ଟିକସରେ ଭାଗ: କେନ୍ଦ୍ରରୁ ଓଡ଼ିଶା ପାଇଲା ୪,୩୦୫ କୋଟି

ନୂଆଦିଲ୍ଲୀ: କେନ୍ଦ୍ରୀୟ ଟିକସରେ ରାଜ୍ୟଗୁଡ଼ିକ ଭାଗ ବାବଦ ଦୁଇଟି କିସ୍ତିର ଟଙ୍କା କେନ୍ଦ୍ର ସରକାର ଆଜି ଏକସଙ୍ଗେ ଜାରି କରିଛନ୍ତି। ମୋଟ ୯୫,୦୮୨ କୋଟି ଟଙ୍କା ରାଜ୍ୟମାନଙ୍କୁ ଦିଆଯାଇଛି। ସେଥିରୁ ୪,୩୦୫.୩୨ କୋଟି ଟଙ୍କା ଓଡ଼ିଶାକୁ ମିଳିଛି। ଏଥର ଉତ୍ତରପ୍ରଦେଶ ସର୍ବାଧିକ ୧୭,୦୫୬ କୋଟି ଟଙ୍କା ପାଇଥିବା ବେଳେ ବିହାର ୯,୫୬୩ କୋଟି ଟଙ୍କା ପାଇଛି। ମଧ୍ୟପ୍ରଦେଶକୁ ୭,୪୬୩ କୋଟି ଟଙ୍କା, ପଶ୍ଚିମବଙ୍ଗକୁ ୭,୧୫୨ କୋଟି ଟଙ୍କା ଓ ରାଜସ୍ଥାନକୁ ୫,୭୨୯ କୋଟି ଟଙ୍କା ଦିଆଯାଇଛି। ସାଧାରଣତଃ ମାସିକ କିସ୍ତି ଭାବେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ୪୭,୫୪୧ କୋଟି ଟଙ୍କା ଦେଇଥାନ୍ତି। ଏଥର ଦୁଇ ଗୁଣା ରାଶି ଦିଆଯାଇଛି।

ଚଳିତ ମାସ ୧୫ରେ ୧୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀମାନଙ୍କ ସହ ଏକ ବୈଠକରେ ଆଲୋଚନା କରିବା ବେଳେ ଦୁଇଟି କିସ୍ତି ଏକକାଳୀନ ଜାରି କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିଶ୍ରୁତି ଦେଇଥିଲେ। ଏହି ଟଙ୍କା ଜାରି କରାଯାଇଥିବାରୁ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତିରେ ସୁଧାର ହେବ ବୋଲି ଆଶା କରାଯାଉଛି।‌ କୋଭିଡ୍‌ ମହାମାରୀ ପ୍ରଭାବ ଯୋଗୁଁ ୨୦୨୧ ଏକ ଖରାପ ବର୍ଷ ସାବ୍ୟସ୍ତ ହୋଇଥିବାରୁ ଟିକସ ଭାଗ ବାବଦ ରାଶି ଆଗୁଆ ଜାରି କରିବାକୁ ରାଜ୍ୟଗୁଡ଼ିକ ଅର୍ଥମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ଏହି ପାଣ୍ଠି ମିଳିଲେ ଭିତ୍ତିଭୂମି ବିକାଶ କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବ ବୋଲି ସେମାନେ କହିଥିଲେ। ରାଜ୍ୟଗୁଡ଼ିକର ଅନୁରୋଧକୁ ଗ୍ରହଣ କରି ଏକକାଳୀନ ଦୁଇଟି କିସ୍ତିର ଟଙ୍କା ଜାରି କରିବାକୁ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ଅର୍ଥ ସଚିବଙ୍କୁ ନିର୍ଦେଶ ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ, ପଞ୍ଚଦଶ ଅର୍ଥ ଆୟୋଗ କେନ୍ଦ୍ରୀୟ ଟିକସର ୪୧ ପ୍ରତିଶତ ରାଜ୍ୟଗୁଡ଼ିକୁ ଆବଣ୍ଟନ କରିବା ଲାଗି ସୁପାରିସ କରିଛନ୍ତି। ସାଧାରଣତଃ ବର୍ଷକ ମଧ୍ୟରେ ୧୪ଟି କିସ୍ତିରେ ଏହି ଟଙ୍କା ରାଜ୍ୟଗୁଡ଼ିକୁ ଆବଣ୍ଟନ କରାଯାଏ। କୋଭିଡ୍ ମହାମାରୀର ଦ୍ବିତୀୟ ଲହର ପ୍ରଭାବ ଯୋଗୁଁ ୨୦ଟି ରାଜ୍ୟର ପୁଞ୍ଜି ବ୍ୟୟରେ ୭୯% ବୃଦ୍ଧି ହୋଇଛି। ବିକାଶମୂଳକ କାର୍ଯ୍ୟ‌ରେ ବିନିଯୋଗ ଲାଗି ରାଜ୍ୟଗୁଡ଼ିକୁ ପାଣ୍ଠି ଯୋଗାଡ଼ କରିବାକୁ ସଂଘର୍ଷ କରୁଛନ୍ତି। ଏଭଳି ଏକ ସମୟରେ କେନ୍ଦ୍ରୀୟ ଟିକସରୁ ମିଳିଥିବା ଭାଗ ରାଜ୍ୟଗୁଡ଼ିକର ଆର୍ଥିକ ଚାପକୁ ହାଲୁକା କରିବାରେ ସହାୟକ ହେବ।

ସମ୍ବନ୍ଧିତ ଖବର