ମେଗା ବୟନ ପାର୍କ ସ୍ଥାପନ ଦୌଡ଼ରେ ଓଡ଼ିଶା: କେନ୍ଦ୍ର ଆଣିଲା ୪,୪୪୫ କୋଟିର ଯୋଜନା

ନୂଆଦିଲ୍ଲୀ: ମେଗା ବୟନ ପାର୍କ ସ୍ଥାପନ କରିବା ଲାଗି ଆଗ୍ରହୀ ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ରହିଛି। ଓଡ଼ିଶା ସମେତ ତାମିଲନାଡୁ, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ଗୁଜରାଟ, ରାଜସ୍ଥାନ, ଆସାମ, କର୍ଣ୍ଣ‌ାଟକ, ମଧ୍ୟପ୍ରଦେଶ ଓ ତେଲେଙ୍ଗାନା ସରକାର ବୟନ ପାର୍କ ସ୍ଥାପନ କରିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ‌କେନ୍ଦ୍ର ସରକାର ଦେଶରେ ୭ଟି ବଡ଼ ବୟନ ପାର୍କ ସ୍ଥାପନ କରିବାକୁ ୪,୪୪୫ କୋଟି ଟଙ୍କାର ପିଏମ୍‌-ମିତ୍ର ଯୋଜନା ଘୋଷଣା କରିଛନ୍ତି। ଏଥିପାଇଁ ପାଇଁ ରାଜ୍ୟଗୁଡ଼ିକ ମଧ୍ୟରେ ଏକ ପ୍ରତିଯୋଗିତା ଆୟୋଜନ କରାଯିବ। କେତେକ ନିର୍ଦିଷ୍ଟ ମାନଦଣ୍ଡକୁ ନେଇ ଏଥିପାଇଁ ପଦ୍ଧତି ଧାର୍ଯ୍ୟ କରାଯାଇଛି। ସେହି ଅନୁସାରେ ପ୍ରତିଯୋଗିତା ହେବ। ଯେଉଁ ରାଜ୍ୟଗୁଡ଼ିକ ସେଥିରେ ବିଜୟୀ ହେବେ ସେମାନଙ୍କୁ ବୟନ ପାର୍କ ସ୍ଥାପନ କରିବାର ସୁଯୋଗ ମିଳିବ।

ପିଏମ୍‌-ମିତ୍ର ଯୋଜନାକୁ ଆଜି କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍‌ କମିଟି ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଛି। ଏହା ହେଉଛି ଏକ ପାଞ୍ଚ ବର୍ଷିଆ ଯୋଜନା। ବୟନ ପାର୍କରେ ସମ୍ପୂର୍ଣ୍ଣ ବ୍ୟବସ୍ଥା ରହିବ। ସୁତା କାଟିବା ଠାରୁ ଆରମ୍ଭ କରି ବୁଣିବା, ପ୍ରୋସେସିଂ କରିବା, ରଙ୍ଗ ଦେବା, ଛପାଇବା ଏବଂ ପୋଷାକ ଉତ୍ପାଦନ କରିବା ଭଳି ସବୁ ପ୍ରକାର ବ୍ୟବସ୍ଥା ଗୋଟିଏ ସ୍ଥାନରେ ରହିବ ବୋଲି ବୟନ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ଏଭଳି ପାର୍କ ସ୍ଥାପନ ହେଲେ ବୟନ କ୍ଷେତ୍ରରେ ଲଜିଷ୍ଟିକ୍ ବାବଦକୁ ହେଉଥିବା ଖର୍ଚ୍ଚ ହ୍ରାସ ପାଇବ ବୋଲି ସେ କହିଛନ୍ତି। ବର୍ତ୍ତମାନ ଦେଶର ବୟନ ଶିଳ୍ପ ବିଭିନ୍ନ ରାଜ୍ୟରେ ବିକ୍ଷିପ୍ତ ସ୍ଥାନରେ ରହିଛି। ଗୋଟିଏ ସ୍ଥାନରୁ କଞ୍ଚାମାଲ ମଗାଇ ଅନ୍ୟ ସ୍ଥାନରେ ତାହାକୁ ବ୍ୟବହାର କରି ଉତ୍ପାଦନ କରାଯାଉଛି। ସେଠାରୁ ସେଗୁଡ଼ିକୁ ଦେଶର ବିଭିନ୍ନ ସ୍ଥାନକୁ ବିକ୍ରି ପାଇଁ ପଠାଯାଉଛି। ଏଥିରେ ପରିବହନ ବାବଦରେ ବିପୁଳ ବ୍ୟୟ ହେଉଛି। ଗୁଜରାଟ ଓ ମହାରାଷ୍ଟ୍ରରେ କପା ଚାଷ ହେଉଥିବା ବେଳେ ତାମିଲନାଡୁରେ ସୁତା କାଟିବା କାର୍ଯ୍ୟ ହେଉଛି। ରାଜସ୍ଥାନ ଓ ଗୁଜରାଟରେ ତାହାର ପ୍ରକ୍ରିୟାକରଣ କରାଯାଉଛି। ଦିଲ୍ଲୀ ଏନ୍‌ସିଆର୍‌, ବାଙ୍ଗାଲୋର ମଧ୍ୟ ବୟନ ଶିଳ୍ପ ବ୍ୟବସ୍ଥାର ଏକ ପ୍ରମୁଖ ଅଂଶ। ମୁମ୍ବାଇ ଓ କାଣ୍ଡ୍‌ଲା ମାଧ୍ୟମରେ ପୋଷାକ ରପ୍ତାନି କରାଯାଉଛି।

ଦେଶରେ ବୟନ ପାର୍କ ସ୍ଥାପନ କରିବା ଲାଗି ୨୦୨୧-୨୨ ବଜେଟ୍‌ରେ ଘୋଷଣା କରାଯାଇଥିଲା। ଏହା ଜରିଆରେ ଏକ ଲକ୍ଷ ପ୍ରତ୍ୟକ୍ଷ ଓ ୨ ଲକ୍ଷ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପାର୍କଗୁଡ଼ିକୁ ଆଗ୍ରହୀ ଥିବା ରାଜ୍ୟଗୁଡ଼ିକରେ ସ୍ଥାପନ କରାଯିବ। ସମ୍ପୂର୍ଣ୍ଣ ନୂଆ ଭାବେ କିମ୍ବା ପୂର୍ବରୁ ଥିବା ବୟନ ପେଣ୍ଠସ୍ଥଳର ସମ୍ପ୍ରସାରଣ କରି ଏହି ପାର୍କଗୁଡ଼ିକୁ ସ୍ଥାପନ କରାଯିବ।

ସମ୍ବନ୍ଧିତ ଖବର