ଭୁବନେଶ୍ବର: ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଶକ୍ତି ପରିବର୍ତ୍ତନ ନୀତି ଲାଗୁ କରିବାକୁ ଯାଉଛି। ଏହାକୁ ନେଇ ଆୟୋଜିତ ଏକ କର୍ମଶାଳାକୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ ଶକ୍ତି ପରିବର୍ତ୍ତନରେ ଅଗ୍ରଣୀ ରହିବାକୁ ଆମେ ପ୍ରତିବଦ୍ଧ ଅଛୁ। ବାର୍ଷିକ ୭ ପ୍ରତିଶତର ଅଭିବୃଦ୍ଧି ଏବଂ ଜାତୀୟ ନିର୍ଗମନରେ ଅଧିକ ଭାଗ ଦୃଷ୍ଟିରୁ ଆମକୁ ପଦକ୍ଷେପ ନେବାକୁ ହେବ। ଏହି ଚିଠା ନୀତି ହେଉଛି ଏକ ରୋଡ୍ମ୍ୟାପ୍ ଯାହା ଉତ୍ତରଦାୟିତ୍ବ, ନବସୃଜନ ଓ ପ୍ରଗତିକୁ ବଢ଼ାଇବ। ଆମେ ଏହାକୁ ଜରୁରୀକାଳୀନ ଭିତ୍ତିରେ ଲାଗୁ କରିବୁ ଯାହା ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ମାନଦଣ୍ଡ ନିର୍ଧାରଣ କରିବ ବୋଲି ସେ କହିଛନ୍ତି।
ଅନ୍ୟ ରାଜ୍ୟ ପାଇଁ ମାନଦଣ୍ଡ ହେବ: ଉପମୁଖ୍ୟମନ୍ତ୍ରୀ
ଶକ୍ତି ବିଭାଗର ପ୍ରମୁଖ ସଚିବ ବିଶାଲ କୁମାର ଦେବ କହିଥିଲେ ଯେ ଓଡ଼ିାା ଶକ୍ତି ପରିବର୍ତ୍ତନ ନୀତି ଅକ୍ଷୟ ଶକ୍ତି, ଶକ୍ତି ଦକ୍ଷତା ଓ ସବୁଜ ନିଯୁକ୍ତିକୁ ସମନ୍ବିତ କରିବ। ଗ୍ରିଡ୍କୋର ପରିଚାଳନା ନିର୍ଦ୍ଦେଶକ ସତ୍ୟପ୍ରିୟ ରଥ କହିଛନ୍ତି ଯେ ଜାତୀୟ ଲକ୍ଷ୍ୟ ଅନୁସାରେ ନିର୍ଗମନ କମ୍ କରିବାକୁ ଗ୍ରିଡ୍କୋ ପ୍ରତିବଦ୍ଧ ରହିଛି। ଏଡିବିର ଆଞ୍ଚଳିକ ନିର୍ଦେଶକ ସୁଜାତା ଗୁପ୍ତା ଓଡ଼ିଶାର ଏହି ଉଦ୍ୟମକୁ ସମର୍ଥନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ରାଜ୍ୟର ଏହି ଉଦ୍ୟମକୁ ଶକ୍ତି ସଷ୍ଟେନେବଲ୍ ଏନର୍ଜି ଫାଉଣ୍ଡେସନ ପ୍ରଶଂସା କରିଛି। ଏହି ଅବସରରେ ପିଡବ୍ଲ୍ୟୁସିର ପାର୍ଟନର ପଦମ ପ୍ରକାଶ ଉପସ୍ଥିତ ଥିଲେ। ରାଜ୍ୟର ଶକ୍ତି ପରିବର୍ତ୍ତନ ପାଇଁ ଶିଳ୍ପ, ସ୍ବାସ୍ଥ୍ୟ, ସହରାଞ୍ଚଳ ବିକାଶ, ମତ୍ସ୍ୟଚାଷ ଓ କୃଷି ବିଭାଗ ସମନ୍ବିତ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ପିଡବ୍ଲ୍ୟୁସି ଆଲୋକପାତ କରିଥିଲା। ଅତିରିକ୍ତ ସଚିବ ଡ. ଦେବୀ ଦତ୍ତ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।