ଭୁବନେଶ୍ବର: ବାଲେଶ୍ବର ଏଫ୍‌ଏମ୍‌ ସ୍ବୟଂଶାସିତ ମହାବିଦ୍ୟାଳୟ  ଛାତ୍ରୀଙ୍କ ଆତ୍ମାହୁତି ମାମଲାରେ ଆଜି କଂଗ୍ରେସ ଓ  ବାମଦଳଗୁଡ଼ିକ ପକ୍ଷରୁ ଓଡ଼ିଶା ବନ୍ଦ କରାଯାଇଥିଲା। ଏହି ବନ୍ଦ ଯୋଗୁ କେବଳ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୋଇନାହାନ୍ତି, ଅର୍ଥନୀତିକୁ ବହୁମୂଲ୍ୟ ଦେବାକୁ ପଡ଼ିଛି। ଦୋକାନ ବଜାର ବନ୍ଦ ଠାରୁ ଆରମ୍ଭ କରି ଗାଡ଼ି, ବସ୍‌, ଟ୍ରକ୍‌, ଟ୍ୟାକ୍ସି, ଅଟୋ ଆଦିର ଚକା ନଗଡ଼ିବା କାରଣରୁ ଓଡ଼ିଶା ଅର୍ଥନୀତିକୁ ପ୍ରାୟ ୧୫୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ରାଜ୍ୟ ସରକାରଙ୍କ ୨୦୨୪-୨୫ର ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ ଓଡ଼ିଶା ଅର୍ଥନୀତିର ମୋଟ ‌ଘରୋଇ ଉତ୍ପାଦ ବା ଜିଏସ୍‌ଡିପି ପ୍ରାୟ ୯.୫ ଲକ୍ଷ କୋଟି ଟଙ୍କା ରହିଛି। ଅର୍ଥାତ୍‌ ରାଜ୍ୟର ଗୋଟିଏ ଦିନର ଜିଏସ୍‌ଡିପି ପ୍ରାୟ ୨୬୦୦ କୋଟି ଟଙ୍କା ହେବ। ସେହି ଦୃଷ୍ଟିରୁ ବିଚାର କଲେ ଓଡ଼ିଶା ବନ୍ଦର ବଡ଼ ପ୍ରଭାବ ଅର୍ଥନୀତି ଉପରେ ପଡ଼ିଛି। ଆଜିର ବନ୍ଦ ପାଇଁ ରାଜ୍ୟ ଅର୍ଥନୀତିକୁ ପ୍ରାୟ ୧୫୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା ମତ ଦେଇଛନ୍ତି।

Advertisment

jfgfhfhfh

ବନ୍ଦ ପାଇଁ ପରିବହନ ‌କ୍ଷେତ୍ରରେ ସବୁଠୁ ଅଧିକ କ୍ଷତି ହୋଇଛି। ବସ୍‌, ଟ୍ରକ୍‌, ଟ୍ୟାକ୍ସି, ଅଟୋ ଆଦି ଗଡ଼ି ପାରିନାହିଁ। ରାଜ୍ୟରେ ଅ‌‌‌ଢ଼େଇ ଲକ୍ଷ ଟ୍ରକ୍‌ ଠିଆ ହେବା କାରଣରୁ ସେମାନଙ୍କୁ ପ୍ରାୟ ୨୦୦ କୋଟି ଟଙ୍କାର କ୍ଷତି ହୋଇଛି ବୋଲି ରାଜ୍ୟ ଟ୍ରକ୍‌ ମାଲିକ ମହାସଂଘର ସାଧାରଣ ସଂପାଦକ ରବି ଶତପଥୀ କହିଛନ୍ତି। ମିନିଟ୍ରକ୍‌ଗୁଡ଼ିକ ମଧ୍ୟ ପ୍ରାୟ ୪୦ କୋଟି ଟଙ୍କାର କ୍ଷତି ସହିଛନ୍ତି ବୋଲି ନିଖିଳ ଓଡ଼ିଶା ମିନିଟ୍ରକ୍‌ ମାଲିକ ମହାସଂଘର ସଭାପତି ଗଣେଶ ମାହାରୀ ସୂଚନା ଦେଇଛନ୍ତି। ତେଣୁ ଟ୍ରକ ଶିଳ୍ପକୁ ୨୪୦ କୋଟି ଟଙ୍କାର କ୍ଷତି ହୋଇଛି। ରାଜ୍ୟରେ ପ୍ରାୟ ୧୬ ହଜାର ସରକାରୀ ଏବଂ ଘରୋଇ ବସ ଚଳାଚଳ ବନ୍ଦ ରହିବା ଫଳରେ ୮ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି ବୋଲି ଓଡ଼ିଶା ଘରୋଇ ବସ୍‌ ମାଲିକ ମହାସଂଘର ସଭାପତି ଲୋକନାଥ ପାଣି କହିଛନ୍ତି। ଅଟୋ ଏବଂ ଟ୍ୟାକ୍ସି ଚଳାଚଳ କରି ନ ପାରିବା କାରଣରୁ ପ୍ରାୟ ୮ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି ବୋଲି ଓଡ଼ିଶା ଅଟୋ ଏବଂ ଟ୍ୟାକ୍ସି ମହାସଂଘର ସାଧାରଣ ସଂପାଦକ ପଦ୍ମନ ସାମଲ କହିଛନ୍ତି। କେବଳ ସେତିକି ନୁହେଁ, ଆଜି ବନ୍ଦ ପାଇଁ ପାଖାପାଖି ୪୦ ପ୍ରତିଶତ ପେଟ୍ରୋଲ୍ ଓ ଡିଜେଲ୍‌ ବିକ୍ରି ବାଧାପ୍ରାପ୍ତ ହୋଇଛି। ବନ୍ଦ ପାଇଁ ରାଜ୍ୟରେ ୫୦ କୋଟି ଟଙ୍କାର ପେଟ୍ରୋଲ୍‌ ଓ ଡିଜେଲ୍‌ ବିକ୍ରି ଠପ୍‌ ହୋଇଥିବା ଓଡ଼ିଶା ପେଟ୍ରୋଲିୟମ୍‌ ଡିଲର୍‌ ମହାସଂଘର ସାଧାରଣ ସଂପାଦକ ସଞ୍ଜୟ ଲାଠ୍‌ ମତ ଦେଇଛନ୍ତି। କେବଳ ଗାଡ଼ି କିମ୍ବା ପେଟ୍ରୋଲ୍‌, ଡିଜେଲ୍‌ ନୁହେଁ ବନ୍ଦ ପାଇଁ କଳ କାରଖାନାର ଉତ୍ପାଦନ ବନ୍ଦ, ଶ୍ରମିକମାନଙ୍କ କାର୍ଯ୍ୟ ସମୟ ନଷ୍ଟ ଆଦି କାରଣରୁ ମଧ୍ୟ ବଡ଼ଧରଣର କ୍ଷତି ରାଜ୍ୟ ସହିବାକୁ ପଡ଼ିଛି।