭.୮୨ ପ୍ରତିଶତ ଅଧିକ ରାଜସ୍ବ ମିଳିଛି। ଉଭୟ ପେଟ୍ରୋଲିୟମ୍ ସାମଗ୍ରୀ ଓ ମଦରୁ କେନ୍ଦ୍ର ସରକାର ଭାଟ୍ ସୂତ୍ରରେ ୮୪୪.୪୫ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ଗତବର୍ଷ ନଭେମ୍ବରରେ ହୋଇଥିବା ୬୦୧.୬୫ କୋଟି ଟଙ୍କାର ସଂଗ୍ରହ ତୁଳନାରେ ଏହା ୪୦.୩୬% ଅଧିକ ବୋଲି ରାଜ୍ୟ ବାଣିଜ୍ୟ କର ଓ ଜିଏସ୍‌ଟି କମିସନରେଟ୍ ପକ୍ଷରୁ ଜାରି କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି।

ଚଳିତ ବର୍ଷ ନଭେମ୍ବରରେ ରାଜ୍ୟରେ ୪,୧୩୬ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ କରାଯାଇଛି ଯାହା ଗତବର୍ଷ ଏହି ମାସରେ ହୋଇଥିବା ୨୫୨୮ କୋଟି ଟଙ୍କା ତୁଳନାରେ ୬୪% ଅଧିକ। ଚଳିତ ବର୍ଷ ନଭେମ୍ବରରେ ୧୧୫୭.୬୯ କୋଟି ଟଙ୍କା ଓଡ଼ିଶା ଜିଏସ୍‌ଟି (ଓଜିଏସ୍‌ଟି), ୧୦୦୧.୦୮ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍‌ଟି, ୧୨୨୩.୨୪ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ଓ ୭୫୩.୭୭ କୋଟି ଟଙ୍କାର ସେସ୍‌ ସଂଗ୍ରହ କରାଯାଇଛି। କ୍ରମାଗତ ତୃତୀୟ ମାସ ଲାଗି ବଡ଼ ରାଜ୍ୟଗୁଡ଼ିକ ମଧ୍ୟରେ ଜିଏସ୍‌ଟି ସଂଗ୍ରହରେ ଓଡ଼ିଶା ସର୍ବାଧିକ ଅଭିବୃଦ୍ଧି ହାସଲ କରିବାର ରେକର୍ଡ କରିଛି।

ବାଣିଜ୍ୟ କର ଓ ଜିଏସ୍‌ଟି କମିସନରେଟ୍‌ଙ୍କ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ନଭେମ୍ବର ସୁଦ୍ଧା ଓଡ଼ିଶାରେ ମୋଟ ୨୮,୦୩୨.୯୮ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି ଯାହା ଗତବର୍ଷ ଏହି ସମୟରେ ହୋଇଥିବା ୧୭,୨୨୯.୨୬ କୋଟି ଟଙ୍କା ତୁଳନାରେ ୬୨.୭୧ ପ୍ରତିଶତ ଅଧିକ। ୨୦୨୧ ନଭେମ୍ବରରେ ଅଟୋମୋବାଇଲ୍, ଖଣି ଓ ମାନୁଫାକ୍‌ଚରିଂ କ୍ଷେତ୍ରରୁ ଅଧିକ ଟିକସ ସଂଗ୍ରହ କରାଯାଇଥିବାରୁ ମୋଟ ଜିଏସ୍‌ଟି ସଂଗ୍ରହ ଏତେ ଅଧିକ ହୋଇପାରିଛି। ଆଲୋଚ୍ୟ ମାସରେ ୧୪.୬୫ ଲକ୍ଷ ଇ-ୱେବିଲ୍ ସୃଷ୍ଟି କରାଯାଇଛି ଯାହା ଗତବର୍ଷ ଏହି ମାସରେ ଜାରି ହୋଇଥିବା ୧୩.୪୦ ଲକ୍ଷ ଇ ୱେ-ବିଲ୍ ତୁଳନାରେ ୯.୩୮ ପ୍ରତିଶତ ଅଧିକ।

ରାଜ୍ୟର ସମ୍ଭାବ୍ୟ ଜିଏସ୍‌ଟି ଓ ପେସାଦାର ଟିକସଦାତାଙ୍କୁ ଟିକସ ପରିସରରେ ସାମିଲ କରିବା ଲାଗି ବାଣିଜ୍ୟକର ଓ ଜିଏସ୍‌ଟି କମିସନରେଟ୍‌ଙ୍କ ତରଫରୁ ନଭେମ୍ବର ୧ରୁ ଏକ ସ୍ବତନ୍ତ୍ର ‘ସର୍ଭେ ଓ ପଞ୍ଜୀକରଣ’ ଅଭିଯାନ ଆରମ୍ଭ କରାଯାଇଛି ଯାହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଜାରି ରହିବ। ଏହି ଅଭିଯାନରେ ୩୧,୦୯୦ ନୂଆ ଟିକସଦାତାଙ୍କୁ ଜିଏସ୍‌ଟି ପରିସରରେ ସାମିଲ କରାଯାଇଛି। ନଭେମ୍ବର ମାସରେ ଭୁବନେଶ୍ବର, କଟକ, ଝାରସୁଗୁଡ଼ା, ଗଞ୍ଜାମ ଓ ବାଲେଶ୍ବରରେ ଜୋନ୍ ସ୍ତରୀୟ ସମୀକ୍ଷା ହୋଇଥିଲା। କାଗଜପତ୍ରକୁ ଟିକ୍ ଭାବେ ରଖିବା ଏବଂ ରିଟର୍ଣ୍ଣର ଯାଂଚ, ଚାହିଦା ଓ ରିକଭରି ପାଇଁ ରହିଥିବା ବିଧିବ୍ୟବସ୍ଥାକୁ ଠିକ୍ ଭାବେ ପାଳନ କରିବା ଲାଗି ରାଜ୍ୟ ଜିଏସ୍‌ଟି କମିସନର ସୁଶିଲ କୁମାର ଲୋହାନି ବୈଠକରେ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର