ଓଡ଼ିଶା ଯୋଡ଼ିଲା ୩ ଲକ୍ଷ ୪୦ ହଜାର ନୂଆ ମୋବାଇଲ୍ ଗ୍ରାହକ: ତିନି ସଂସ୍ଥା ଯୋଡ଼ିଲେ, ଗୋଟିଏ ହରାଇଲା

ଭୁବନେଶ୍ବର: ନୂତନ ମୋବାଇଲ୍ ଗ୍ରାହକ ସୃଷ୍ଟି କରିବାରେ ଓଡ଼ିଶା ଟେଲିକମ୍ ବଜାର ଚଳିତ ବର୍ଷ ଜାନୁଆରିରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ଏହି ମାସରେ ରାଜ୍ୟରେ ୩,୩୯,୪୩୬ ନୂଆ ମୋବାଇଲ୍ ଗ୍ରାହକ ସୃଷ୍ଟି ହୋଇଛନ୍ତି। ଫଳରେ ରାଜ୍ୟରେ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୩୮ ଲକ୍ଷ ୫୪ ହଜାର ୭୬କୁ ବୃଦ୍ଧି ପାଇଛି। ତିନିଟି ସଂସ୍ଥା ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଗୋଟିଏ ସଂସ୍ଥା ‌ଅନେକ ଗ୍ରାହକ ହରାଇଛି। ପ୍ରାୟ ସାଢ଼େ ଚାରି କୋଟି ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ଓଡ଼ିଶାରେ ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ୭୭ରୁ ଅଧିକ ଲୋକଙ୍କ ପାଖରେ ମୋବାଇଲ୍‌ ସଂଯୋଗ ରହିଛି। ଏକ୍ଷେତ୍ରରେ କିନ୍ତୁ ଜାତୀୟ ହାର ଠାରୁ ଓଡ଼ିଶା ଏବେବି ପଛୁଆ ରହିଛି ବୋଲି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ରିପୋର୍ଟରୁ ଜଣାପଡ଼ିଛି।
ଟ୍ରାଇ ରିପୋର୍ଟ ଅନୁଯାୟୀ, ୨୦୨୦ ଡିସେମ୍ବରରେ ଓଡ଼ିଶାରେ ମୋଟ ମୋବାଇଲ୍‌ ଗ୍ରାହକ ସଂଖ୍ୟା ୩ କୋଟି ୩୫ ଲକ୍ଷ ୧୪ ହଜାର ୪୬୦ ଥିଲା। ଜାନୁଆରିରେ ଏୟାରଟେଲ୍ ସର୍ବାଧିକ ୧,୮୮,୦୦୦ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଜିଓ ଦ୍ବିତୀୟ ସର୍ବାଧିକ ଭାବେ ୧,୫୬,୫୫୫ ଜଣ ନୂଆ ଗ୍ରାହକ ଯୋଡ଼ିଛି। ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସ୍ଏନ୍‌ଏଲ୍‌) ୪୮,୮୩୯ ଜଣ ନୂତନ ଗ୍ରାହକଙ୍କ ଯୋଗ କରିଛି। ‌ଭୋଡାଫୋନ୍ ଆଇଡିଆ କିନ୍ତୁ ୫୩ ହଜାର ୯୫୬ ଜଣ ପୁରୁଣା ଗ୍ରାହକଙ୍କୁ ହରାଇଛନ୍ତି। ୨୦୨୧ ଜାନୁଆରି ଶେଷ ସୁଦ୍ଧା ରାଜ୍ୟରେ ଓଡ଼ିଶା ଏୟାରଟେଲ୍‌ର ଗ୍ରାହକ ସଂଖ୍ୟା ୧ କୋଟି ୧୦ ଲକ୍ଷ ୪୬ ହଜାର ୧୩୭ରେ ପହଞ୍ଚିଥିବା ବେଳେ ଜିଓର ୧ କୋଟି ୩୮ ଲକ୍ଷ ୬୨ ହଜାର ୩୫୧ ଓ ବିଏସ୍‌ଏନ୍‌ଏଲ୍‌ର ଗ୍ରାହକ ସଂଖ୍ୟା ୬୪ ଲକ୍ଷ ୬୨ ହଜାର ୮୯୬କୁ ବୃଦ୍ଧି ପାଇଛି। ସେହି ସମୟରେ ଭୋଡାଫୋନ୍ ଆଇଡିଆର ଗ୍ରାହକ ସଂଖ୍ୟା ୨୪ ଲକ୍ଷ ୮୨ ହଜାର ୨୯୫ରେ ପହଞ୍ଚିଛି। ଗତ ଜାନୁଆରିରେ ସାରା ଦେଶରେ ‌୯୬ ଲକ୍ଷ ୩୫ ହଜାର ୩୧ ନୂଆ ଗ୍ରାହକ ସୃଷ୍ଟି ହୋଇଛନ୍ତି। ଏୟାରଟେଲ୍‌ ୫୮ ଲକ୍ଷ ୯୨ ହଜାର ୮୫୫, ଭୋଡାଫୋନ୍ ଆଇଡିଆ ୧୭ ଲକ୍ଷ ୧୦ ହଜାର ୫୬୩, ବିଏସ୍‌ଏନ୍‌ଏଲ୍‌ ୮୧, ୬୫୯ ଓ ଜିଓ ୧୯ ଲକ୍ଷ ୫୬ ହଜାର ୮୧୨ ନୂଆ ଗ୍ରାହକ ଯୋଡ଼ିଛି।

ସମ୍ବନ୍ଧିତ ଖବର