ପିଏଲ୍‌ଆଇ ସ୍କିମ୍‌ରେ କାରଖାନା ସ୍ଥାପନ ପାଇଁ ଓଡ଼ିଶା ଆଗ୍ରହୀ

ନୂଆଦିଲ୍ଲୀ : ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ସ୍କିମ୍‌ରେ ଆଇଟି ଓ ଇଲେକଟ୍ରୋନିକ୍ସ କମ୍ପାନି ସ୍ଥାପନ କରିବା ଲାଗି କେନ୍ଦ୍ର ସରକାର ନିକଟରେ ୭୩୨୫ କୋଟି ଟଙ୍କାର ପ୍ରୋତ୍ସାହନ ଘୋଷଣା କରିଛନ୍ତି। ବିଶେଷକରି ଇଲେ‌କଟ୍ରୋନିକ୍ସ ଓ ଆଇଟି ଉତ୍ପାଦରେ ଦେଶକୁ ଆତ୍ମନିର୍ଭର କରିବାକୁ ଏହି ଯୋଜନା ଘୋଷଣା କରାଯାଇଛି। ତେବେ ଏହି ସ୍କିମ୍‌ରେ ଓଡ଼ିଶା କାରଖାନା ସ୍ଥାପନ ପାଇଁ ଆଗ୍ରହୀ ଅଛି। ରାଜ୍ୟର ୬ଟି ପ୍ରମୁଖ ଶିଳ୍ପ କ୍ଷେତ୍ର ମଧ୍ୟରୁ ଇଲେକଟ୍ରୋନିକ୍ସ ଓ ଆଇଟି ଅନ୍ୟତମ। ତେଣୁ ଓଡ଼ିଶା ଏହି ଶିଳ୍ପରେ ଉପରୋକ୍ତ ସ୍କିମ୍‌ର ଲାଭ ଉଠାଇବାକୁ ଆଗ୍ରହୀ ଅଛି ବୋଲି ଇପିକଲ୍‌ ଏମ୍‌ଡି ନୀତୀନ ଭାନୁଦାସ ଜୱାଲେ ସୂଚନା ଦେଇଛନ୍ତି। ଏକ ଜାତୀୟ ସ୍ତରର ଗଣମାଧ୍ୟମରେ ଏହା ପ୍ରକାଶ ପାଇଛି। ଶ୍ରୀ ଜୱାଲେ କହିଛନ୍ତି, ରାଜ୍ୟ ସରକାର ଧାତବ, ପେଟ୍ରୋକେମିକାଲ, ବୟନଶିଳ୍ପ, ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ ସମେତ ଆଇଟି ଓ ଇଲେକଟ୍ରୋନିକ୍ସକୁ ୬ଟି ପ୍ରମୁଖ କ୍ଷେତ୍ର ଭାବେ ଚିହ୍ନଟ କରିଛନ୍ତି। କିନ୍ତୁ ଏଥିରୁ ଆଇଟି ଓ ‌ଇଲେକଟ୍ରୋନିକ୍ସ କ୍ଷେତ୍ରକୁ ସବୁଠୁ କମ୍ ନିବେଶ ଆସିଛି। ଓଡ଼ିଶାକୁ ଏଫଡିଆଇ ଆଗମନ ଅଧିକ ନାହିଁ। ଯାହା ବି ଆସିଛି ତାହା ମୁଖ୍ୟତଃ ଇସ୍ପାତ ଓ ଧାତବ ଶିଳ୍ପରେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର