ଭୁବନେଶ୍ବର: ଆମିଷ ପ୍ରିୟ ଲୋକମାନଙ୍କ ଭୋଜନରେ ମାଛର ଭାଗ ବଢ଼ିବାରେ ଲାଗିଛି। ଦେଶରେ ମୁଣ୍ଡପିଛା ମାଛ ବ୍ୟବହାର ୧୫ ବର୍ଷ ଭିତରେ ଦ୍ବିଗୁଣିତ ହୋଇ ୮ କେଜି ୮୯ ଗ୍ରାମରେ ପହଞ୍ଚିଛି। ରାଜ୍ୟଗୁଡ଼ିକ ଭିତରେ ତ୍ରିପୁରାରେ ଅଧିକାଂଶ ଲୋକ ମାଛ ଖାଉଥିବା ବେଳେ ହରିୟାଣାରେ କମ୍ ଲୋକ ମାଛକୁ ଭୋଜନରେ ବ୍ୟବହାର କରନ୍ତି। ସାପ୍ତାହିକ ମାଛ ବ୍ୟବହାରରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି। ଓଡ଼ିଶାରେ ସପ୍ତାହକୁ ୬୬.୮ ଲୋକ ମାଛ ଖାଉଛନ୍ତି। ୬୯ ପ୍ରତିଶତ ସହ ଆସାମ ଓ ତ୍ରିପୁରା ଯୁଗ୍ମ ଭାବେ ପ୍ରଥମ ସ୍ଥାନରେ ରହିଛନ୍ତି ବୋଲି ୱାର୍ଲଡ୍‌ଫିସ୍‌ ରି‌ପୋର୍ଟରୁ ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ତାମିଲନାଡୁ, କେରଳ ଓ ଗୋଆରେ ମାଛର ୯୦% ଉପଭୋକ୍ତା ରହିଛନ୍ତି। ଉତ୍ତର ଭାରତ ରାଜ୍ୟଗୁଡ଼ିକ ମଧ୍ୟରେ ପଞ୍ଜାବ‌ରେ ମାଛ ବ୍ୟବହାର କରୁଥିବା ଲୋକଙ୍କ ହାର ୨୬.୪୫ ପ୍ରତିଶତ ଥିବା ବେଳେ ହରିୟାଣାରେ ମାତ୍ର ୨୦.୫୫ ପ୍ରତିଶତ ଏବଂ ରାଜସ୍ଥାନରେ ୨୨.୫ ପ୍ରତିଶତ ରହିଛି। ଉପଲବ୍ଧତା ଓ ସାଂସ୍କୃତିକ କାରଣ ପାଇଁ ଏହି ଅଞ୍ଚଳରେ ମାଛ ଖାଉଥିବା ଲୋକଙ୍କ ସଂଖ୍ୟା କମ୍ ରହିଛି।

Advertisment

ପ୍ରତିଦିନ ମାଛ ଖାଇବାରେ ୫୩.୫ ପ୍ରତିଶତ ସହ କେରଳ ଶୀର୍ଷ ସ୍ଥାନରେ ଥିବା ବେଳେ ଏହା ପଛକୁ ରହିଛି ଗୋଆ (୩୬.୨ ପ୍ରତିଶତ), ପଶ୍ଚିମବଙ୍ଗ (୨୧.୯୦ ପ୍ରତିଶତ), ମଣିପୁର (୧୯.୭୦ ପ୍ରତିଶତ), ଆସାମ (୧୩.୧୦ ପ୍ରତିଶତ) ଓ ତ୍ରିପୁରା (୧୧.୫୦ ପ୍ରତିଶତ)। ସାପ୍ତାହିକ ମାଛ ଖାଇବାରେ ଓଡ଼ିଶା ପଛକୁ ରହିଛି ପଶ୍ଚିମବଙ୍ଗ (୬୫.୭୫ ପ୍ରତିଶତ), ଅରୁଣାଚଳପ୍ରଦେଶ (୬୫.୨୫ ପ୍ରତିଶତ) ଓ ତାମିଲନାଡ଼ୁ (୫୮.୨ ପ୍ରତିଶତ)। ଗତ ୧୫ ବର୍ଷ ଭିତରେ ଜମ୍ମୁ ଓ କାଶ୍ମୀ‌ରରେ ମାଛ ବ୍ୟବହାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଏହି ସମୟରେ ପଞ୍ଜାବରେ ମାଛ ବ୍ୟବହାର କମ୍ ହୋଇଛି। ମହିଳାମାନଙ୍କ ତୁଳନାରେ ପୁରୁଷମାନେ ଅଧିକ ମାଛ ଖାଉଛନ୍ତି। ପୁରୁଷମାନେ ପ୍ରାୟ ସବୁ ପ୍ରକାର ଆମିଷ ଖାଉଛନ୍ତି। ନିଜ ଭୋଜନରେ ମାଛକୁ ସାମିଲ କରିଥିବା ଲୋକଙ୍କ ହାର ୭୨.୧ ପ୍ରତିଶତକୁ ବୃଦ୍ଧି ପାଇଛି। ଭାରତ ହେଉଛି ବିଶ୍ବର ତୃତୀୟ ବୃହତ୍ତମ ମାଛ ଉତ୍ପାଦନକାରୀ ଦେଶ। ବିଶ୍ବ ଉତ୍ପାଦନ ପ୍ରତି ଏହାର ଅବଦାନ ୮ ପ୍ରତିଶତ ରହିଛି। ମୁଣ୍ଡପିଛା ମାଛ ଯୋଗାଣରେ କିନ୍ତୁ ବିଶ୍ବର ୧୩୮ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ହେଉଛି ୧୨୯। ୨୦୪୭ ବେଳକୁ ଦେଶରେ ମାଛ ବ୍ୟବହାର ଦୁଇ ଗୁଣା ବୃଦ୍ଧି ପାଇ ୨୬.୫୦ ନିୟୁତ ଟନ୍‌ରେ ପହଞ୍ଚିବ। ସେହି ସମୟରେ ବାର୍ଷିକ ମୁଣ୍ଡପିଛା ମାଛ ବ୍ୟବହାର ୧୬ କେଜିରୁ ଅଧିକ ହେବ ବୋଲି ରିପୋର୍ଟରେ ଆକଳନ କରାଯାଇଛି।

ଆଇସିଏଆର୍‌ର ଉପମହାନିର୍ଦ୍ଦେଶକ (ମତ୍ସ୍ୟବିଜ୍ଞାନ) ଡ. ଜେ.କେ. ଜେନା କହିଛନ୍ତି ଯେ ପରିବାରରେ ମାଛ ବ୍ୟବହାର ସହ ଥିବା ସାମାଜିକ, ଅର୍ଥନୈତିକ ଓ ଭୌ‌ଗୋଳିକ ସମ୍ପର୍କକୁ ନେଇ ବ୍ୟାପକ ଗବେଷଣା ହେବା ଉଚିତ। ଦେଶର ସ୍ବାସ୍ଥ୍ୟ ପାଇଁ ଖାଦ୍ୟ ସୁରକ୍ଷା ଓ ଅପପୁଷ୍ଟିରେ ମାଛର ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ସ୍ବୀକୃତି ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।