ବକ୍ସାଇଟ୍ ଉତ୍ପାଦନରେ ଓଡ଼ିଶା ଦେଶରେ ପ୍ରଥମ, ଖଣି ମନ୍ତ୍ରାଳୟ ବାର୍ଷିକ ରିପୋର୍ଟ

ନୂଆଦିଲ୍ଲୀ: ଓଡ଼ିଶା ବକ୍ସାଇଟ୍ ଉତ୍ପାଦନରେ ଦେଶରେ ପ୍ରଥମ ରହିଥିବା କେନ୍ଦ୍ର ଖଣି ମନ୍ତ୍ରାଳୟର ୨୦୨୦-୨୧ର ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁଯାୟୀ, ୭୦.୯୫ ପ୍ରତିଶତ ବକ୍ସାଇଟ୍ ଓଡ଼ିଶାରେ ଉତ୍ପାଦନ ହୋଇଛି। ଅପରପକ୍ଷେ ଖଣିଜ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି। ରାଜସ୍ଥାନ ୧୭.୧୪ ପ୍ରତିଶତ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଓଡ଼ିଶାରେ ଖଣିଜ ଉତ୍ପାଦନ ୧୩.୭୨ପ୍ରତିଶତ ରହିଛି ।

ଓଡ଼ିଶାରେ ୨୦୧୯-୨୦ ତୁଳନାରେ ୨୦୨୦-୨୧ରେ ଖଣିଜ ଉତ୍ପାଦନର ମୂଲ୍ୟରେ ୪୪.୨୩ ପ୍ରତିଶତ ହ୍ରାସ ଆସିଥିବାର କୁହାଯାଇଛି। ୨୦୨୦-୨୧ରେ ଯେତେ ପରିମାଣର କ୍ରୋମାଇଟ୍ ଉତ୍ପାଦନ ହୋଇଛି ତାହା ଓଡ଼ିଶାରୁ ହୋଇଛି। ଲୁହାପଥର ଉତ୍ପାଦନରେ ୪୫.୬୪ ପ୍ରତିଶତ ସହ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି। ଖଣିଜ ସମ୍ପଦରୁ ୨୦୧୯-୨୦ରେ ରାଜ୍ୟକୁ ୭,୮୪, ୩୫୧ ଲକ୍ଷ ଟଙ୍କାର ରାଜସ୍ୱ ହାସଲ କରିଛି। ୨୦୧୮-୧୯ରେ ଏହାର ପରିମାଣ ୭,୫୮, ୧୧୭ ଲକ୍ଷ ଟଙ୍କା ରହିଥିଲା । ରାଜ୍ୟରେ ବେଆଇନ୍ ଖଣିଜ ଖନନର ତଦାରଖ ପାଇଁ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି। ୨୦୨୦ର ଜାନୁଆରିରୁ ଡିସେମ୍ବର ସୁଦ୍ଧା ରାଜ୍ୟରେ ସର୍ବାଧିକ ୧୩୪ଟି ଖଣିର ଆଇବିଏମ୍ ଦ୍ୱାରା ତଦାରଖ କରାଯାଇଥିଲା। ଏହି ସମୟରେ ରାଜ୍ୟରେ ୧୮ଟି ମାଇନିଂ ପ୍ଲାନ ମଞ୍ଜୁରି ପାଇଥିବା ବେଳେ ୫ଟି ମଞ୍ଜୁରି ପାଇନଥିଲା ବୋଲି ରିପୋର୍ଟରେ କୁହାଯାଇଛି। ରିପୋର୍ଟରେ ମାର୍ଚ୍ଚ ୨୮, ୨୦୨୦ ସୁଦ୍ଧା ଜିଲ୍ଲା ଖଣିଜ ପାଣ୍ଠି ଅନ୍ତର୍ଗତ ଓଡ଼ିଶାରେ ୩,,୨୭୪.୧୮ କୋଟି ଟଙ୍କାରୁ ମାର୍ଚ୍ଚ ୨୮, ୨୦୨୦ ପରଠାରୁ କୋଭିଡ୍ ପରିଚାଳନା ବାବଦରେ ୯୯.୪୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାର ଉଲ୍ଲେଖ ଅଛି। ରିପୋର୍ଟରେ ସିଏସ୍‌ଆର୍ କାର୍ଯ୍ୟକ୍ରମ ଅନ୍ତର୍ଗତ ନାଲ୍‌କୋ ଦ୍ୱାରା ୨୦୨୦-୨୧ରେ ପିଏମ୍‌ କେୟାର୍ସ ଫଣ୍ଡକୁ ୭.୬ କୋଟି ଟଙ୍କା ତଥା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ୨.୬ କୋଟି ଟଙ୍କା ପ୍ରଦାନ କରାଯାଇଥିବାର କୁହାଯାଇଛି।

ସମ୍ବନ୍ଧିତ ଖବର