କେନ୍ଦ୍ର ବଜେଟ୍ ଉପରେ ଓଡ଼ିଶାର ନଜର

ନୂଆଦିଲ୍ଲୀ/ ଭୁବନେଶ୍ବର: ଆସନ୍ତା କାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ଦେଶର ଅର୍ଥନୈତିକ ମାନ୍ଦାବସ୍ଥା ଜାରି ରହିଥିବା ବେଳେ ଓଡ଼ିଶା ପରିପ୍ରେକ୍ଷୀରେ ଏହା ଗୁରୁତ୍ବ ବହନ କରୁଛି। ସେହିଭଳି ରେଳ ବଜେଟ୍‌ରେ ଓଡ଼ିଶା ଲଗାତାର ଲାଭ ପାଉଥିବା ବେଳେ ଏଥର ମଧ୍ୟ ଓଡ଼ିଶାକୁ ରେଳ ବଜେଟ୍ ପାଇଁ ଅନୁଦାନ ବୃଦ୍ଧିହେବାର ସମ୍ଭାବନା ରହିଛି, ଯାହାଦ୍ବାରା ଅସମ୍ପୂର୍ଣ୍ଣ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ଶେଷ କରାଯାଇ ପାରିବ। ଓଡ଼ିଶାର ଆର୍ଥିକ ବ୍ୟୟବରାଦ ବୃଦ୍ଧି କରାଯିବାର ମଧ୍ୟ ସମ୍ଭାବନା ରହିଛି। ଯାହା ରାଜ୍ୟର ଆର୍ଥିକ ସନ୍ତୁଳନ ପାଇଁ ସହାୟକ ହେବ।

ତେବେ ସାଧାରଣ ବଜେଟ୍‌ରେ ଓଡ଼ିଶାକୁ କ’ଣ ମିଳିବ ଓ ନମିଳିବ ସେ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା। ଶ୍ରୀ ବେହେରା କହିଛନ୍ତି, କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା, ଭିତ୍ତିଭୂମି ବିକାଶ ବାବଦରେ ଓଡ଼ିଶାକୁ ଅଧିକ ଅନୁଦାନ ମିଳିବା ଦରକାର। ବିଶେଷକରି କେନ୍ଦ୍ର ସରକାର ଏ କ୍ଷେତ୍ରରେ ୧ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିରେ ଓଡ଼ିଶାର ଭାଗ କେତେ? ସେହିପରି ସବୁ ଘରକୁ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ନେଇ କେନ୍ଦ୍ର ସରକାର ‘ହର୍‌ ଘର୍‌ ଜଲ୍‌ ଯୋଜନା’ ଆରମ୍ଭ କରିବାକୁ ଯାଉଛନ୍ତି। ପାନୀୟ ଜଳ ଯୋଗାଣ ନେଇ ଓଡ଼ିଶା ସରକାର ୩ ବର୍ଷ ତଳୁ ବସୁଧା ଯୋଜନା କାର୍ଯ୍ୟକାରୀ କରିଆସୁଛନ୍ତି। ଉଭୟ ଯୋଜନା ଏକୀକରଣ ହେବ ନା ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନ ବାବଦରେ ଅଧିକ ମିଳିବ ତା ଉପରେ ନଜର ରହିଛି। ମୁଖ୍ୟତଃ ପଞ୍ଚଦଶ ଅର୍ଥ କମିସନ ତାଙ୍କ ଅନ୍ତରୀଣ ରିପୋର୍ଟରେ ରାଜ୍ୟଅଂଶ ବାବଦରେ କେତେ ଟଙ୍କା ଦେବାକୁ ସୁପାରିସ କରିଛନ୍ତି ତା ଆସନ୍ତାକାଲି ବଜେଟ୍‌ରେ ଜଣାପଡ଼ିବ। ଏହାଛଡ଼ା ଜିଏସ୍‌ଟି ବାବଦରେ କେନ୍ଦ୍ର ସରକାର ୧୩୪୫ କୋଟି ଟଙ୍କା ଦେଇନାହାନ୍ତି। ଜାନୁଆରି ମାସସୁଦ୍ଧା ଏହି ବକେୟା ରାଶି ୨ ହଜାର ୫୦୦ କୋଟି ଟପିଯିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ।

ସେ ଆହୁରି ଦର୍ଶାଇଛନ୍ତି, ୩ଟି ନୂଆ ରେଳଲାଇନ୍‌ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ। ଏହାସହିତ ଅନେକ ରେଳଲାଇନ୍‌ର ଦୋହରୀକରଣ କାର୍ଯ୍ୟ ବାକି ରହିଛି। ରାଜ୍ୟରେ ଚାଲୁରହିଥିବା ବିଭିନ୍ନ ରେଳ ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ରେଳ ବଜେଟ୍‌ରେ ଅଧିକ ବ୍ୟୟବରାଦ ହେବା ଆବଶ୍ୟକ। ରାଜ୍ୟରେ ରେଳବାଇର ବିକାଶ ପାଇଁ ଆସନ୍ତା ୨୦୨୦-୨୧ ଆର୍ଥିକ ବର୍ଷ ବଜେଟରେ ୬ ହଜାର କୋଟି ଟଙ୍କାରୁ ଅଧିକ ବ୍ୟୟ ବରାଦ କରିବା ପାଇଁ କେନ୍ଦ୍ରକୁ ରାଜ୍ୟ ସରକାର ଜଣାଇଥିବା କହିଥିଲେ। ଓଡ଼ିଶା ଦ୍ବାରା ଦୀର୍ଘ ଦିନରୁ ରାଜ୍ୟରେ ଖଣି କାର୍ଯ୍ୟ ଚାଲୁଥିବାରୁ ପରିବେଶ ପ୍ରଦୂଷଣଜନିତ କ୍ଷତି ରାଜ୍ୟବାସୀ ସହୁଛନ୍ତି। ଖଣି କାର୍ଯ୍ୟ ଦ୍ବାରା ଦେଶ ଓ ଅନ୍ୟ ରାଜ୍ୟ ଲାଭ ପାଉଥିବା ବେଳେ ଓଡ଼ିଶା କ୍ଷତିଗ୍ରସ୍ତ ହେଉଛି। କ୍ଷତିପୂରଣ ବାବଦକୁ କ୍ଲିନ୍ ଏନର୍ଜି ବାବଦରେ ବଜେଟ୍‌ରେ ବ୍ୟବସ୍ଥା ହେବାର ସମ୍ଭାବନା ରହିଛି। ଏତଦ୍ ବ୍ୟତୀତ ଜିଏସଟି ଲାଗୁ ହେବା ପରେ ରାଜ୍ୟର ଯେଉଁ ଆର୍ଥିକ କ୍ଷିତିପୂରଣ ମିଳିବା କଥା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ। ସାଧାରଣ ବଜେଟ୍ ରେ ଏହାକୁ ବିଚାର କରାଯିବାର ସମ୍ଭାବନା ରହିଛି। ସର୍ବୋପରି କୋଇଲା ରୟାଲିଟି ବୃଦ୍ଧି ପ୍ରସଙ୍ଗରେ ମଧ୍ୟ ବଜେଟ୍ ରେ କିଛି ଘୋଷଣା ହୋଇପାରେ ଏନେଇ ସମ୍ଭାବନା ରହିଛି। ଓଡ଼ିଶା ଭଳି ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟ ପାଇଁ ଫୋକସ୍ ଷ୍ଟେଟ୍ ଅନ୍ତର୍ଗତ ବଜେଟ୍ ରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବାର ଆଶା କରାଯାଉଛି। ଉଲ୍ଲେଖଯୋଗ୍ୟ ମୋଦୀ ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ରେ ରାଜ୍ୟ ପାଇଁ କୌଣସି ସ୍ବତନ୍ତ୍ର ଘୋଷଣା କରାଯାଇନଥିଲା।

ସମ୍ବନ୍ଧିତ ଖବର