ଭୁବନେଶ୍ବର: ଆଧାରକୁ ବ୍ୟବହାର କରି ରାଜ୍ୟଗୁଡ଼ିକ କଲ୍ୟାଣମୂଳକ ଯୋଜନାର ଲାଭ ଲୋକମାନଙ୍କ ପାଖରେ ପହଞ୍ଚାଯାଉଛନ୍ତି। ସେମାନେ ଆଧାରକୁ ନଜରରେ ରଖି ଯୋଜନାଗୁଡ଼ିକୁ ପ୍ରସ୍ତୁତ କରୁଛନ୍ତି। ଆଧାର ଗ୍ରହଣୀୟତାରେ ଓଡ଼ିଶା ଅଗ୍ରଣୀ ରହିଛି ବୋଲି ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ)ର ସିଇଓ ଭୁବନେଶ କୁମାର କହିଛନ୍ତି। ଆଧାରକୁ ନେଇ କୃଷି ଭବନ ସମ୍ମିଳନୀ କକ୍ଷରେ ହାଇଦ୍ରାବାଦସ୍ଥିତ ୟୁଆଇଡିଏଆଇର ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ଆଇଟି ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଥିଲେ ଯେ ୯୫ ପ୍ରତିଶତ ଲୋକଙ୍କ ପାଖରେ ଆଧାର ପହଞ୍ଚିଛି ଏବଂ ଦୈନିକ ୯.୩୮ କୋଟି ଆଧାର ପ୍ରମାଣୀକରଣ ହେଉଛି। 

Advertisment

ଏହି ଅବସରରେ ମୁଖ୍ୟ ସଚିବ ମନୋଜ ଆହୁଜା କହିଛନ୍ତି ଯେ ଆଧାର ପାଇଁ ସୁଭଦ୍ରା ଭଳି ଏକ ବୈପ୍ଳବିକ ଯୋଜନାକୁ ଅଳ୍ପ ସମୟ ଭିତରେ ଲାଗୁ କରାଯାଇଥିଲା। ବିଭିନ୍ନ ବିଭାଗ ଦ୍ବାରା ଆଧାରର ବ୍ୟାପକ ବ୍ୟବହାର ହେଲେ ତାହା ସବୁ ସମ୍ଭାବନାକୁ ବାସ୍ତବ କରିପାରିବ ଏବଂ ଲୋକଙ୍କ ଜୀବନକୁ ସହଜ କରିପାରିବ ବୋଲି କହିଛନ୍ତି। ଆଇଟି ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ ଯେ ପାଞ୍ଚ ବର୍ଷରୁ କମ୍ ବୟସର ପିଲାମାନଙ୍କ ଆଧାର ଲିଙ୍କ୍‌ (ଅନୁବନ୍ଧନ) ତ୍ବରାନ୍ବିତ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ଏଦିଗରେ ମହିଳା ଓ ଶିଶୁ ବିକାଶ ବିଭାଗ ଓ ଆଇଟି ବିଭାଗ ମିଳିତ ଭାବେ କାମ କରୁଥିବା ସେ ସୂଚନା ଦେଇଥିଲେ। ଏହି ଅବସରରେ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।