ଭୁବନେଶ୍ବର: ଚଳିତ ବର୍ଷର ପ୍ରଥମ ମାସରେ ରାଜ୍ୟରେ ୬୯,୫୭୯ଟି ଗାଡ଼ି ବିକ୍ରି ହୋଇଛି। ୨୦୨୪ ଜାନୁଆରିରେ ହୋଇଥିବା ୬୮,୦୨୪ ଗାଡ଼ି ବିକ୍ରି ତୁଳନାରେ ଏହା ୨.୨୯ ପ୍ରତିଶତ ଅଧିକ ବୋଲି ଅଟୋମୋବାଇଲ୍‌ ଡିଲର୍‌ଙ୍କ ସର୍ବଭାରତୀୟ ମହାସଂଘ ଏଫ୍‌ଏଡିଏ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି। ଜାନୁଆରିରେ କାର୍‌ ବିକ୍ରିରେ ଉତ୍ସାହଜନକ ୧୬.୦୯ ପ୍ରତିଶତ ବୃଦ୍ଧି ହୋଇଛି। ଅନ୍ୟ ଗାଡ଼ିଗୁଡ଼ିକର ବିକ୍ରି ନଗଣ୍ୟ ଭାବେ ବଢ଼ିଛି। ଦୁଇଚକିଆ ଯାନ ବିକ୍ରି ୫୪ହଜାର ସ୍ତର ପାଖାପାଖି ପହଞ୍ଚିଛି। କିନ୍ତୁ ପୂର୍ବବର୍ଷର ଜାନୁଆରିର ବିକ୍ରି ତୁଳନାରେ ବୃଦ୍ଧି ମାତ୍ର ୦.୯୩ ପ୍ରତିଶତ ରହିଛି। ବାଣିଜ୍ୟିକ ଯାନ ଓ ଟ୍ରାକ୍ଟର ବିକ୍ରି ହ୍ରାସ ପାଇଛି। କିନ୍ତୁ ତିନିଚକିଆ ଯାନ ବିକ୍ରି ବଢ଼ିଛି। ଏ ସମ୍ପର୍କରେ ଏଫ୍‌ଏଡିଏ ଓଡ଼ିଶା ଶାଖାର ଅଧ୍ୟକ୍ଷ ଅଖିଳ ପୋଦାର କହିଛନ୍ତି ଯେ ବିବାହ ଋତୁ ପାଇଁ ବଜାରରେ ଉତ୍ସାହ ଫେରିଛି। ଗ୍ରାମୀଣ ବଜାରରେ ମଧ୍ୟ ଗାଡ଼ି ବିକ୍ରି ବଢ଼ୁଛି। ଗତ ମାସଠାରୁ ଧାନ ସଂଗ୍ରହ ଆରମ୍ଭ ହୋଇଥିବାରୁ ଚାଷୀ ପରିବାରର ଆୟ ବୃଦ୍ଧି ପାଇବ। ତାହାର ପ୍ରଭାବରେ ଫେବ୍ରୁ୍ଆରିରେ ଗାଡ଼ି ବିକ୍ରି ଆହୁରି ବଢ଼ିବା ଆଶା କରାଯାଉଛି ବୋଲି ସେ କହିଛନ୍ତି। 

Advertisment

ସର୍ବଭାରତୀୟ ସ୍ତରରେ ଜାନୁଆରିରେ ୨୨,୯୧,୬୨୧ ଗାଡ଼ି ବିକ୍ରି ହୋଇଛି, ଯାହା ୨୦୨୪ ଜାନୁଆରିରେ ହୋଇଥିବା ୨୧,୪୯,୧୧୭ ଗାଡ଼ି ତୁଳନାରେ ୬.୬୩ ପ୍ରତିଶତ ଅଧିକ। ଏହି ମାସରେ‌ ଦେଶରେ ୧୫,୨୫,୮୬୨ ଦୁଇଚକିଆ, ୧,୦୭,୦୩୩ ତିନିଚକିଆ, ୯୯,୪୨୫ ବାଣିଜ୍ୟିକ ଯାନ, ୪,୬୫,୯୨୦ କାର୍ ଓ ୯୩,୩୮୧ଟି ଟ୍ରାକ୍ଟର ବିକ୍ରି ହୋଇଛି। ଦେଶରେ ସବୁ ପ୍ରକାର ଗାଡ଼ିର ବିକ୍ରି ବଢ଼ିଛି।