ଓଡ଼ିଶାରେ ୨୭,୯୯୭ କୋଟିର ଖଣିଜ ଉତ୍ପାଦନ

ନୂଆଦିଲ୍ଲୀ: ଖଣିଜ ପଦାର୍ଥ ଉତ୍ପାଦନ କ୍ଷେତ୍ରରେ ସାରା ଦେଶରେ ଶୀର୍ଷ ସ୍ଥାନରେ ରହିଛି ଓଡ଼ିଶା। ୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶାରେ ୨୭,୯୯୭ କୋଟି ଟଙ୍କା ମୂଲ୍ୟର ଖଣିଜ ଉତ୍ପାଦନ ହୋଇଛି ବୋଲି ଖଣି ମନ୍ତ୍ରଣାଳୟ ଜାରି କରିଥିବା ବାର୍ଷିକ ରିପୋର୍ଟରୁ ଜଣାପଡ଼ିଛି। ଦେଶରେ ଥିବା ୧୧ଟି ଖଣି ଥିବା ରାଜ୍ୟ ମଧ୍ୟରୁ ଓଡ଼ିଶାରେ ସର୍ବାଧିକ ମୂଲ୍ୟର ଖଣିଜ ପଦାର୍ଥ ଉତ୍ପାଦନ କରାଯାଉଛି। ୨୦୧୯-୨୦ରେ ଏ କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଥିଲା। ଯଦିଓ ଓଡ଼ିଶା ୨୦୨୦-୨୧ରେ ମଧ୍ୟ ପ୍ରଥମ ସ୍ଥାନରେ ରହିଛି କିନ୍ତୁ ୨୦୧୯-୨୦ ତୁଳନାରେ ୨୦୨୦-୨୧ରେ ଉତ୍ପାଦନ ହୋଇଥିବା ଖଣିଜ ପଦାର୍ଥ ମୂଲ୍ୟ କମ୍ ରହିଛି। ୨୦୧୯-୨୦ରେ ଓଡିଶାରେ ଉତ୍ପାଦିତ ଖଣିଜର ମୂଲ୍ୟ ୩୨,୮୪୧ କୋଟି ଟଙ୍କା ଥିଲା।

କେନ୍ଦ୍ର ଖଣି ମନ୍ତ୍ରାଳୟର ବାର୍ଷିକ ରିପୋର୍ଟ ଅନୁଯାୟୀ, ୨୦୨୦-୨୧ରେ ଦେଶର ୭୬.୩ ପ୍ରତିଶତ ବକ୍ସାଇଟ୍ ଓଡ଼ିଶାରେ ଉତ୍ପାଦନ କରାଯାଇଛି। ଏକ୍ଷେତ୍ରରେ ଓଡ଼ିଶା ଶୀର୍ଷ ସ୍ଥା‌ନରେ ରହିଛି। ଦେଶରେ ୨୦୨୧-୨୨ରେ କ୍ରୋମାଇଟର ଉତ୍ପାଦନ ୨,୮୬୩ ହଜାର ଟନ ହୋଇଛି ଯାହା ୨୦୨୯-୨୦ ତୁଳନାରେ ୨୭.୧ ପ୍ରତିଶତ କମ୍। ଏହି ସମସ୍ତ କ୍ରୋମାଇଟ ଓଡିଶାରୁ ଉତ୍ପାଦନ ହୋଇଛି। ଦେଶର ଲୁହାପଥର ଉତ୍ପାଦନ ପ୍ରତି ଓଡ଼ିଶାର ଅବଦାନ ସର୍ବାଧିକ ୫୧ ପ୍ରତିଶତ ରହିଛି। ଜାତୀୟ ସ୍ତରରେ ଖଣିଜ ଉତ୍ପାଦନରେ ଓଡ଼ିଶାର ଭାଗ ୪୭.୨ ପ୍ରତିଶତ ରହିଛି। ଅନ୍ୟାନ୍ୟ ଖଣି ବହୁଳ ରାଜ୍ୟ ଯଥା ଛତିଶଗଡ,କର୍ଣ୍ଣାଟକ,ରାଜସ୍ଥାନ ଓ ଝାଡଖଣ୍ଡ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାଠାରୁ ଯଥେଷ୍ଟ ପଛରେ ରହିଛନ୍ତି।

ରିପୋର୍ଟରେ କୁହାଯାଇଛି ଯେ ୨୦୧୫-୧୬ରୁ ୨୦୨୨ ଡିସେମ୍ବର ୩୧ ମଧ୍ୟରେ ଓଡ଼ିଶାରେ ୩୮ଟି ଖଣିର ନିଲାମ ହୋଇଛି। ଖଣି ରୟାଲଟି ବାବଦରେ ରାଜ୍ୟକୁ ୨୦୧୭-୧୮ରୁ ୨୦୨୦-୨୧ ମଧ୍ୟରେ ୬,୭୩,୩୯୯ ଲକ୍ଷ ଟଙ୍କା ମିଳିଛି। ୨୦୨୧ରେ ଆଇବିଏମ ଦ୍ବାରା ୧୭୪ଟି ଖଣି ପରିଦର୍ଶନ କରାଯାଇଥିଲା। ଆଇବିଏମ ଦ୍ବାରା ରାଜ୍ୟରେ ୩୦ଟି ମାଇନିଂ ପ୍ଲାନକୁ ଅନୁମୋଦନ ଦିଆଥିବ‌େଳେ ୬ଟି ଖଣିର ଚୁଡାନ୍ତ ମାଇନିଂ ବନ୍ଦ ଯୋଜନାକୁ ମଂଜୁରି ପ୍ରଦାନ କରାଯାଇଥିଲା। ୨୦୨୧ ମାର୍ଚ୍ଚ ସୁଦ୍ଧା ଡିଏମ୍ଏଫ୍‌ ପାଣ୍ଠିରେ ଉପଲବ୍ଧ ଥିବା ୬୪୧୮.୧୯ କୋଟି ଟଙ୍କାରୁ କୋଭିଡ୍‌ ମୁକାବିଲା ଲାଗି ୩୭୮.୬୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର