ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନ ଓ ବିଶ୍ବ ତାପନ ପ୍ରଭାବରେ ଗରମ ଦିନ ସଂଖ୍ୟା ବେଶ୍‌ ବଢ଼ିଯାଇଛି। ପ୍ରଚଣ୍ଡ ‌ତାତିରୁ ରକ୍ଷା ପାଇବା ଲାଗି ଲୋକମାନେ ଏୟାର କଣ୍ଡିସନର (ଏସି) ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି। ଅଧିକରୁ ଅଧିକ ପରିବାର ଏବେ ଏସି କିଣୁଛନ୍ତି। ଏହା ସତ୍ତ୍ବେ ଓଡ଼ିଶାରେ ଏସି ସାନ୍ଦ୍ରତା ୫ ପ୍ରତିଶତରୁ କମ୍ ରହିଛି। ଅର୍ଥାତ ରାଜ୍ୟର ୫ ପ୍ରତିଶତ ପରିବାର ପାଖରେ ଏସି ପହଞ୍ଚିନାହିଁ। ସର୍ବଭାରତୀୟ ସ୍ତରଠାରୁ ଓଡ଼ିଶା ପଛୁଆ ରହିଛି। ଦେଶରେ ଏସି ସାନ୍ଦ୍ରତା ଓଡ଼ିଶାଠାରୁ ଦୁଇଗୁଣା ଅଧିକ ୧୦ ପ୍ରତିଶତ ରହିଛି ବୋଲି ଗୋଦରେଜ୍ ଏଣ୍ଟରପ୍ରାଇଜେସ୍ ଗ୍ରୁପ୍‌ର ଆପ୍ଲାଏନ୍‌ସେସ୍‌ ବ୍ୟବସାୟ ମୁଖ୍ୟ କମଳ ନନ୍ଦୀ କହିଛନ୍ତି।

Advertisment

କମ୍ପାନିର ସ୍ମାର୍ଟ ସିରିଜ୍ ଏସି ବର୍ଗମାଳାକୁ ଉନ୍ମୋଚନ କରିବା ଅବସରରେ ଶ୍ରୀ ନନ୍ଦୀ କହିଥିଲେ ଯେ ଗତବର୍ଷର ପ୍ରାୟ ସବୁ ତ୍ରୈମାସିକରେ ଏସି ବିକ୍ରି ୩୦ ପ୍ରତିଶତ ହାରରେ ବଢ଼ିଥିଲା। ଚଳିତ ବର୍ଷ ଏସି ଶିଳ୍ପର ଅଭିବୃଦ୍ଧି ୩୦ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। କିନ୍ତୁ ଗୋଦରେଜ୍‌ ଏହାର ଏସି ବ୍ୟବସାୟରେ ୫୦ ପ୍ରତିଶତ ବୃଦ୍ଧି ଆଣିବାକୁ ଆଶା ରଖିଥିବା ସେ କହିଥିଲେ। କମ୍ପାନି ଚଳିତ ବର୍ଷ ଏସି ବର୍ଗରେ ୫୦୦୦-୫୫୦୦ କୋଟି ଟଙ୍କାର କାରବାର କରିବାକୁ ଲକ୍ଷ୍ୟ ରଖିଥିବା ସେ ସୂଚନା ଦେଇଛନ୍ତି। ଏସି ମୂଲ୍ୟ ଉପରେ ଆଲୋକପାତ କରି ସେ କହିଥିଲେ ଯେ ଚଳିତ ବର୍ଷ ଦାମ୍‌ରେ କିଛି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଯାହା ବି କିଛି ଅନୁଶୀଳନ କରାଯିବ, ତାହା ଗ୍ରୀଷ୍ମ ଋତୁ ପରେ ହେବ ବୋଲି ସେ କହିଛନ୍ତି। 

ଗୋଦ୍‌ରେଜ୍‌ର ସ୍ମାର୍ଟ ସିରିଜ୍ ଏସି ସମ୍ପର୍କରେ ସେ କହିଛନ୍ତି ଯେ ଏଥିରେ ଅନେକ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି ଯାହା ଫଳରେ ଆଉ ରିମୋଟ୍ କିମ୍ବା ଭଏସ୍ କଣ୍ଟ୍ରୋଲ୍‌ ଦରକାର ପଡ଼ିବନି। ମୋବାଇଲ୍‌ ଫୋନ୍‌ରେ ଏସି ଫିଲ୍‌ଟର୍‌ କେବେ ସଫା ହେବା ଦରକାର ତାହାର ନୋଟିଫିକେସନ୍ ପହଞ୍ଚିବ। ଶକ୍ତି ଉପଯୋଗିତା ଉପରେ ମଧ୍ୟ ନଜର ରଖାଯାଇପାରିବ ବୋଲି ସେ କହିଥିଲେ।