ଓଡ଼ିଶାର ଅଭିବୃଦ୍ଧି ଜାତୀୟ ହାରଠାରୁ ଅଧିକ

ଭୁବନେଶ୍ବର: ଓଡ଼ିଶାର ଅଭିବୃଦ୍ଧି ଜାତୀୟ ହାର ଠାରୁ ଅଧିକ ରହିଛି। ଦେଶର ଅର୍ଥନୀତି ଖରାପ ପ୍ରଦର୍ଶନ କରୁଥିବା ବେଳେ ରାଜ୍ୟ ବିକାଶ ପଥରେ ଆଗେଇ ଚାଲିଛି ବୋଲି ବିଜୁ ଜନତା‌ ଦଳର ଆଇଟି ସେଲ୍ ମୁଖ୍ୟ ଡ. ଅମର ପଟ୍ଟନାୟକ କହିଛନ୍ତି। ବିଜେଡି ରାଜ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ୨୦୧୭-୧୮ରେ ଦେଶର ଅଭିବୃଦ୍ଧି ହାର ୬.୫% ଥିବା ବେଳେ ଓଡ଼ିଶାର ଅଭିବୃଦ୍ଧି ତା’ଠାରୁ ଯଥେଷ୍ଟ ଅଧିକ ୭.୧୪% ହୋଇଥିଲା। ଆଗାମୀ ଦିନରେ ଓଡ଼ିଶାର ଅଭିବୃଦ୍ଧି ଆହୁରି ଅଧିକ ହେବ ବୋଲି ଆକଳନ କରାଯାଇଛି।‌ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, କଂଗ୍ରେସ ଶାସନ ଅମଳରେ ୧୯୯୫ରୁ ୧୯୯୯ ପର୍ଯ୍ୟନ୍ତ ଓଡ଼ିଶାର ହାରାହାରି ଅଭିବୃଦ୍ଧି (୩.୮%) ଜାତୀୟ ହାର (୬.୭%) ଠାରୁ କମ୍ ଥିଲା। ୨୦୦୦-୨୦୦୪ ଭିତରେ ଦେଶର ଅଭିବୃଦ୍ଧି ୬.୧% ଥିବା ବେଳେ ଓଡ଼ିଶାର ଅଭିବୃଦ୍ଧି ୮.୩% ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ୨୦୦୫-୦୯ ମଧ୍ୟରେ ଦେଶର ହାରାହାରି ଅଭିବୃଦ୍ଧି ୮.୫% ରହିଥିବା ବେଳେ ଓଡ଼ିଶା ୯% ହାରରେ ଆଗକୁ ବଢ଼ିଥିଲା। ୨୦୧୫-୧୬ରେ ଓଡ଼ିଶା ଅଭିବୃଦ୍ଧି ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ୧୦.୪%ରେ ପହଞ୍ଚିଯାଇଥିଲା। ସେତେବେଳେ ଭାରତର ଅଭିବୃଦ୍ଧି ୬.୬% ଥିଲା। ସେ ସୂଚନା ଦେଇଛନ୍ତି ଯେ, ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ ଦେଶର ଅଭିବୃ୍ଦ୍ଧି ୧.୧% ହ୍ରାସ ପାଇ ୭.୧% ସ୍ତରକୁ ଖସି ଆସିଛି ଯାହା ପୂର୍ବରୁ ୮.୨% ଥିଲା। କୃଷି ଅଭିବୃଦ୍ଧି ୫.୩%ରୁ ହ୍ରାସ ପାଇ ୩.୮% ହୋଇଛି। ଖଣିଜ କ୍ଷେତ୍ରର ଅଭିବୃଦ୍ଧି ୬.୯%ରୁ ହ୍ରାସ ପାଇ ୪.୨% ହୋଇଛି। ବିଦ୍ୟୁତ, ରନ୍ଧନ ଗ୍ୟାସ୍‌, ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଅଭିବୃଦ୍ଧି ହାର ୯.୨%ରୁ ହ୍ରାସ ପାଇ ୭.୩%ରେ ପହଞ୍ଚିଛି। ନିର୍ମାଣ କ୍ଷେତ୍ର ଅଭିବୃଦ୍ଧି ମଧ୍ୟ ୮.୭%ରୁ ହ୍ରାସ ପାଇ ୭.୮% ହୋଇଛି। ବିଶ୍ବର ପ୍ରାୟ ସବୁ ପ୍ରମୁଖ ସଂସ୍ଥା ଯଥା ଆଇଏମ୍ଏଫ୍‌, ମୁଡିସ୍‌ ଓ ଏସ୍‌ଆଣ୍ଡ୍‌ପି ଆକଳନ କରିଛନ୍ତି ଯେ ଦେଶର ଅଭିବୃଦ୍ଧି ହାର ୭.୩% ମଧ୍ୟରେ ରହିବ। ଭାରତର ଅର୍ଥନୀତି ଦିଗହରା ହୋଇଥିବା ବେଳେ ଓଡ଼ିଶା ବିକାଶରେ ‌ଅନେକ ସୁଯୋଗ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର