ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ୧୧୪୪.୨୯ କୋଟି ଟଙ୍କା ମୂଲ୍ୟର ୧୪ଟି ପ୍ରକଳ୍ପ ମଞ୍ଜୁର କରାଯାଇଥିଲା। ଏହା ବ୍ୟତୀତ ସଡ଼କ ସୁରକ୍ଷା ପାଇଁ ୧.୪୨ କୋଟି ଟଙ୍କା ଦିଆଯାଇଛି। ଆଜି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ ଏହି ସୂଚନା ଦେଇଛନ୍ତି।
ସେ ଟୁଇଟ୍ କରି ଜଣାଇଛନ୍ତି ଯେ ଜାତୀୟ ରାଜପଥ ୧୫୩(ବି)ର ସୁଦୃଢ଼ୀକରଣ ପାଇଁ ୧୪.୭୩ କୋଟି ଟଙ୍କା, ଏନ୍ଏଚ୍-୫୩ର କାମ ପାଇଁ ୬.୫ କୋଟି ଟଙ୍କା, ଏନ୍ଏଚ୍-୨୦ରେ ହୋଇଥିବା ବିଭିନ୍ନ କାମ ପାଇଁ ୧୮.୦୬ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ଏନ୍ଏଚ୍-୫୫ର ବିଭିନ୍ନ କାମ ପାଇଁ ୨୨.୫୨ କୋଟି ଟଙ୍କା, ଏନ୍ଏଚ୍-୧୪୯ର ପ୍ରକଳ୍ପ ପାଇଁ ୫.୭୨ କୋଟି ଟଙ୍କା, ୫ଟି ଏଚ୍ଏଲ୍ ପୋଲ ନିର୍ମାଣ କରିବା ଲାଗି ୧୫୪.୦୫ କୋଟି ଟଙ୍କା, ପୁରୀ ଆର୍ଓବି ନିର୍ମାଣ ଓ ଏନ୍ଏଚ୍-୩୧୬ର ୩.୨ କିମି ଆପ୍ରୋଚ୍ ରୋଡ୍ ନିର୍ମାଣ ପାଇଁ ୧୩୭.୬୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଟ୍ରକ୍ ଲେ ବେ’ ଓ ହାଇୱେ ନେଷ୍ଟ ତିଆରି କରିବା ଲାଗି ଓଡ଼ିଶାକୁ ୨୦୨୦-୨୧ରେ ମନ୍ତ୍ରଣାଳୟ ପକ୍ଷରୁ ୧୧.୮ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା ବୋଲି ଶ୍ରୀ ଗଡ଼କରୀ ସୂଚନା ଦେଇଛନ୍ତି। ଏନ୍ଏଚ୍-୧୫୩ (ବି)ରେ ଏଚ୍ଏଲ୍ ପୋଲ ତିଆରି କରିବା ଲାଗି ୯.୭ କୋଟି ଟଙ୍କା ଦିଆଯାଇଛି। ଏନ୍ଏଚ୍-୫୯ରେ ବ୍ରହ୍ମପୁର ବାଇପାସ୍ ନିର୍ମାଣ ଲାଗି ମନ୍ତ୍ରଣାଳୟ ୧୯୬.୯୪ କୋଟି ଟଙ୍କା ମଞ୍ଜୁର କରିଛି ବୋଲି ସେ ସୂଚନା ଦେଇଛନ୍ତି।