ଭୁବନେଶ୍ବର: ଏସିଏମ୍ଇ ଗ୍ରୁପ୍ ପକ୍ଷରୁ ଗୋପାଳପୁରରେ ସ୍ଥାପନ କରାଯାଉଥିବା ଗ୍ରିନ୍ ଆମୋନିଆ କାରଖାନାକୁ ୨୦୨୯-୩୦ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପରେ ଗୁରୁତ୍ବପୂର୍ଣ୍ଣ ଅଗ୍ରଗତି ହୋଇଛି। କାରଖାନା ସମ୍ପୂର୍ଣ୍ଣ ହେବା ପରେ ସେଥିରୁ ବାର୍ଷିକ ୦.୪ ନିୟୁତ ଟନ୍ ଗ୍ରିନ୍ ଆମୋନିଆ ଉତ୍ପାଦନ କରାଯିବ। ଏହି ପ୍ରକଳ୍ପ ପାଇଁ ଏସିଏମ୍ଇ ଗ୍ରୁପ୍ ଓ ଜାପାନର ଆଇଏଚ୍ଆଇ କର୍ପୋରେସନ୍ ମଧ୍ୟରେ ଏକ ଯୌଥ ଉଦ୍ୟୋଗ ସ୍ଥାପନ କରାଯାଇଛି। ପ୍ରକଳ୍ପ ଲାଗି ଆବଶ୍ୟକ ଜମି ହାସଲ କରାଯାଇଥିବା ବେଳେ ଇଞ୍ଜିନିୟରିଂ ଡିଜାଇନ କାମ ମଧ୍ୟ ସରିଛି। ଇପିସି ଚୁକ୍ତି, ଅକ୍ଷୟ ଶକ୍ତି ସମନ୍ବୟ ଏବଂ ଗ୍ରିନ୍ ଆମୋନିଆ ଉତ୍ପାଦନ କରିବା ଲାଗି ଭିତ୍ତିଭୂମି ବ୍ୟବସ୍ଥାରେ ମଧ୍ୟ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ସବୁଜ ଶକ୍ତି କ୍ଷେତ୍ରରେ ଏହା ହେଉଛି ଅନ୍ୟତମ ସର୍ବବୃହତ୍ ବୈଦେଶିକ ସହଯୋଗିତା। ଏହି ପ୍ରକଳ୍ପରେ ଦୁଇ କମ୍ପାନି ନିଜସ୍ବ ପାଣ୍ଠି ନିବେଶ କରିବେ। ଏହା ବ୍ୟତୀତ ଜାପାନର ଇସିଏ ଏବଂ ଆନ୍ତର୍ଜାତିକ ଆର୍ଥିକ ଅନୁଷ୍ଠାନରୁ ଋଣ ମଧ୍ୟ ଅଣାଯିବ।
ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାପାନ ପ୍ରଧାନମନ୍ତ୍ରୀ ସିଗେରୁ ଇସିବାଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପ ସମ୍ପର୍କରେ ଘୋଷଣା କରାଯାଇଥିଲା। ଦୁଇ ଦେଶ ମଧ୍ୟରେ ସ୍ବାକ୍ଷର ହୋଇଥିବା ଦ୍ବିପାକ୍ଷିକ ସ୍ବଚ୍ଛ ଶକ୍ତି ସହଯୋଗିତା ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏସିଏମ୍ଇ କାରଖାନାରେ ଉତ୍ପାଦନ କରାଯିବାକୁ ଥିବା ଗ୍ରିନ୍ ଆମୋନିଆକୁ ଜାପାନକୁ ରପ୍ତାନି କରାଯିବ। ସେଠାରେ ତାହା ବିଦ୍ୟୁତ୍ ଶକ୍ତି ଓ ରସାୟନ କ୍ଷେତ୍ରରେ ବ୍ୟବହାର ହେବ। ଏହି ପ୍ରକଳ୍ପ ବର୍ଷକୁ ୦.୮ ନିୟୁତ ଟନ୍ ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗମନ ହ୍ରାସ କରିବାରେ ସହାୟକ ହେବ।
ଏସିଏମ୍ଇ ଗ୍ରୁପ୍ର ଅଧ୍ୟକ୍ଷ ମନୋଜ କୁମାର ଉପାଧ୍ୟାୟ କହିଛନ୍ତି ଯେ ସବୁଜ ଶକ୍ତିର ଆବଶ୍ୟକତା ବଢ଼ୁଥିବା ବେଳେ ଶକ୍ତି ସୁରକ୍ଷାକୁ ନେଇ ଉଭୟ ଭାରତ ଓ ଜାପାନ ସମାନ ଧରଣର ଆହ୍ବାନ ସାମ୍ନା କରୁଛନ୍ତି। ଆମ ଯୌଥ ଉଦ୍ୟୋଗ ଗ୍ରିନ୍ ହାଇଡ୍ରୋଜେନ୍ ଓ ଗ୍ରିନ୍ ଆମୋନିଆରେ ବିଶ୍ବର ଅଗ୍ରଣୀ ଦେଶରେ ପରିଣତ ହେବା ଦିଗରେ ଭାରତର ଯାତ୍ରାରେ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ। ଆଇଏଚ୍ଆଇ ସହ ମିଶି ଆମେ ସ୍ଥାପନ କରୁଥିବା କାରଖାନା ଶକ୍ତି ସୁରକ୍ଷାକୁ ଦୃଢ଼ କରିବା ସହ ନିଯୁକ୍ତି ସୃଷ୍ଟି କରିବ ବୋଲି ସେ କହିଛନ୍ତି। ସେହିପରି, ଆଇଏଚ୍ଆଇ କର୍ପୋରେସନର ସଭାପତି ଓ ସିଇଓ ହିରୋଶି ଇଡେ କହିଛନ୍ତି ଯେ ଏହି ସହଯୋଗିତା ଜରିଆରେ ଆମେ ଗ୍ରିନ୍ ଆମୋନିଆ ହାସଲ କରିବାକୁ ଲକ୍ଷ୍ୟ ରଖିଛୁ।