ଓଡ଼ିଶା ଏବେ ବିଶ୍ବସ୍ତରୀୟ ଶିଳ୍ପାଞ୍ଚଳ, ଫିକି ବାର୍ଷିକ ଅଧିବେଶନରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ

ଭୁବନେଶ୍ବର: ଫିକିର ୯୩ତମ ବାର୍ଷିକ ସାଧାରଣ ବୈଠକରେ ଓଡ଼ିଶା ଉପରେ ଏକ ସ୍ବତନ୍ତ୍ର ଅଧିବେଶନ ଆଜି ଅନୁଷ୍ଠିତ ହୋଇଛି। ଏହାର ଶୀର୍ଷକ ଥିଲା ‘ଆସ୍ପାୟାରିଂ ଓଡ଼ିଶା ଫର୍ ଇନ୍‌ସ୍ପାୟର୍ଡ ଇଣ୍ଡିଆ’। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ ଓଡ଼ିଶାର ଶିଳ୍ପାୟନର ଅଗ୍ରଗତି ଉପରେ ଆଲୋକପାତ କରିଛନ୍ତି। ବିଶ୍ବଶ୍ରେଣୀର ଶିଳ୍ପାଞ୍ଚଳ ହେବା ନେଇ ଯେଉଁ ଲକ୍ଷ୍ୟ ରହିଥିଲା ତାହା ହାସଲ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ବିଭାଗ ବିଶେଷକରି ଖାଦ୍ୟ ପ୍ରକ୍ରିୟାକରଣ, ରସାୟନ, ପର୍ଯ୍ୟଟନ ଓ ସୂଚନା ପ୍ରଯୁକ୍ତି କ୍ଷେତ୍ର ପାଇଁ ଫିକି ପକ୍ଷରୁ ଏକ ଉତ୍ସର୍ଗୀକୃତ ଟିମ୍‌ ମନୋନୀତ କରିବାକୁ ପ୍ରସ୍ତାବ ରଖିଛନ୍ତି। ଓଡ଼ିଶା ପୂର୍ବ ଭାରତର ଏକ ଉତ୍ପାଦନ ‌କେନ୍ଦ୍ରରେ ପରିଣତ ହୋଇଛି।

ନିବେଶକଙ୍କ ପାଇଁ ସବୁପ୍ରକାର ଅନୁକୂଳ ପରିବେଶ ସୃଷ୍ଟି ପାଇଁ ପ୍ରଚେଷ୍ଟା ହୋଇଛି। ୫-ଟି, ମୋ ସରକାର ଭଳି ବିଭିନ୍ନ ପଦକ୍ଷେପ ଦ୍ବାରା ଶାସନକୁ ପ୍ରଭାବୀ କରିବା ନିମନ୍ତେ ନିଆଯାଉଥିବା ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକ ଯେଭଳି ନିୟାମକ ସଂସ୍ଥା ଗୁଡ଼ିକ ଦ୍ବାରା ଅଯଥା ଅସୁବିଧାରେ ନପଡ଼ିବେ ସେଥିପାଇଁ ୩୦ରୁ ଅଧିକ ସରକାରୀ-ବ୍ୟବସାୟ ସେବାରେ ଅନଲାଇନ ବ୍ୟବସ୍ଥା ପ୍ରଚଳନ କରାଯାଇଛି। ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକ ଯେଭଳି ସହଜରେ କାରଖାନା ବସାଇବା ପାଇଁ ସ୍ଥାନ ପାଇପାରିବେ ସେଥିପାଇଁ ୧ ଲକ୍ଷ ହେକ୍ଟରରୁ ଅଧିକ ଲ୍ୟାଣ୍ଡ ବ୍ୟାଙ୍କ୍ ସୃଷ୍ଟି କରାଯାଇଛି। ୨୦୧୯ ଏପ୍ରିଲ-‌ସେପ୍ଟେମ୍ବର ଅବଧିରେ ନିବେଶ ଆକୃଷ୍ଟ କରିବା କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରିଛି। ଆଗାମୀ ଦିନରେ ମଧ୍ୟ ଓଡ଼ିଶା ଏହି ସ୍ଥାନ ବଜାୟ ରଖିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଓଡ଼ିଶାପ୍ରତି ନିବେଶକମାନଙ୍କ ଅନୁକୂଳ ମନୋଭାବରେ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ଏପରିକି କରୋନା ମହାମାରୀ ସମୟରେ ରାଜ୍ୟକୁ ବିଭିନ୍ନ କ୍ଷେତ୍ରରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପୁଞ୍ଜି ଆସିପାରିଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଛନ୍ତି। ଏଥିସହିତ ଶିଳ୍ପାୟନ କ୍ଷେତ୍ରରେ ରାଜ୍ୟରେ ନିଆଯାଇଥିବା ଅନ୍ୟ ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ମେକ୍ ଇନ୍ ଓଡ଼ିଶାର ଦ୍ବିତୀୟ ସଂସ୍କରଣର ସଫଳତାରେ ଫିକିର ଭୂମିକାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହିତ ତୃତୀୟ ସଂସ୍କରଣରେ ମଧ୍ୟ ସମାନ ପ୍ରକାର ସହଯୋଗ ଫିକି ଜାରି ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ୯୩ତମ ବାର୍ଷିକ ସାଧାରଣ ପରିଷଦ ବୈଠକ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଫିକି ଟିମ୍‌କୁ ଅଭିନନ୍ଦନ ଜଣାଇବା ସହିତ ଓଡ଼ିଶା ସହିତ ମିଶି ଭବିଷ୍ୟତର କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ଫିକିକୁ ଶୁଭେଚ୍ଛା ଜଣାଇଥିଲେ।

ଏହି ଅବସରରେ ଗତ ଦୁଇ ଦଶନ୍ଧି ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡ଼ିଶାକୁ କିଭଳି ଏକ ଉନ୍ନତ ଶିଳ୍ପାଞ୍ଚଳରେ ପରିଣତ କରାଯାଇଛି ଏବଂ କରୋନା ସମୟରେ ରାଜ୍ୟକୁ ପୁଞ୍ଜିନିବେଶ ଆସିଛି ତାହାର ଏକ ଭିଡିଓ ପ୍ରଦର୍ଶନ ହୋଇଥିଲା। ଫିକି ସଭାପତି ଡ ସଂଗୀତା ରେଡ୍ଡୀ ଏଥିରେ ସ୍ବାଗତ ଭାଷଣ ଦେଇଥିବାବେଳେ ଜେକେ ପେପର ଲିମିଟେଡର ଏମଡି ହର୍ଷ ପତି ସିଂଘାଣିଆ, ଏଚଏସଆଇଏଲ ଏମଡି ସନ୍ଦୀପ ସୋମାନି ପ୍ରମୁଖ ଓଡ଼ିଶା ପକ୍ଷରୁ ଶିଳ୍ପାୟନ କ୍ଷେତ୍ରରେ ମିଳୁଥିବା ସୁବିଧା ସୁଯୋଗ ସଂପକରେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିସନର ସୁରେଶ ମହାପାତ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର