ଭୁବନେଶ୍ବର: ଭାରତରେ ସହଜ ବ୍ୟବସାୟ ବାତାବରଣ କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି। ନିବେଶକମାନଙ୍କ ଲାଗି ଶ୍ରେଷ୍ଠ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ତେଣୁ ରାଜ୍ୟର ସୂଚନା ପ୍ରଯୁକ୍ତି (ଆଇଟି) ଓ ଗ୍ରିନ ହାଇଡ୍ରୋଜେନ କ୍ଷେତ୍ରରେ ନିବେଶ କରିବାକୁ ଆଗେଇ ଆସିବା ଲାଗି କୋରିଆର କଂପାନିଗୁଡ଼ିକୁ ଇପିକଲ୍ର ଏମ୍ଡି ଭୁପେନ୍ଦ୍ର ସିଂହ ପୁନିଆ ଆମନ୍ତ୍ରଣ କରିଛନ୍ତି। ଗ୍ରିନ ହାଇଡ୍ରୋଜେନ ଶିଳ୍ପର ଆବଶ୍ୟକତା ଅନୁସାରେ ଓଡ଼ିଶାରେ ବ୍ୟାପକ ବିଦ୍ୟୁତ ଓ ଜଳ ଉପଲବ୍ଧ ରହିଥିବା ସେ କହିଛନ୍ତି।
ଆଜି ଟିମ୍ କୋରିଆ ନାମରେ କୋରିଆର ଏକ ପ୍ରତିନିଧି ଦଳ ଓଡ଼ିଶା ଗସ୍ତ କରି ଶିଳ୍ପ ବିଭାଗ ସହିତ ଆଲୋଚନା କରିଛନ୍ତି। ସେମାନେ ଇପିକଲ୍ ଏମ୍ଡି ଶ୍ରୀ ପୁନିଆ, ସାମାଜିକ ସୁରକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ଶିଳ୍ପ ନିର୍ଦ୍ଦେଶକ ସାଦିକ ଆଲମ ଓ ଆଇଡିସିଏସ୍ର ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା ପ୍ରମୁଖଙ୍କ ସହ ଭାବ ବିନିମୟ କରିଥିଲେ। ଓଡ଼ିଶା ଓ କୋରିଆ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ଏହି ପ୍ରତିନିଧି ଦଳ ଓଡ଼ିଶା ଆସିଛି। ଭାରତ ଓ କୋରିଆ ଦ୍ବିପାକ୍ଷିକ ସମ୍ପର୍କର ୫୦ ବର୍ଷ ପୂର୍ତ୍ତି ପାଳନ କରାଯାଉଥିବା ଦୃଷ୍ଟିରୁ ଏହି ଗସ୍ତ ବେଶ ମହତ୍ବପୂର୍ଣ୍ଣ ବିଚାର କରାଯାଉଛି।
ଏହି ଅବସରରେ ନୂଆଦିଲ୍ଲୀରେ ଅବସ୍ଥାପିତ କୋରିଆ ଦୂତାବାସର କମର୍ସିଆଲ କାଉନ୍ସେଲର ସଙ୍ଗଜୋଙ୍ଗ ଚୁ’ କହିଛନ୍ତି ଯେ ଓଡ଼ିଶା ସରକାର ଗୁରୁତ୍ବ ଦେଉଥିବା ଆଇଟି, ଅକ୍ଷୟ ଶକ୍ତି, ଇଲେକ୍ଟ୍ରିକ୍ ଯାନ ଓ ବିମାନ ଚଳାଚଳ କ୍ଷେତ୍ର ଆଗାମୀ ଦିନରେ ଆହୁରି ସମୃଦ୍ଧ ହେବ। ଓଡ଼ିଶାକୁ ଆମେ ଭାରତର ସବୁଠୁ ବିକାଶଶୀଳ ରାଜ୍ୟ ଭାବେ ଦେଖିବାକୁ ଚାହୁଛୁ ବୋଲି ସେ କହିଛନ୍ତି। ଟିମ୍ କୋରିଆ ପକ୍ଷରୁ ଓଡ଼ିଶାର ଅନଗ୍ରସର ବର୍ଗର ଲୋକମାନଙ୍କ ପାଇଁ କୋରିଆର ବିଭିନ୍ନ କଂପାନିର ଉତ୍ପାଦ ଦାନ କରାଯାଇଛି। କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍ଆର୍) ଅଂଶସ୍ବରୂପ ପିଲାମାନଙ୍କୁ କମ୍ବଳ, ସକ୍ସ ଓ ଟୁଥ୍ବ୍ରସ୍ ପ୍ରଦାନ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଦକ୍ଷିଣ କୋରିଆର ଇସ୍ପାତ କଂପାନି ପୋସ୍କୋ ଓଡ଼ିଶାରେ ୫୨ ହଜାର କୋଟି ଟଙ୍କା ନିବେଶରେ ଏକ କାରଖାନା ସ୍ଥାପନ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲା। ଜମି ଅଧିଗ୍ରହଣ ଓ ଅନ୍ୟାନ୍ୟ ସମସ୍ୟା ଲାଗିରହିବାରୁ କଂପାନି ପ୍ରକଳ୍ପରୁ ଓହରି ଯାଇଥିଲା।