ରେଳ ବଜେଟରେ ଓଡ଼ିଶା ଯେତେ ମାଗିଥିଲା ତାଠାରୁ ୧୯% ଅଧିକ ଦେଇଛୁ : ବୈଷ୍ଣବ

ରେଳ ବଜେଟରେ ଓଡ଼ିଶା ପାଇଁ ୧୦ ହଜାର କୋଟିର ବ୍ୟୟ ବରାଦ

ଭୁବନେଶ୍ବର :  ରେଳ ବଜେଟରେ ଓଡ଼ିଶାକୁ ୧୦୧୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଓଡ଼ିଶା ଯେତିକି ଦାବି କରିଥିଲା ତାଠାରୁ ଏହା ୧୯ ପ୍ରତିଶତ ଅଧିକ ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ।

ଲୋକସଭାରେ ସାଧାରଣ ବଜେଟ ଆଗତ ହେବାର ୨ ଦିନ ପରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି ଯେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ୮୪୦୦ କୋଟି ଟଙ୍କାର ବ୍ୟୟବରାଦ ଦାବି କରିଥିଲା କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାକୁ ୧୦୧୨ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ।

ଚଳିତ ଆର୍ଥିକ ବର୍ଷ ଅର୍ଥାତ୍ ୨୦୨୨-୨୩ ବଜେଟରେ ଓଡ଼ିଶାକୁ ୬,୩୦୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା, ଯେବେକି ଓଡ଼ିଶା ୭୬୦୦ କୋଟି ଟଙ୍କା ମାଗିଥିଲା । ତେବେ ରାଜ୍ୟ ଭାଗ ଓ ବଜେଟ ଭିନ୍ନ ଅନ୍ୟାନ୍ୟ ବ୍ୟୟବରାଦକୁ ମିଶାଇଲେ ଚଳିତ ଆର୍ଥିକ ବର୍ଷରେ ତାହା ୯୭୩୪ କୋଟି ଟଙ୍କାକୁ ପହଞ୍ଚିଛି ।

ଚଳିତ ବର୍ଷ ମୋଟ ୨୮୦ କିଲୋମିଟର ନୂଆ ରେଳପଥ ନିର୍ମାଣ କରାଯିବ ଓ ୫୭ଟି ଷ୍ଟେସନର ଆଧୁନୀକିକରଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସେଥିମଧ୍ୟରୁ ପୂର୍ବରୁ ୩୪ଟି ଷ୍ଟେସନ ର ନବୀକରଣ ପ୍ରସ୍ତାବ ମଞ୍ଜୁର ହେଇଥିଲା । ଏହାମଧ୍ୟରେ ପୁରୀ, ଭୁବନେଶ୍ଵର, କଟକ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ଭଦ୍ରକ, କେନ୍ଦୁଝରଗଡ଼ ଆଦି ଷ୍ଟେସନ ରହିଛି ।

ପୁରୀ ଲାଗି ଆକ୍ସନ ପ୍ଲାନ: ଏୟାରପୋର୍ଟରୁ ଭକ୍ତଙ୍କୁ ସିଧାସଳଖ ପୁରୀ ଯିବା ପାଇଁ ଆଧୁନିକୀକରଣ ହେଉଛି ଲିଙ୍ଗରାଜ ରୋଡ ଷ୍ଟେସନ । ଏହାଦ୍ବାରା ଯାତ୍ରୀମାନେ ବିମାନରୁ ଓହ୍ଲାଇବା ମାତ୍ରେ ବ୍ୟାଟେରୀ ଗାଡିରେ ସିଧାସଳଖ ଲିଙ୍ଗରାଜ ରୋଡ ଷ୍ଟେସନ ପହଞ୍ଚି ଟ୍ରେନରେ ପୁରୀ ଯାଇପାରିବେ ।

ଚଳିତ ବର୍ଷ ଅଗଷ୍ଟ ମାସ ସୁଦ୍ଧା ବନ୍ଦେ ମେଟ୍ରୋ ଟ୍ରେନ ପାଇଁ ପ୍ରସ୍ତୁତ ହେବ ପ୍ରୋଟୋଟାଇପ । ଆସନ୍ତାବର୍ଷ ଦେଶରେ ଗଡିବ ବନ୍ଦେ ମେଟ୍ରୋ ଟ୍ରେନ ।

ଅନ୍ୟପକ୍ଷରେ ରେଳବାଇ ମହାପ୍ରବନ୍ଧକ କହିଛନ୍ତି ଯେ, ନୂଆ ରେଳ ଲାଇନ ପ୍ରକଳ୍ପ ଲାଗି ଚଳିତ ବର୍ଷ ୨ ହଜାର ୫୬୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ରେଳ ଲାଇନ ଦୋହରିକରଣ ପାଇଁ ୩ ହଜାର ୮୦୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଅନ୍ୟପକ୍ଷରେ ଖୋର୍ଦ୍ଧା – ବଲାଙ୍ଗୀର ରେଳ ଲାଇନ୍ ପାଇଁ ପାଖାପାଖି ୧ ହଜାର ୬୦୦ କୋଟି ବ୍ୟୟ ବରାଦ ହୋଇଛି । ସାରା ଦେଶରେ ଜନଜାତୀୟ ଗୌରବ କରିଡ଼ର ଲାଗି ୭୦ ହଜାର କୋଟି ଓ ଫ୍ରେଟ କରିଡ଼ର ପାଇଁ ୪୫ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଛି, ଯେଉଁଥିରୁ ଓଡ଼ିଶା ଲାଭ ପାଇବ ।

କେନ୍ଦ୍ର ଅର୍ଥମନ୍ତ୍ରୀ ଗତ ୧ ତାରିଖରେ ଲୋକସଭାରେ କେନ୍ଦ୍ର ବଜେଟ ଉପସ୍ଥାପନ କରିଥିଲେ । ତା ମଧ୍ୟରୁ ରେଳ ବିଭାଗ ପାଇଁ ୨ ଲକ୍ଷ ୪୦ ହଜାର କୋଟିର ବ୍ୟୟବରାଦ କରାଯାଇଥିଲା ।

ସମ୍ବନ୍ଧିତ ଖବର