ଭୁବନେଶ୍ବର: ଷ୍ଟକ୍ ବଜାର ଜରିଆରେ ଆୟ କରିବା ନେଇ ସଚେତନତା ବଢ଼ିବା ଓ ଲୋକମାନଙ୍କ ସ୍ମାର୍ଟଫୋନ୍ରେ ସହଜରେ ସେହି ସୁବିଧା ମିଳିବା ପରେ ବହୁ ଲୋକ ଟ୍ରେଡିଂରେ ଭାଗ ନେଉଛନ୍ତି। ଅଳ୍ପ ସମୟ ଭିତରେ ଅଧିକ ରୋଜଗାର କରିବା ଲୋଭରେ ରାଜ୍ୟର ହଜାର ହଜାର ଲୋକ ଫ୍ୟୁଚର୍ ଆଣ୍ଡ୍ ଅପ୍ସନ୍ସ (ଏଫ୍ ଆଣ୍ଡ୍ ଓ)ରେ ନିବେଶ କରି ବିପୁଳ କ୍ଷତି ସହିଛନ୍ତି। ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ଏକ ରିପୋର୍ଟ ଅନୁଯାୟୀ ୨୦୨୩-୨୪ ଆର୍ଥିକ ବର୍ଷରେ ଏଫ୍ ଆଣ୍ଡ୍ ଓରେ ରାଜ୍ୟର ୧ ଲକ୍ଷ ୬୦ ହଜାରରୁ ଅଧିକ ଟ୍ରେଡର୍ ଅଂଶଗ୍ରହଣ କରିଥିଲେ। ସେହିବର୍ଷ ଓଡ଼ିଶା ଟ୍ରେଡର୍ଙ୍କ ହାରାହାରି ମୁଣ୍ଡପିଛା କ୍ଷତି ୯୯ ହଜାର ଟଙ୍କା ରହିଛି। ମହାରାଷ୍ଟ୍ର, ଗୁଜରାଟ, ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ବିହାର, ପଞ୍ଜାବ, ଝାଡ଼ଖଣ୍ଡ, ଛତିଶଗଡ଼, ଆସାମ ଓ ଉତ୍ତରାଖଣ୍ଡର ଟ୍ରେଡର୍ଙ୍କ ମୁଣ୍ଡପିଛା କ୍ଷତି ତୁଳନାରେ ଓଡ଼ିଶା ଟ୍ରେଡର୍ଙ୍କ କ୍ଷତି ଅଧିକ ରହିଛି।
ଏଫ୍ ଆଣ୍ଡ୍ ଓରେ ହେଉଥିବା କ୍ଷତି ସମ୍ପର୍କରେ ସେବି ପଞ୍ଜୀକୃତ ଆର୍ଥିକ ପରାମର୍ଶଦାତା କୃଷ୍ଣ ରଥ କହିଛନ୍ତି ଯେ ଏହି ବର୍ଗକୁ ବୃହତ୍ ସଂସ୍ଥାଗୁଡ଼ିକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ସେମାନେ ଜଟିଳ କମ୍ପ୍ୟୁଟର ଆଲଗୋରିଦମ୍ ଓ ସ୍ବତନ୍ତ୍ର ଟିମ୍ ଜରିଆରେ ଏହି ଟ୍ରେଡିଂ କରିଥାନ୍ତି। ସେଥିପାଇଁ ସେମାନେ ଲାଭ କରନ୍ତି। ଏଫ୍ ଆଣ୍ଡ୍ ଓର ପରିକଳ୍ପନା ସେମାନଙ୍କୁ ଦୃଷ୍ଟିରେ ରଖି କରାଯାଇଥିଲା। ଏହା ସାଧାରଣ ଲୋକଙ୍କ ପାଇଁ ନୁହେଁ। କିଛି ଲୋକ ଶୀଘ୍ର ଆୟ କରିବା ଆଶାରେ ଏଫ୍ ଆଣ୍ଡ୍ ଓରେ ଟ୍ରେଡିଂ କରି କ୍ଷତି ସହୁଛନ୍ତି। ଆଉ କିଛି ଟଙ୍କା ହରାଇଥିବା ନିବେଶକ କ୍ଷତିଭରଣା କରିବା ଆଶାରେ ଟ୍ରେଡିଂ କରି ଆହୁରି କ୍ଷତି ସହୁଛନ୍ତି। ଖୁଚୁରା ନିବେଶକମାନଙ୍କ ପାଖରେ ଏଫ୍ ଆଣ୍ଡ୍ ଓ ଟ୍ରେଡିଂ କରିବା ଲାଗି ଆବଶ୍ୟକ ଦକ୍ଷତାର ଅଭାବ ରହିଛି। ସେଥିପାଇଁ ସେମାନେ କ୍ଷତି ସହୁଛନ୍ତି ବୋଲି ସେ କହିଛନ୍ତି। ଷ୍ଟକ୍ ବଜାର ଟ୍ରେଡିଂରେ ସବୁଠୁ ବିପଦପୂର୍ଣ୍ଣ ହେଉଛି ଫ୍ୟୁଚର ଆଣ୍ଡ୍ ଅପ୍ସନ୍ସ। ସେବିର ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ସର୍ବଭାରତୀୟ ସ୍ତରରେ ୨୦୨୧-୨୨ରୁ ୨୦୨୩-୨୪ ମଧ୍ୟରେ ଏଫ୍ ଆଣ୍ଡ୍ ଓେରେ ୧.୧୩ କୋଟି ଖୁଚୁରା ଟ୍ରେଡର୍ ୧.୮୧ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଦେଶରେ ମୁଣ୍ଡପିଛା ହାରାହାରି କ୍ଷତି ୧.୬୦ ଲକ୍ଷ ଟଙ୍କା ରହିଛି। ଏଫ୍ଆଣ୍ଡ୍ଓ ଏଭଳି ଏକ କ୍ଷେତ୍ର ଯେଉଁଥିରେ ୯୩ ପ୍ରତିଶତ ଖୁଚୁରା ନିବେଶକ କ୍ଷତି ସହୁଛନ୍ତି।
ମୁଣ୍ଡପିଛା କ୍ଷତି ୯୯ ହଜାର
ରାଜ୍ୟରେ ୧.୬ ଲକ୍ଷ ଏଫ୍ ଆଣ୍ଡ୍ ଓ ଟ୍ରେଡର୍
ପ୍ରତି ୧୦୦ରୁ ୯୩ ଜଣ କ୍ଷତିରେ
ଏଫ୍ ଆଣ୍ଡ୍ ଓ ଟ୍ରେଡିଂରେ ଅଂଶଗ୍ରହଣ କରିଥିବା ଟ୍ରେଡର୍ମାନଙ୍କ ମଧ୍ୟରୁ ମାତ୍ର ୭.୨ ପ୍ରତିଶତ ଟ୍ରେଡର୍ ଲାଭ କରିବାରେ ସଫଳ ହୋଇଛନ୍ତି। ଅନ୍ୟ ସମସ୍ତେ କ୍ଷତି ସହିଛନ୍ତି। ୩.୫ ପ୍ରତିଶତ ଟ୍ରେଡର୍ଙ୍କ ମୁଣ୍ଡପିଛା କ୍ଷତି ୨୮ ଲକ୍ଷ ଟଙ୍କାରୁ ଅଧିକ ରହିଛି। ସବୁଠୁ ଚିନ୍ତାଜନକ ବିଷୟ ହେଉଛି ଲୋକମାନଙ୍କ ପାରିବାରିକ ସଞ୍ଚୟ ଏହି ଟ୍ରେଡିଂରେ ଉଡ଼ିଯାଉଛି। ଯାହା ଭାରତୀୟ ଅର୍ଥନୀତିକୁ ଦୁର୍ବଳ କରିଦେବାର ଆଶଙ୍କା ରହିଛି। ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଓ ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍ ଏଫ୍ଆଣ୍ଡ୍ଓରେ ଲୋକମାନେ ହରାଉଥିବା ସଞ୍ଚୟ ରାଶିକୁ ନେଇ ଚିନ୍ତା ପ୍ରକଟ କରିଥିଲେ।
ଏଫ୍ ଆଣ୍ଡ୍ ଓ ଖୁଚୁରା ନିବେଶକଙ୍କ ଲାଗି ଘାତକ ହୋଇଥିବା ବେଳେ ବୈଦେଶିକ ସଂସ୍ଥାଗତ ନିବେଶକ (ଏଫ୍ଆଇଆଇ) ବେଶ୍ ଲାଭ କରୁଛନ୍ତି। ୨୦୨୩-୨୪ରେ ସେମାନେ ୨୮ ହଜାର କୋଟି ଟଙ୍କାର ଲାଭ କରିଛନ୍ତି। ଅନ୍ୟ ପକ୍ଷରେ, ଖୁଚୁରା ନିବେଶକମାନେ କ୍ଷତି ସହୁଥିବା ବେଳେ କାରବାର ଫି’ ବାବଦରେ ପ୍ରାୟ ୬୧ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେବିର ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଏଫ୍ଆଣ୍ଡ୍ଓ କ୍ଷେତ୍ରରେ ୩୦ ବର୍ଷରୁ କମ୍ ବୟସର ନିବେଶକମାନଙ୍କ ହାର ୪୩ ପ୍ରତିଶତକୁ ବୃଦ୍ଧି ପାଇଛି। ଏହି କ୍ଷେତ୍ରରେ ଟ୍ରେଡିଂ କରୁଥିବା ୭୫ ପ୍ରତିଶତ ଖୁଚୁରା ନିବେଶକଙ୍କ ବାର୍ଷିକ ଆୟ ୫ ଲକ୍ଷ ଟଙ୍କାରୁ କମ୍ ରହିଛି।