ସଡ଼କ ସୁରକ୍ଷାରେ ଓଡ଼ିଶା ‘ହାଇ ପରଫରମର୍‌’

ରାଜ୍ୟରେ ବର୍ଷକୁ ୭ ଲକ୍ଷ ଗାଡ଼ିର ପଞ୍ଜୀକରଣ

ଭୁବନେଶ୍ବର : ସଡ଼କ ସୁରକ୍ଷା ପଦକ୍ଷେପ କାର୍ଯ୍ୟକାରୀ କରିବାରେ ଓଡ଼ିଶା ‘ହାଇ ପରଫରମର (ଉଚ୍ଚ ପ୍ରଦର୍ଶନକାରୀ) ରାଜ୍ୟ ବର୍ଗରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ରାଜ୍ୟ ପରିବହନ ବିଭାଗ ସହଯୋଗରେ ଭାରତୀୟ ଅଟୋମୋବାଇଲ୍‌ ନିର୍ମାତାଙ୍କ ସୋସାଇଟି (ସିଆମ୍‌) ପକ୍ଷରୁ ଆୟୋଜନ କରାଯାଇଥିବା ‘ସେଫ୍‌ ସମ୍ମେଳନ’କୁ ସମ୍ବୋଧିତ କରି ସେ କହିଛନ୍ତି ସଡ଼କ ସୁରକ୍ଷା ଉପରେ ସୁପ୍ରିମକୋର୍ଟ କମିଟିଙ୍କ ଅଡିଟ୍‌ରେ ଓଡ଼ିଶାର ସ୍କୋର ୬୬ ରହିଛି। ରାଜ୍ୟ‌ର କେତେକ କାର୍ଯ୍ୟକ୍ରମ ଓ ଅଭିଯା‌ନକୁ କମିଟି ଶ୍ରେଷ୍ଠ ଭାବେ ବିବେଚନା କରିଛନ୍ତି ଏବଂ ସେଗୁଡ଼ିକୁ ପ୍ରଣୟନ କରିବା ଲାଗି ପଡ଼ୋଶୀ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ସଡ଼କ ସୁରକ୍ଷା ପାଇଁ ଓଡ଼ିଶା ଚାରି-ସୂତ୍ରୀ ରଣନୀତି ଉପରେ କାର୍ଯ୍ୟ କରୁଛି। ତାହା ହେଉଛି ନିୟମ ପ୍ରବର୍ତ୍ତନ, ସଚେତନତା, ସଡ଼କ ଇଞ୍ଜିନିୟରିଂରେ ଉନ୍ନତି ଏବଂ ଜରୁରୀକାଳୀନ ସେବା। ସଡ଼କ ଦୁର୍ଘଟଣାକୁ ଗମ୍ଭୀର ସମସ୍ୟା ଭାବେ ବର୍ଣ୍ଣନା କରି ସେ କହିଛନ୍ତି ତାହା ରାଜ୍ୟର ଅର୍ଥନୀତି ଓ ପୀଡ଼ିତଙ୍କ ପରିବାର ଉପରେ ଗଭୀର ପ୍ରଭାବ ପକାଉଛି। ସଡ଼କକୁ ଅଧିକ ସୁରକ୍ଷିତ କରିବା ଲାଗି ଗାଡ଼ି ନିର୍ମାତାମାନେ ସରକାରଙ୍କ ଅଭିଯାନ ସହ ଯୋଡ଼ି ହୋଇ ରହିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଏହି ଅବସରରେ ସେ ଗାଡ଼ି ପାଇଁ ସୁରକ୍ଷିତ ପ୍ରଯୁକ୍ତିର ଏକ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଛନ୍ତି। ସମ୍ମେଳନରେ ଉଦ୍‌ବୋଧନ ଦେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ ରାଜ୍ୟରେ ପ୍ରତି ବର୍ଷ ୭ ଲକ୍ଷ ନୂଆ ଗାଡ଼ିର ପଞ୍ଜୀକରଣ ହେଉଛି। ମାତ୍ର ସଡ଼କ ଦୁର୍ଘଟଣା ଯୋଗୁଁ ଏହି ଅଭିବୃଦ୍ଧିର ପ୍ରଭାବ ହ୍ରାସ ପାଉଛି। ତେଣୁ ସଡ଼କରେ ଗାଡ଼ିକୁ ଅଧିକ ସୁରକ୍ଷିତ ରଖିବା ଲାଗି ନୂଆ ପ୍ରଯୁକ୍ତି ଆଣିବାକୁ ସେ କଂପାନିଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ସଭାପତି ଓ ସିଇଓ ଆତସୁସି ଓଗାତା, ସିଆମ୍‌ର ସଭାପତି ବିନୋଦ ଅଗ୍ରୱାଲ୍, ଟାଟା ମୋଟର୍ସର ଗ୍ଲୋବାଲ୍‌ ହେଡ୍‌ ସୁଶାନ୍ତ ନାଏକ, ଅଶୋକ ଲେଲ୍ୟାଣ୍ଡ୍‌ର ସଭାପତି ଡକ୍ଟର ଏନ୍ ଶରବନନ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର