ଭୁବନେଶ୍ବର: ଚଳିତ ବର୍ଷ ଅଗଷ୍ଟରେ ଓଡ଼ିଶାର ମୋବାଇଲ୍ ଗ୍ରାହକ ସଂଖ୍ୟା ଦେଢ଼ ଲକ୍ଷରୁ ଅଧିକ ହ୍ରାସ ପାଇଛି। ରିଲାଏନ୍ସ ଜିଓକୁ ବାଦ ଦେଲେ ଅନ୍ୟ କୌଣସି ଟେଲିକମ୍ କଂପାନି ନୂଆ ଗ୍ରାହକ ଯୋଡ଼ିବାରେ ସଫଳ ହୋଇନାହାନ୍ତି। ଘରୋଇ ସଂସ୍ଥା ଭାରତୀ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ନିଜର ବହୁ ପୁରୁଣା ଗ୍ରାହକଙ୍କୁ ହରାଇଥିବା ବେଳେ ସରକାରୀ ସଂସ୍ଥା ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ମଧ୍ୟ ନିଜର ବହୁ ସଂଖ୍ୟକ ଗ୍ରାହକଙ୍କୁ ହରାଇଛି ବୋଲି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି।
ଟ୍ରାଇର ଗ୍ରାହକ ତଥ୍ୟ ରିପୋର୍ଟ ଅନୁଯାୟୀ, ଅଗଷ୍ଟରେ ଭାରତୀ ଏୟାରଟେଲ୍ ରାଜ୍ୟରେ ସର୍ବାଧିକ ୧,୦୧,୯୨୮ ଜଣ ଗ୍ରାହକଙ୍କୁ ହରାଇଛି। ଫଳରେ କଂପାନିର ମୋଟ ଗ୍ରାହକ ସଂଖ୍ୟା ୧ କୋଟି ୧୦ ଲକ୍ଷ ୭୪ ହଜାର ୬୩୦କୁ ହ୍ରାସ ପାଇଛି। ଭୋଡାଫୋନ୍ ଆଇଡିଆ ଏହି ମାସରେ ୩୮,୬୨୭ ଜଣ ଗ୍ରାହକଙ୍କୁ ହରାଇବା ପରେ ଏହାର ମୋଟ ଗ୍ରାହକ ସଂଖ୍ୟା ୨୦ ଲକ୍ଷ ୮୬ ହଜାର ୫୯୪କୁ ଖସିଆସିଛି। ବିଏସ୍ଏନ୍ଏଲ୍ ୪୧,୪୬୮ ଜଣ ଗ୍ରାହକଙ୍କୁ ହରାଇଛି। ଅଗଷ୍ଟ ମାସ ଶେଷ ସୁଦ୍ଧା ଓଡ଼ିଶାରେ ବିଏସ୍ଏନ୍ଏଲ୍ର ମୋଟ ଗ୍ରାହକ ସଂଖ୍ୟା ୬୩ ଲକ୍ଷ ୮୭ ହଜାର ୯୭୪କୁ ହ୍ରାସ ପାଇଛି। ଏକମାତ୍ର କଂପାନି ଭାବେ ରିଲାଏନ୍ସ ଜିଓ ଏହି ମାସରେ ୨୯,୯୮୯ ଜଣ ନୂଆ ଗ୍ରାହକ ହାସଲ କରିଛି। କଂପାନିର ମୋଟ ଗ୍ରାହକ ସଂଖ୍ୟା ୧ କୋଟି ୫୩ ଲକ୍ଷ ୪୪ ହଜାର ୮୬୧କୁ ବୃଦ୍ଧି ପାଇଛି।
ଅଗଷ୍ଟ ମାସ ଶେଷ ସୁଦ୍ଧା ରାଜ୍ୟର ମୋଟ୍ ମୋବାଇଲ୍ ଗ୍ରାହକ ସଂଖ୍ୟା ଜୁଲାଇ ତୁଳନାରେ ୧,୫୨,୦୪୫ ହ୍ରାସ ପାଇ ୩ କୋଟି ୪୮ ଲକ୍ଷ ୯୪ ହଜାର ୨୧୧ରେ ପହଞ୍ଚିଛି। ଜୁଲାଇରେ ରାଜ୍ୟରେ ୩ କୋଟି ୫୦ ଲକ୍ଷରୁ ଅଧିକ ମୋବାଇଲ୍ ଉପଭୋକ୍ତା ଥିଲେ। ଯଦିଓ ଆଲୋଚ୍ୟ ମାସରେ ମୋବାଇଲ୍ ଗ୍ରାହକ ସଂଖ୍ୟା କମ୍ ହୋଇଛି, କିନ୍ତୁ କଂପାନିଗୁଡ଼ିକ ଲ୍ୟାଣ୍ଡ୍ଲାଇନ୍ ଗ୍ରାହକ ବଢ଼ାଇବାରେ ସଫଳ ହୋଇଛନ୍ତି। ଅଗଷ୍ଟରେ ରାଜ୍ୟରେ ଲ୍ୟାଣ୍ଡ୍ଲାଇନ୍ ଗ୍ରାହକ ସଂଖ୍ୟା ୬,୪୩୩ ବୃଦ୍ଧି ପାଇ ୨ ଲକ୍ଷ ୮୭ ହଜାର ୧୬୧ରେ ପହଞ୍ଚିଛି। ବିଏସ୍ଏନ୍ଏଲ୍ ପାଖରେ ସର୍ବାଧିକ ୧ ଲକ୍ଷ ୯୬ ହଜାର ୩୪ ଜଣ ଲ୍ୟାଣ୍ଡ୍ଲାଇନ୍ ଗ୍ରାହକ ରହିଛନ୍ତି। ଟାଟା ଟେଲିର ଲ୍ୟାଣ୍ଡ୍ଲାଇନ୍ ଗ୍ରାହକ ସଂଖ୍ୟା ୮୪୭୭ ଥିବା ବେଳେ ଭୋଡାଫୋନ୍ ଆଇଡିଆର ୬୫୭୦ ଜଣ ଏବଂ ରିଲାଏନ୍ସ ଜିଓର ୭୬,୦୭୪ ଜଣ ଓୟାରଲାଇନ୍ ଗ୍ରାହକ ରହିଛନ୍ତି। ସର୍ବଭାରତୀୟ ସ୍ତରରେ ଅଗଷ୍ଟରେ ଦେଶର ମୋବାଇଲ୍ ଗ୍ରାହକ ସଂଖ୍ୟା ୧,୧୨,୯୦୪ ହ୍ରାସ ପାଇଛି। ଫଳରେ ଦେଶର ମୋଟ୍ ମୋବାଇଲ୍ ଗ୍ରାହକ ସଂଖ୍ୟା ୧୧୮ କୋଟି ୬୭ ଲକ୍ଷ ୨୪ ହଜାର ୧୯୧କୁ ହ୍ରାସ ପାଇଛି।