୨୦୧୯-୨୦ରେ ଓଡ଼ିଶାରୁ ୨୯,୬୭୭ କୋଟିର ଜିଏସଟି ସଂଗ୍ରହ, ପୂର୍ବବର୍ଷ ତୁଳନାରେ ୧୦% ବୃଦ୍ଧି

ଭୁବନେଶ୍ୱର : ନିକଟରେ ସମାପ୍ତ ୨୦୧୯-୨୦ ଆଥିର୍କ ବର୍ଷରେ ଓଡ଼ିଶାର ଜିଏସଟି ରାଜସ୍ୱ ସଂଗ୍ରହ ୧୦ ପ୍ରତିଶତ ବୃଦ୍ଧି ପାଇ ୨୯୬୭୭ କୋଟି ଟଙ୍କାରେ ପହଞ୍ଚିଛି । ୨୦୧୮-୨୯ରେ ଏହା ୨୬,୯୫୨ କୋଟି ଟଙ୍କା ଥିଲା । ତେବେ ମାର୍ଚ୍ଚମାସରେ ଓଡ଼ିଶାର ଜିଏସଟି ସଂଗ୍ରହ ୨୬୩୩ କୋଟି ଟଙ୍କା ରହିଛି, ଯାହାକି ମାର୍ଚ୍ଚ ୨୦୧୯ର ଜିଏସଟି ସଂଗ୍ରହ ସହିତ ପ୍ରାୟ ସମାନ ।
ମାର୍ଚ୍ଚରେ ସମଗ୍ର ଦେଶରେ ଜିଏସଟି ସଂଗ୍ରହ ପରିମାଣ ୮ ପ୍ରତିଶତ ହ୍ରାସ ପାଇ ୯୭,୫୯୭ କୋଟି ଟଙ୍କାରେ ପହଞ୍ଚିଛି ଯାହାକି ମାର୍ଚ୍ଚ ୨୦୧୯ରେ ୧ ଲକ୍ଷ ୬ ହଜାର ୫୭୭ କୋଟି ଟଙ୍କା ଥିଲା ।
ମାର୍ଚ୍ଚ ମାସରେ ସଂଗ୍ରହ ହୋଇଥିବା ୯୭୫୯୭ କୋଟିରୁ କେନ୍ଦ୍ରୀୟ ଜିଏସଟି ଟ. ୧୯,୧୮୩ କୋଟି, ରାଜ୍ୟ ଜିଏସଟି ଟ.୨୫,୬୦୧ କୋଟି, ଇଣ୍ଟିଗ୍ରେଟେଡ ଜିଏସଟି ୪୪,୫୦୮ କୋଟି ଟଙ୍କା ଓ ସେସ ୮୩୦୬ କୋଟି ଟଙ୍କା ଅନ୍ତର୍ଭୁକ୍ତ ।
୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଜିଏସଟି ଆଦାୟ ଲକ୍ଷ୍ୟ ୧୩.୭୧ ଲକ୍ଷ କୋଟି ରଖାଯାଇଥିବାବେଳେ ଏହି ବର୍ଷ ଦେଶର ଜିଏସଟି ଆଦାୟ ୧୨ ଲକ୍ଷ ୨୨ ହଜାର କୋଟି ରହିଛି । ଫଳରେ ଦେଶ ଜିଏସଟି ଆଦାୟ ଲକ୍ଷ୍ୟ ହାସଲ କରିପାରିନାହିଁ। ତେବେ ଏହି ପରିମାଣ ଗତବର୍ଷର ଜିଏସଟି ଆଦାୟ ତୁଳନାରେ ୮ ପ୍ରତିଶତ ଅଧିକ ରହିଛି ।

ସମ୍ବନ୍ଧିତ ଖବର