ଭୁବନେଶ୍ବର: ଦେଶର ଶ୍ରେଷ୍ଠ ୧୦୦ ମଧ୍ୟରେ ଓଡ଼ିଶାର ୨ଟି ଷ୍ଟାର୍ଟଅପ୍ ରହିଛି। ତାହା ହେଉଛି ଗ୍ରୋଜିପ୍ ଓ ନେଗୋଟ୍ରିପ୍ ପ୍ରାଇଭେଟ୍ ଲିମିଟେଡ୍। ଓଡ଼ିଆ ଯୁବକ ଆନନ୍ଦ କୁମାର ମିଶ୍ରଙ୍କ ଗ୍ରୋଜିପ୍ ଅନ୍ଲାଇନ୍ ଡେଲିଭରି ସେବା ପ୍ରଦାନ କରୁଛି। ବିଶେଷ କରି ଏମ୍ଏସ୍ଏମ୍ଇଗୁଡ଼ିକର ଉତ୍ପାଦ ଡେଲିଭରି ଉପରେ ଏହା ଗୁରୁତ୍ବ ଦେଉଛି। ଗତ ୪ ବର୍ଷରେ ଏହା ୫୦ ହଜାର ବରାଦ ପାଇଛି ଏବଂ ୪୦୦ ଉଦ୍ୟୋଗ ଏହାର ଉପଯୋଗ କରି ଲାଭବାନ ହୋଇଛନ୍ତି। ସେହିପରି ନେଗୋଟ୍ରିପ୍କୁ ରାଜ୍ୟର ଦୁଇ ଯୁବ ଉଦ୍ୟୋଗୀ ବିଶ୍ବଭୂଷଣ ପ୍ରଧାନ ଓ କାମାକ୍ଷା ପ୍ରସାଦ ନାୟକ ଏକ ଟ୍ରାଭେଲ୍ ଏଜେନ୍ସି ଭାବେ ଆରମ୍ଭ କରିଥିଲେ। ଏହା ଷ୍ଟାର୍ଟଅପ୍ ଭ୍ରମଣୀକାରୀଙ୍କୁ ସୁଲଭ ମୂଲ୍ୟରେ ରହଣୀ ଓ ଭରସାଯୋଗ୍ୟ ଅନଲାଇନ୍ ସେବା ଦେଇପାରୁଛି। ଆଜି ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷ୍ଟାର୍ଟଅପ୍ କନେକ୍ଟ କାର୍ଯ୍ୟକ୍ରମର ଟାସ୍କଫୋର୍ସ ବୈଠକରେ ଏହି ସୂଚନା ଦିଆଯାଇଛି। ଆଜିର ବୈଠକରେ ୧୭ଟି ଷ୍ଟାର୍ଟଅପ୍ର ସମୀକ୍ଷା କରାଯାଇଛି।
ସେଗୁଡ଼ିକ ହେଉଛି ଇଜେଡ୍ଇଆର୍ଏକ୍ସ ହେଲ୍ଥ ଟେକ୍, ସୁଯୋଗ୍ୟ ରେହାବ୍ ସଲ୍ୟୁସନ୍ସ, ଥିଙ୍କର ଇଣ୍ଡିଆ, ଅରଣ୍ୟ ପରିଧି, ଉଦ୍ଭାବନ ଟେକ୍ନୋଲୋଜି, ଆଜିଡୋ, ଆଭେଟି ଲର୍ଣ୍ଣିଂ, ଭିଲା ମାର୍ଟ, ଏକେଏମ୍ ଟେକ୍ନୋଲୋଜିସ୍, ହସ୍ତିକା, ତାରିଣୀ ଆଡ୍ଭାଇରଜ୍, ଅଲ୍ଟ୍ରାସିସ୍, ଆକ୍ସୋନୋସିସ୍, କାଓବିଟ୍, ମାଇଣ୍ଡ୍କ୍ୟୁ ଇଣ୍ଡିଆ ଓ ଟ୍ରାଇବ୍ ଡିଲାଇଟ୍। ଆଭେଟି ଲର୍ଣ୍ଣିଂ ଇତି ମଧ୍ୟରେ ୧ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ଓ ୭୦୦ ବିଦ୍ୟାଳୟ ନିକଟରେ ପହଞ୍ଚିପାରିଛି। ଏହା ୯୦ ହଜାର ଭିଡିଓ ପ୍ରସ୍ତୁତ କରି ମୋବାଇଲ୍ ମାଧ୍ୟମରେ ଶିକ୍ଷାଦାନକୁ ସହଜ କରିପାରିଛି। ଭବିଷ୍ୟତରେ ଗଣଶିକ୍ଷା ବିଭାଗ ଏହାକୁ ବ୍ୟବହାର କରିବାକୁ ଇଚ୍ଛା ପ୍ରକଟ କରିଛି। ଆଜିର ସମୀକ୍ଷା ବୈଠକରେ ୧୧ଟି ଷ୍ଟାର୍ଟଅପ୍କୁ ୨୦ ହଜାର ଟଙ୍କା ହିସାବରେ ମାସିକିଆ ଭତ୍ତା ଭାବେ ୨୭ ଲକ୍ଷ ୩୬ ହଜାର ଟଙ୍କା ଦିଆଯାଇଛି। ଗୋଟିଏ ଷ୍ଟାର୍ଟଅପ୍କୁ ୨୫ ଲକ୍ଷ ଟଙ୍କା ଓ ୧୦ଟି ଷ୍ଟାର୍ଟଅପ୍କୁ ୧୫ ଲକ୍ଷ ଟଙ୍କା ଭାବେ ୨ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/start-up-india.jpg)
