ଓଡ଼ିଶା ହରାଇଲା ୪୨ ହଜାର ମୋବାଇଲ୍‌ ଗ୍ରାହକ

ବିଏସ୍‌ଏନ୍‌ଏଲ୍‌, ଜିଓ ଯୋଡ଼ିଲେ

ଭୁବନେଶ୍ବର : ଚଳିତ ବର୍ଷ ମେ’ ମାସରେ ରାଜ୍ୟର ମୋବାଇଲ୍ ଗ୍ରାହକ ସଂଖ୍ୟା ୪୨,୩୩୪ ହ୍ରାସ ପାଇଛି। ଫଳରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୪୪ ଲକ୍ଷ ୫୩ ହଜାର ୩୩କୁ ହ୍ରାସ ପାଇଛି। ଏପ୍ରିଲ୍ ମାସରେ ରାଜ୍ୟରେ ୩ କୋଟି ୪୪ ଲକ୍ଷ ୯୫ ହଜାର ୩୬୭ ଜଣ ମୋବାଇଲ୍‌ ଗ୍ରାହକ ଥିଲେ ବୋଲି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ରିପୋର୍ଟରୁ ଜଣାପଡ଼ିଛି।

ମେ’ ମାସରେ ରାଜ୍ୟରେ ରିଲାଏନ୍ସ ଜିଓ ସର୍ବାଧିକ ୧ ଲକ୍ଷ ୪୭, ୫୩୫ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ବିଏସ୍‌ଏନ୍‌ଏଲ୍‌ ୧୭,୭୩୮ ଜଣ ନୂଆ ଗ୍ରାହକ ହାସଲ କରିଛି। ଏହି ମାସରେ ଏୟାଟେଲ୍‌ ୧ ଲକ୍ଷ ୪୬ ହଜାର ୫୨୧ ଓ ଭୋଡାଫୋନ୍ ଆଇଡିଆ ୬୧ ହଜାର ୮୬ ଜଣ ଗ୍ରାହକଙ୍କୁ ହରାଇଛନ୍ତି। ମେ’ ମାସ ଶେଷ ସୁଦ୍ଧା ଏୟାରଟେଲ୍‌ ପାଖରେ ଓଡ଼ିଶା ୧ କୋଟି ୧୦ ଲକ୍ଷ ୪୭ ହଜାର ୭୩୮ ଜଣ ଗ୍ରାହକ ଥିବା ବେଳେ ଜିଓ ପାଖରେ ୧ କୋଟି ୪୭ ଲକ୍ଷ ୪୨ ହଜାର ୧୪ ଜଣ ଗ୍ରାହକ ରହିଛନ୍ତି। ବିଏସ୍‌ଏନ୍‌ଏଲ୍‌ ପାଖରେ ୬୪ ଲକ୍ଷ ୯ ହଜାର ୨୪୪ ଜଣ ଓ ଭୋଡା‌ଫୋନ୍ ଆଇଡିଆ ପାଖରେ ୨୨ ଲକ୍ଷ ୫୩ ହଜାର ୮୪୭ ଜଣ ଗ୍ରାହକ ରହିଛନ୍ତି।

ଟ୍ରାଇ ରିପୋର୍ଟ ଅନୁସାରେ ସର୍ବଭାରତୀୟ ସ୍ତରରେ ଜିଓ ଏକମାତ୍ର କଂପାନି ଯାହା ୩୫ ଲକ୍ଷ ୫୦ ହଜାର ନୂଆ ଗ୍ରାହକ ଯୋଡ଼ିଛି। ଅନ୍ୟ ସବୁ ମୋବାଇଲ୍ କଂପାନି ଗ୍ରାହକ ହରାଇଛନ୍ତି। ଏୟାରଟେଲ୍ ୪୬.୧ ଲକ୍ଷ ଗ୍ରାହକ ହରାଇଥିବା ବେଳେ ଭୋଡାଫୋନ୍ ଆଇଡିଆ ୪୨ ଲକ୍ଷ ୮୦ ହଜାର ଗ୍ରାହକଙ୍କୁ ହରାଇଛି। ମେ’ ମାସ ଶେଷ ସୁଦ୍ଧା ଦେଶର ୪୩.୧୨ କୋଟି ଗ୍ରାହକ ଜିଓ ପାଖରେ ଥିବା ବେଳେ ଏୟାରଟେଲ୍‌ ପାଖରେ ୩୪.୮ କୋଟି ଓ ଭୋଡାଫୋନ୍ ଆଇଡିଆ ପାଖରେ ୨୭.୭ କୋଟି ଗ୍ରାହକ ରହିଛନ୍ତି। ମୋଟ ଉପରେ ଏହି ମାସରେ ୬୨ ଲକ୍ଷ ୭୦ ହଜାର ଗ୍ରାହକ ମୋବାଇଲ୍ ନେଟ୍‌ୱର୍କ ବାହାରକୁ ଚାଲିଯାଇଛନ୍ତି। ଫଳରେ ଦେଶର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୧୧୭.୬ କୋଟିକୁ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର