ଭୁବନେଶ୍ୱର: କେନ୍ଦ୍ର ସରକାର ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହାର ଯଥେଷ୍ଟ ପୂର୍ବରୁ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ସ୍ବତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ବେଳକୁ ଓଡ଼ିଶାକୁ ୧.୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି କୃଷି ଓ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ଏଥି ସହିତ ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ସେ ନିବେଶକମାନଙ୍କୁ ଆହ୍ବାନ ଦେଇଛନ୍ତି। ନିବେଶକମାନଙ୍କୁ ସ୍ବଳ୍ପକାଳୀନ ପ୍ରୋତ୍ସାହନ ଦେବା ବଦଳରେ ଦୀର୍ଘକାଳୀନ ସୁବିଧା ଯୋଗାଇ ଦେବା ଉପରେ ସେ ଜୋର୍ ଦେଇଛନ୍ତି।
ସିଆଇଆଇ ପକ୍ଷରୁ ମୁମ୍ବାଇରେ ଆୟୋଜିତ ପୂର୍ବ ଭାରତ ସମ୍ମିଳନୀ ୨୦୨୫କୁ ସମ୍ବୋଧିତ କହି ଶ୍ରୀ ସିଂହଦେଓ କହିଥିଲେ ଯେ ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ ଓ ଇସ୍ପାତ କ୍ଷେତ୍ରରେ ନିବେଶ କରିବାକୁ ଆମେ ନିବେଶକଙ୍କୁ ଆମନ୍ତ୍ରଣ କରୁଛୁ। ଏଥି ସହିତ ଭାସମାନ ସୋଲାର ପ୍ରକଳ୍ପ, ପମ୍ପଡ୍ ଷ୍ଟୋରେଜ୍ ଓ ବ୍ୟାଟେରି ଷ୍ଟୋରେଜ୍ ପ୍ରକଳ୍ପରେ ମଧ୍ୟ ନିବେଶ ହାସଲ କରିବାକୁ ଆମେ ଚାହୁଛୁ। ଏଥି ସହିତ କୃଷିଭିତ୍ତିକ ଶିଳ୍ପ ବିକାଶ କରିବା ଓ ସାର ବ୍ୟବହାର କମ୍ କରିବାକୁ ଆମେ ଚାହୁଛୁ ବୋଲି ସେ କହିଥିଲେ। କୃଷି ପର୍ଯ୍ୟଟନ ସମ୍ଭାବନାକୁ ମଧ୍ୟ ରାଜ୍ୟ ସରକାର ସନ୍ଧାନ କରୁଥିବା ସେ ଜଣାଇଛନ୍ତି। ଅନେକ ଐତିହ୍ୟ ସ୍ଥଳ ଥିବାରୁ କେବଳ ବିଦେଶୀ ନୁହେଁ, ଭାରତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଦିଗରେ ସରକାର କାମ କରୁଛନ୍ତି।
୨୦୩୬ ସୁଦ୍ଧା ଓଡ଼ିଶା ହେବ ବିକଶିତ: ସିଂହଦେଓ
ସେ ଜଣାଇଛନ୍ତି ଯେ ରାଜ୍ୟରେ ରେକର୍ଡ ୫୬ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ଯେଉଁଥିରେ ୧.୭୮ ଲକ୍ଷ କୋଟି ଟଙ୍କା ନିବେଶ ହେବ ଏବଂ ୧.୧୧ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ନୂତନ ନିବେଶ ସହ ଆହୁରି ଏକ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରିବା ଲକ୍ଷ୍ୟ ରହିଛି ବୋଲି ସେ କହିଥିଲେ। ସମ୍ମିଳନୀରେ ଟାଟା ପାୱାର ଏମ୍ଡି ଡ. ପ୍ରବୀର ସିହ୍ନା ଯୋଗଦେଇ ଓଡ଼ିଶାରେ ବିଦ୍ୟୁତ୍ ବଣ୍ଟନ କ୍ଷେତ୍ରରେ ଘରୋଇ ସରକାରୀ ସହଭାଗିତା (ପିପିପି) ମଡେଲ୍ର ସଫଳତା ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ଶିଳ୍ପମନ୍ତ୍ରୀ ନୀତିଶ ମିଶ୍ର, ଛତିଶଗଡ଼ ଅର୍ଥମନ୍ତ୍ରୀ ଓପି ଚୌଧୁରୀ, ସିଆଇଆଇ ପୂର୍ବାଞ୍ଚଳ ଅଧ୍ୟକ୍ଷ ଶାଶ୍ୱତ ଗୋଏଙ୍କା, ପଶ୍ଚିମାଞ୍ଚଳ ଅଧ୍ୟକ୍ଷ ଋଷି କୁମାର ବାଗ୍ଲା, ଓଡ଼ିଶାର ଏମ୍ଏସ୍ଏମ୍ଇ କମିସନର ଡି ପ୍ରଶାନ୍ତ କୁମାର ରେଡ୍ଡୀ ପ୍ରମୁଖ ଯୋଗଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/20/gddgvc-2025-08-20-03-00-53.jpg)